Advertisment

ରୁଷ ସେନା ବିରୋଧରେ ବିଦ୍ରୋହୀ ଗୋଷ୍ଠୀର ଯୁଦ୍ଧ ଡାକରା: ଆର ପାର୍‌ ମୁଡ୍‌ରେ ପୁଟିନ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ତାଙ୍କ ବିଶ୍ୱସ୍ତ ତଥା ଘରୋଇ ମିଲିଟାରୀ ସଂସ୍ଥା ୱାଗନରର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍ ଯୁଦ୍ଧ ଡାକରା ଦେଇଛନ୍ତି।

author-image
Hemant Lenka
Putin

Putin

ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷରେ ଏବେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ତାଙ୍କ ବିଶ୍ୱସ୍ତ ତଥା ଘରୋଇ ମିଲିଟାରୀ ସଂସ୍ଥା ୱାଗନରର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍ ଯୁଦ୍ଧ ଡାକରା ଦେଇଛନ୍ତି। ଦେଶର ଏକାଧିକ ସହରରେ ୱାଗନର ଗ୍ରୁପର ଯୋଦ୍ଧାମାନେ ପ୍ୟାଟ୍ରୋଲିଂ କରିବା ସହ ମସ୍କୋ ଅଭିମୁଖେ ମଧ୍ୟ ଯାତ୍ରା ଆରମ୍ଭ କରିଛନ୍ତି।

Advertisment

ଏହାକୁ ଦୃଷ୍ଟିରେ ରାଷ୍ଟ୍ରପତି ପୁଟିନ ଆର ପାର ମୁଡ୍‌କୁ ଚାଲି ଆସିଛନ୍ତି। ମସ୍କୋରେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରୁଷ ସେନା ବିରୋଧରେ ୱାଗନର ଗ୍ରୁପ୍‌ ଲଢ଼େଇ ଡାକରା ଦେଇଥିବାରୁ ଏହାକୁ ପୁଟିନ ରାଷ୍ଟ୍ର ବିରୋଧୀ ବୋଲି କହିଛନ୍ତି। ଏଥିସହ ଦେଶଦ୍ରୋହୀମାନଙ୍କୁ ଆଦୌ ଛଡ଼ା ଯିବନି ବୋଲି ସେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି।

ପୁଟିନ କହିଛନ୍ତି, ୱାଗନର ରୁଷର ଲୋକଙ୍କ ପୀଠିରେ ଛୁରା ମାରିଛି। ରୁଷ ସେନାକୁ ଚ୍ୟାଲେଞ୍ଜ କରିଛି। ଜନତାଙ୍କୁ ଧୋକା ଦେଇଛି। ଦେଶର ଦକ୍ଷିଣ ପ୍ରାନ୍ତରେ ଥିବା ରୋସ୍ତୋଭ ସହର ସ୍ଥିତି ଏବେ ଖରାପ ଅଛି। କିନ୍ତୁ ଶୀଘ୍ର ଏଠାରେ ସ୍ଥିତି ସ୍ୱାଭାବିକ ହେବ। ରୁଷ ସେନା ହିରୋଙ୍କ ଭଳି କାମ କରୁଛନ୍ତି।

Advertisment

ଏବେ ଆର ପାର୍‌ର ଲଢ଼େଇ ହେବ। ୱାଗନର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ରୋହୀମାନେ ଆତ୍ମସମର୍ପଣ କରନ୍ତୁ। ଧୋକାବାଜଙ୍କୁ କେବେ ହେଲେ ଛଡ଼ା ଯିବ ନାହିଁ। ରୁଷର ସୁରକ୍ଷା ପାଇଁ ସବୁ କିଛି କରାଯିବ ବୋଲି ପୁଟିନ କହିଛନ୍ତି।

ୱାଗନର ଗ୍ରୁପ୍‌ର ଯୁଦ୍ଧ ଡାକରା ପରେ ପୁଟିନ ପଡ଼ୋଶୀ ବେଲାରୁଷର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି। ଏବେ ରୁଷ ସେନା ସହ ବେଲରୁଷ ମଧ୍ୟ ୱାଗନର ବିରୋଧରେ ଲଢ଼େଇ କରିବ। ୱାଗନର ଗ୍ରୁପ୍‌ର ଯୋଦ୍ଧାମାନେ ମସ୍କୋ ରାସ୍ତାରେ ଥିବାରୁ ସେଠାରେ ରୁଷ ସେନା ପକ୍ଷରୁ ଆତଙ୍କବାଦ ବିରୋଧୀ ଅପରେସନ ଆରମ୍ଭ କରାଯାଇଛି। ଲୋକମାନଙ୍କୁ ଘରେ ରହିବାକୁ କୁହାଯିବା ସହ ବିଭିନ୍ନ ସ୍ଥାନରେ ସେନା ଯବାନଙ୍କୁ ମୁତୟନ କରାଯାଇଛି। ସବୁ ସରକାରୀ ପ୍ରତିଷ୍ଠାନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ଅନ୍ୟପକ୍ଷରେ ଯୁଦ୍ଧ କରି ରୁଷ ପଡ଼ୋଶୀ ୟୁକ୍ରେନର ଏକାଧିକ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଛି। ଏବେ ଉକ୍ତ ସ୍ଥାନର ଅଧିକାରୀମାନେ ପୁଟିନଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ରୁଷକୁ ସମର୍ଥନ ମିଳିଥିଲେ ହେଁ ୱାଗନର ଗ୍ରୁପ୍‌ ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍ ନିଜ ଜିଦରେ ଅଟଳ ରହିଛନ୍ତି। ପୁଟିନ ଯେତେ ଚେତାବନୀ ଦେଲେ ମଧ୍ୟ ୱାଗନର ଗ୍ରୁପ୍‌ ଆତ୍ମସମର୍ପଣ କରିବ ନାହିଁ। ରୁଷରୁ ମିଲିଟାରୀ ଶାସନ ହଟିବ। ଏଥିପାଇଁ ଗ୍ରୁପ୍‌ର ୨୫ ହଜାର ଯବାନ ମରିବାକୁ ପ୍ରସ୍ତୁତ ବୋଲି ପ୍ରିଗୋଝିନ ଘୋଷଣା କରିଛନ୍ତି।

ପ୍ରିଗୋଝିନ୍‌ଙ୍କ ଘରୋଇ ସେନା ସଙ୍ଗଠନ ରୁଷ୍‌ର ୟୁକ୍ରେନ୍‌ ବିରୋଧୀ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ରୁଷ ସେନା ସହ କାନ୍ଧରେ କାନ୍ଧ ମିଶାଇ ୱାଗନର ଗ୍ରୁପ୍‌ କାମ କରୁଥିଲା। କିନ୍ତୁ ବେଶ କିଛି କିଛି ମାସ ହେଲା ମସ୍କୋର ‌ସାମରିକ ନେତୃତ୍ୱ ସହିତ ପ୍ରିଗୋଝିନଙ୍କ ସମ୍ପର୍କ ତିକ୍ତ ହୋଇଛି। ତେଣୁ ସେ ଏବେ ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି।

Russia Vladimir Putin