Advertisment

ରୁଷର ବଡ଼ ଏୟାର ଷ୍ଟ୍ରାଇକ; ୟୁକ୍ରେନ ଉପରକୁ ଛାଡ଼ିଲା ୩୬୭ ଡ୍ରୋନ୍ ଓ ମିସାଇଲ

ଗତକାଲି ରାତିରେ ରୁଷର ଡ୍ରୋନ୍ ଓ ମିସାଇଲ ମାଡ଼ରେ ୟୁକ୍ରେନର ବିଭିନ୍ନ ସହରରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡଜନ ଡଜନ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Drone Attack

Drone Attack

ଶନିବାର ରାତିରେ ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ। ରୁଷ ସେନା ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରି ୩୬୭ଟି ଡ୍ରୋନ୍ ଓ ମିସାଇଲ ନିକ୍ଷେପ କରିଥିଲା। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ଆକାଶ ମାର୍ଗରେ ଏହା ରୁଷର ସବୁଠୁ ବଡ଼ ଆକ୍ରମଣ ଥିଲା ବୋଲି କୁହାଯାଉଛି।

Advertisment

ଗତକାଲି ରାତିରେ ରୁଷର ଡ୍ରୋନ୍ ଓ ମିସାଇଲ ମାଡ଼ରେ ୟୁକ୍ରେନର ବିଭିନ୍ନ ସହରରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡଜନ ଡଜନ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସେମାନେ ଜେତୋମେର ସହରର ବାସିନ୍ଦା ଥିଲେ। କିବ, ଖାରକିବ, ମିକୋଲାଇଭ, ତେର୍ନୋପିଲ ଓ ଖମେଲନିସ୍ତିକି ସହରରେ ମଧ୍ୟ ଡ୍ରୋନ୍ ଓ ମିସାଇଲ ପକାଇଥିଲା ରୁଷ।

ରୁଷ ମୋଟ ୩୬୭ଟି ଡ୍ରୋନ୍ ଓ ମିସାଇଲ ଛାଡ଼ିଥିବା ବେଳେ ୟୁକ୍ରେନ ସେନା ସେଥି ମଧ୍ୟରୁ ୨୬୬ଟି ଡ୍ରୋନ୍ ଓ ୪୫ଟି ମିସାଇଲକୁ ଆକାଶ ମାର୍ଗରେ ହିଁ ନଷ୍ଟ କରିଦେବାରେ ସଫଳ ହୋଇଥିଲା। କିନ୍ତୁ ଆଉ ୫୬ଟି ଡ୍ରୋନ୍ ଓ ମିସାଇଲ ୟୁକ୍ରେନର ବିଭିନ୍ନ ସହରରେ ପଡ଼ିଥିଲା। ଫଳରେ ବ୍ୟାପକ କ୍ଷତି ହୋଇଛି। ଅନେକ ଆପାର୍ଟମେଣ୍ଟ ଓ ଭିତ୍ତିଭୂମି ପ୍ରବଳ କ୍ଷତି ସହିଛନ୍ତି।

Advertisment

କିବରେ ୧୧ ଜଣ ଆହତ ହୋଇଥିବା ବେଳେ ଖମେଲନିସ୍ତିକିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ମଧ୍ୟ କିବ ସହରକୁ ଡ୍ରୋନ୍ ଓ ବାଲାଷ୍ଟିକ୍ ମିସାଇଲରେ ଟାର୍ଗେଟ କରିଥିଲା ରୁଷ।

ଦକ୍ଷିଣ ୟୁକ୍ରେନରେ ଥିବା ମିକୋଲାଇଭ ସହରରେ ଡ୍ରୋନ୍ ମାଡ଼ରେ ଜଣେ ୭୭ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଡ୍ରୋନ୍ ପଡ଼ିବାରୁ ଏହି ସହରର ଏକ ଆବାସିକ ଆପାର୍ଟମେଣ୍ଟର ବ୍ୟାପକ କ୍ଷତି ହୋଇଛି।

ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ଟେଲିଗ୍ରାମରେ ଲେଖିଛନ୍ତି, ଆମେରିକା ନୀରବ ଦ୍ରଷ୍ଟା ସାଜିଛି। ସେହିପରି ବିଶ୍ୱର ଅନ୍ୟ ରାଷ୍ଟ୍ରମାନେ ଚୁପ୍ ବସିଛନ୍ତି। ସେଥିପାଇଁ ପୁଟିନଙ୍କ ସାହାସ ବଢୁଛି। ଚାପ ବିନା କିଛି ବଦଳିବ ନାହିଁ। ରୁଷ ଓ ଏହାର ସହଯୋଗୀମାନେ ପଶ୍ଚିମୀ ଦେଶଗୁଡ଼ିକରେ ମଧ୍ୟ ଏଭଳି ନରସଂହାର ପାଇଁ ପ୍ରସ୍ତୁତି କରିବେ। ମସ୍କୋ ସେତେଦିନ ପର୍ଯ୍ୟନ୍ତ ଲଢ଼ିବ ଯେତେଦିନ ପର୍ଯ୍ୟନ୍ତ ଏହାର ଅସ୍ତ୍ରଶସ୍ତ୍ର ତିଆରି କରିବାର କ୍ଷମତା ଥିବ।

ଅନ୍ୟପକ୍ଷରେ ରୁଷ ଦାବି କରିଛି ଯେ ୟୁକ୍ରେନ ମଧ୍ୟ ତା’ ଉପରେ ଡ୍ରୋନ୍‌ରେ ଆକ୍ରମଣ କରିଥିଲା। ୟୁକ୍ରେନର ୯୫ଟି ଡ୍ରୋନ୍ ନଷ୍ଟ କରିଥିବା ନେଇ ଦାବି କରିଛି ରୁଷ। କେବଳ ମସ୍କୋ ଉପରେ ୧୨ଟି ଡ୍ରୋନ୍‌କୁ ନଷ୍ଟ କରାଯାଇଥିବା ରୁଷ କହିଛି।

ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ ୩୦ ଦିନର ଅସ୍ତ୍ରବିରତି ପାଇଁ ପ୍ରୟାସ ଚଲାଇଥିବା ବେଳେ ଏହି ଆକ୍ରମଣ-ପ୍ରତିଆକ୍ରମଣ ହୋଇଥିବା ଜଣାପଡ଼ିଛି। ତେବେ ଯୁଦ୍ଧ ଜାରି ରହିଥିବା ବେଳେ ଉଭୟ ଦେଶ ୧୦୦୦ ଲେଖାଏଁ କଏଦୀଙ୍କୁ ପରସ୍ପରକୁ ହସ୍ତାନ୍ତର କରିଛନ୍ତି।

Russia-Ukraine War