Russia
ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ରୁଷ। ମଙ୍ଗଳବାର ରାତିରେ ରୁଷ ସେନା ପକ୍ଷରୁ ୟୁକ୍ରେନର ପଶ୍ଚିମ ପ୍ରାନ୍ତକୁ ଟାର୍ଗେଟ କରାଯାଇଛି। ୫୦୦ରୁ ଅଧିକ ଡ୍ରୋନ ଓ ୨୪ଟି ମିସାଇଲ ମାଡ଼ରେ ୟୁକ୍ରେନର ପଶ୍ଚିମାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି।
ଆକ୍ରମଣ ସମ୍ପର୍କରେ କିଭ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ୟୁକ୍ରେନ ମିଲିଟାରୀ ଅଧିକାରୀଙ୍କ କହିବା କଥା ଯେ ରୁଷ ପକ୍ଷରୁ ୫୦୨ଟି ଡ୍ରୋନ ଓ ୨୪ଟି ମିସାଇଲ ମାଡ଼ କରାଯାଇଥିଲା। ଏଥିରେ ଅନେକ ସାଧାରଣ ଲୋକ ଆହତ ହୋଇଥିବା ବେଳେ ଆବାସିକ ଅଞ୍ଚଳରେ ଥିବା ଘରଦ୍ୱାର ଭାଙ୍ଗି ଯାଇଛି।
୩ଟି ମିସାଇଲ ଓ ୬୯ଟି ଡ୍ରୋନ ୧୪ଟି ସ୍ଥାନରେ ମାଡ଼ ହୋଇଛି। ବାକି ଗୁଡ଼ିକୁ ଆକାଶ ପଥରେ ନଷ୍ଟ କରି ଦିଆଯାଇଛି। ଡ୍ରୋନ ଓ ମିସାଇଲ ମାଡ଼ ହୋଇଥିବା ୧୪ଟି ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ବିଳମ୍ବିତ ରାତିରେ ରୁଷର ଏୟାର ଆଟାକରେ ୪ ଜଣ ରେଳବାଇ କର୍ମଚାରୀ ଆହତ ହୋଇଛନ୍ତି। ଏଥିଯୋଗୁ ପୋଲାଣ୍ଡର ପ୍ରତିରକ୍ଷା ଏୟାରକ୍ରାଫ୍ଟ କିଛି ସମୟ ପାଇଁ ଗର୍ଜନ କରିଥିଲା। ସୁରକ୍ଷା ଦୃଷ୍ଟିରୁ ପୋଲାଣ୍ଡ ଏପରି ପଦକ୍ଷେପ ନେଇଥିଲା। ଆହତ ୪ ରେଳ କର୍ମଚାରୀ ୟୁକ୍ରେନର କେନ୍ଦ୍ରୀୟ ରିଜନର କିରୋଭୋହରାଡରେ କାମ କରୁଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରୁଷ ଆକ୍ରମଣରେ ରେଳ ଭତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି।
ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ପ୍ରାୟ ସବୁ ସ୍ଥାନରେ ଘଣ୍ଟାଘଣ୍ଟା ଧରି ଏୟାର ରେଡ ସାଇରନ ଶୁଣିବାକୁ ମିଳିଛି। କିଭ ଠାରୁ ଆରମ୍ଭ କରି ଲଭିଭ ଓ ପଶ୍ଚିମ ପ୍ରାନ୍ତରେ ଥିବା ଭୋଲୟନ ଭଳି ୯ଟି ରିଜନରେ ବିସ୍ଫୋରଣ ହୋଇଛି। ୟୁକ୍ରେନର ପଶ୍ଚିମ ପଡ଼ୋଶୀ ତଥା ନାଟୋ ସଦସ୍ୟ ପୋଲାଣ୍ତ ପକ୍ଷରୁ ନିଜର ଏୟାରକ୍ରାଫ୍ଟ ସୁରକ୍ଷା ପାଇଁ ଆକ୍ଟିଭ କରାଯାଇଛି। ଏଥିସହ ପୋଲାଣ୍ଡ ପକ୍ଷରୁ ରୁଷର ଆକ୍ରମଣକୁ ନିନ୍ଦା ମଧ୍ୟ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Russia_1756893590.jpg)