Attack
ଯୁଦ୍ଧ ବିରତି ସମ୍ଭାବନା ମଧ୍ୟରେ ୟୁକ୍ରେନ ବିରୋଧରେ ଆକ୍ରମଣକୁ ଜୋରଦାର କରିଛି ରୁଷ। ରୁଷ ପକ୍ଷରୁ ୟୁକ୍ରେନର ହାର୍ଟ କୁହାଯାଉଥିବା ରାଜଧାନୀ କିଭ ଉପରେ ଘନଘନ ମିସାଇଲ ଓ ଡ୍ରୋନ ମାଡ଼ କରାଯାଇଛି। ଏଥିରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛି।
ବର୍ତ୍ତମାନ ୟୁରୋପର ଗୋଟିଏ ପ୍ରତିନିଧି ମଣ୍ଡଳୀ କିଭରେ ଉପସ୍ଥିତ ଥିବା ବେଳେ ରୁଷ ଆକ୍ରମଣ କରି ନିଜର ପିତିଆରା ଜାହିର କରିଛି। ୟୁକ୍ରେନର ସିଟି ସେଣ୍ଟର ଉପରେ ରୁଷ ଆକ୍ରମଣ କରିବା ପରେ ଶାନ୍ତି ପ୍ରତିଷ୍ଠାର ଆଶା ମଉଳି ଯାଇଛି।
ୟୁକ୍ରେନ ଏୟାରଫୋର୍ସ କହିଛି ଯେ ରୁଷ ୫୮୯ଟି ଡ୍ରୋନ ଓ ବିଭିନ୍ନ ପ୍ରକାରର ୩୧ଟି ମିସାଇଲ ଦେଶର ବିଭିନ୍ନ ପ୍ରାନ୍ତରେ ମାଡ଼ କରିଛି। ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨, ୧୪ ଓ ୧୭ ବର୍ଷର ପିଲା ରହିଥିବା କିଭି ସିଟି ପ୍ରଶାସନ ମୁଖ୍ୟ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ବିଲଡିଂ ଭୁଶୁଡ଼ି ପଡ଼ିଥିବାରୁ ଏହା ତଳେ ଛୋଟ ପିଲା ଠାରୁ ଆରମ୍ଭ କରି ଲୋକମାନେ ଚାପି ହୋଇ ରହିଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ।
ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିରି ଜେଲେନସ୍କିଙ୍କ କହିଛନ୍ତି ଯେ “ବୁଝାମଣା ଟେବୁଲ ବଦଳରେ ରୁଷ ବାଲାଷ୍ଟିକ ମିସାଇଲକୁ ବାଛିଛି। ଶାନ୍ତି ପାଇଁ ଆହ୍ୱାନ ଦେଉଥିବା ବିଶ୍ୱର ରାଷ୍ଟ୍ରମାନଙ୍କ ଠାରୁ ଆମେ ଏବେ ଜବାବ ଆଶା କରୁଛି। ବର୍ତ୍ତମାନ ସୁଦ୍ଧା ରୁଷ ଆକ୍ରମଣ ଯୋଗୁ ୧୫ ଜଣ ଲୋକଙ୍କ ଜୀବନ ଗଲାଣି। ଏମାନଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ରହିଛନ୍ତି। ଗୋଟିଏ ଭୟଙ୍କର ଓ ଉଦ୍ଦେଶ୍ୟମୂଳକ ଭାବେ ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଛି।
ରୁଷ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହିଁ। କେବଳ ଆକ୍ରମଣ କରୁଛି। ରାତିତମାମ ହୋଇଥିବା ଆକ୍ରମଣରେ ଆବାସିକ କୋଠା ଠାରୁ ଆରମ୍ଭ କରି ଅଫିସ ସେଣ୍ଟର ଓ ସିଭିଲିଆନ ପ୍ରତିଷ୍ଠାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ୟୁରୋପୀୟ ୟୁନିୟନର ପ୍ରତିନିଧି ମଣ୍ଡଳୀ ରହିଥିବା ବିଲଡିଂ ମଧ୍ୟ ରୁଷ ଆକ୍ରମଣରୁ ବର୍ତ୍ତି ନାହିଁ। ଏବେ ବିଶ୍ୱ ଉପଯୁକ୍ତ ଜବାବ ଦେଉ। ରୁଷ ଆରମ୍ଭ କରିଥିବା ଯୁଦ୍ଧକୁ ଯେମିତି ହେଲେ ବନ୍ଦୁ କରୁ। ନୂଆ ଶକ୍ତିଶାଳୀ କଟକଣା ଆବଶ୍ୟକ। ଏହା କେବଳ କାମରେ ଆସି ପାରିବ। ରୁଷ କେବଳ ଶକ୍ତି ଓ ଚାପକୁ ବୁଝି ପାରିବ। ପ୍ରତଟି ଆକ୍ରମଣ ପାଇଁ ରୁଷକୁ ଏହାର ପରିଣାମ ଭୋଗିବା ଜରୁରୀ।”
ଅନ୍ୟପକ୍ଷରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ସମସ୍ତ ଟାର୍ଗେଟ ଆକ୍ରମଣ ସଫଳ ହୋଇଛି। ମନ୍ତ୍ରଣାଳୟର କହିବା କଥା ରୁଷ ଆକ୍ରମଣରେ ହାଇପରସୋନିକ ‘କିନଝାଲ’ ମିସାଇଲ, ଡ୍ରୋନ ଓ ନିର୍ଦ୍ଦିଷ୍ଟ ଟାର୍ଗେଟରେ ଆତ୍ମଘାତୀ ବିସ୍ଫୋରଣ କରିପାରୁ ଥିବା ଅସ୍ତ୍ରକୁ ବ୍ୟବହାର କରାଯାଇଥିଲା। ୟୁକ୍ରେନର ସାମରିକ ପ୍ରତିଷ୍ଠାନ, ଏୟାରଫିଲ୍ଡସ ଓ ଗୋଟିଏ ଜାହାଜକୁ ଟାର୍ଗେଟ କରାଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି।
ଅତିରିକ୍ତ ଭାବେ ରୁଷ ସେନା ଦାବି କରିଛି ଯେ ୟୁକ୍ରେନର ପୂର୍ବ ପ୍ରାନ୍ତରେ ଥିବା ନେଲିପିଭକା ଗାଁକୁ ସେମାନେ ନିଜ ଦଖଲକୁ ନେଇଛନ୍ତି। ଏହି ସ୍ଥାନଟି ରଣନୀତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ଦଖଲ ସମ୍ପର୍କରେ ୟୁକ୍ରେନ ପକ୍ଷରୁ କିଛି ବି କୁହାଯାଇ ନାହିଁ।
ରୁଷର ଡ୍ରୋନ ଓ ମିସାଇଲ ଆଟାକରେ ୟୁରୋପୀୟ ୟୁନିୟନର ପ୍ରତିନିଧିମାନେ ରହୁଥିବା ବିଲଡିଂ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ୟୁନିୟନର କମିଶନ ସଭାପତି ଉରସୁଲା ଭନ ଡେର ଲେୟେନ କହିଛନ୍ତି ଯେ ଆକ୍ରମଣରେ କେହିବି ଆହତ ହୋଇନାହାନ୍ତି। କିନ୍ତୁ ବିଲଡିଂ କ୍ଷତିଗ୍ରସ୍ତ ହୋଇଛି।
ସେ ଆକ୍ରମଣକୁ ନିନ୍ଦା କରିବା ସହ ସାଧାରଣ ଲୋକଙ୍କୁ ଟାର୍ଗେଟ ନ କରି ଶାନ୍ତି ଆଲୋଚନା ପାଇଁ ରୁଷ ଆଗେଇ ଆସୁ ବୋଲି ସେ ପରାମର୍ଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Attack_1756382442.jpg)