Russia
ରୁଷର ବିରୋଧୀ ଦଳ ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋର ବିରୋଧୀ ଆଲେକ୍ସି ନଭଲୀନଙ୍କ ମୃତ୍ୟୁ ହୋଇଛି। ଆର୍କଟିକ ଜେଲରେ ସେ ବନ୍ଦୀ ଥିବା ଅବସ୍ଥାରେ ଶୁକ୍ରବାର ରହସ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ନଭଲୀନ ଜେଲରେ ୧୯ ବର୍ଷର ସଜା କାଟୁଥିଲେ। ଆଜି ସେ ଚାଲିବା ପାଇଁ ବାହାରିଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କରି ଅଚେତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଜେଲ କର୍ତ୍ତୃପକ୍ଷ କହିଛନ୍ତି, ନଭଲୀନ କିଛି ସମୟ ଚାଲିବା ପରେ ହଠାତ୍ ଅସହଜ ଅନୁଭବ କରିଥିଲେ। ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ଏହା ଦେଖି ମେଡିକାଲ କର୍ମଚାରୀ ତୁରନ୍ତ ତାଙ୍କ ପାଖକୁ ଯାଇଥିଲେ।
ଗୋଟିଏ ଆମ୍ବୁଲାନ୍ସ ଟିମକୁ ମଧ୍ୟ ଡକାଯାଇଥିଲା। ତାଙ୍କୁ ସବୁ ପ୍ରକାରର ସେବା ଯୋଗାଇ ଦିଆଯାଇଥିଲେ ହେଁ କୌଣସି ସକରାତ୍ମକ ଫଳ ମିଳି ନଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ପାରାମେଡିକ୍ସ ନିଶ୍ଚିତ କରିଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି।
ଘଟଣା ପରେ ରୁଷିଆର ତଦନ୍ତକାରୀ ଟିମ ଏହାର ଯାଞ୍ଚ ଆରମ୍ଭ ହୋଇଥିବା କହିଛି। ନଭଲୀନଙ୍କ ପ୍ରେସ ସଚିବ କିରା ୟାରମୟଶ କହିଛନ୍ତି ଯେ ତାଙ୍କ ଟିମକୁ ମୃତ୍ୟ ସମ୍ପର୍କରେ କିଛି ବି କୁହାଯାଇ ନାହିଁ।
୪୭ ବର୍ଷୀୟ ନଭଲୀନ ରୁଷର ପ୍ରମୁଖ ବିରୋଧୀ ଦଳ ନେତା। ସେ ସବୁବେଳେ ରୁଷରେ ପୁଟିନ ସରକାର କରୁଥିବା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ। ରୁଷରେ କଡ଼ା ନିୟମ ଥିଲେ ମଧ୍ୟ ନଭଲୀନଙ୍କ ଡାକରାରେ ଲକ୍ଷାଧିକ ଲୋକ ରାଜରାସ୍ତାରେ ଓହ୍ଲାଇ ପୁଟିନଙ୍କ ବିରୋଧ କରିବାର ନଜିର ରହିଛି।
୨୦୨୧ରେ ସେ ଜର୍ମାନୀରୁ ରୁଷ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସୋଭିଏତ ଯୁଗର ଜଣେ ଏଜେଣ୍ଟକୁ ବିଷ ଦେଇ ହତ୍ୟା ପାଇଁ ଚେଷ୍ଟା କରିବା ଘଟଣାରେ ତାଙ୍କୁ ୧୯ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Russia_1708093239.jpg)