ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ସ୍ଥାୟୀ ସଦସ୍ୟତା ପାଇଁ ପୁଣି ଥରେ ଦାବି ଦୋହରାଇଛି ଭାରତ। ରୁଷର କାଜାନ ସହରରେ ଅନୁଷ୍ଠିତ ଷୋଡ଼ଶ ବ୍ରିକ୍ସ ସମ୍ମିଳନୀ ୨୦୨୪ର ଶେଷ ଦିନ (ଗୁରୁବାର) ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଏକ ବିଶ୍ୱସ୍ତରୀୟ ନ୍ୟୟିକ ବ୍ୟବସ୍ଥା ସୃଷ୍ଟି ପାଇଁ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକର ସଂସ୍କାର ଆଣିବା ଆବଶ୍ୟକ। ଏହି ସଂସ୍କାର ତୁରନ୍ତ କରାଯିବା ଉଚିତ। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ନୋ ୱାର' ବାର୍ତ୍ତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହା ଯୁଦ୍ଧର ଯୁଗ ନୁହେଁ। ପାରସ୍ପରିକ କଥାବାର୍ତ୍ତା ଏବଂ ଶାନ୍ତିପୂର୍ଣ୍ଣ ଉପାୟ ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ୍।
ବ୍ରିକ୍ସର ଆଉଟରିଚ୍ ଅଧିବେଶନରେ ଜୟଶଙ୍କର କହିଛନ୍ତି, 'ବ୍ରିକ୍ସ ଦର୍ଶାଉଛି ଯେ ପୁରାତନ ବ୍ୟବସ୍ଥା କେତେ ଗଭୀର ଭାବରେ ବଦଳୁଛି। ଏଥି ସହିତ ଅତୀତର ଅନେକ ଅସମାନତା ଜାରି ରହିଛି। ଜଗତୀକରଣର ଲାଭ ଅତ୍ୟନ୍ତ ଅସମାନ ରହିଛି। ଏଭଳି ପରିସ୍ଥିତିରେ, ବିଶ୍ୱର ସ୍ଥାୟୀ ବିକାଶ ଲକ୍ଷ୍ୟ ବହୁ ପଛରେ ପଡ଼ିବାର ବିପଦ ରହିଛି।'
UNSCରେ ୧୦ ଅସ୍ଥାୟୀ ସଦସ୍ୟ
ଦୀର୍ଘ ଦିନ ଧରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ଭାରତ ଦାବି କରିଆସୁଛି। ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛି। ୧୯୪୫ରେ ଗଠିତ ସୁରକ୍ଷା ପରିଷଦରେ ଆରମ୍ଭରୁ ୧୫ ସଦସ୍ୟ ରହିଛନ୍ତି। ସେଥିମଧ୍ୟରେ ୫ଟି ସ୍ଥାୟୀ ଏବଂ ୧୦ ଅସ୍ଥାୟୀ ସଦସ୍ୟ। ଚାଇନା, ଫ୍ରାନ୍ସ, ରୁଷ, ବ୍ରିଟେନ ଏବଂ ଆମେରିକା ୟୁଏନଏସସିର ସ୍ଥାୟୀ ସଦସ୍ୟ ଅଟନ୍ତି। ଅସ୍ଥାୟୀ ସଦସ୍ୟମାନେ ପ୍ରତି ୨ ବର୍ଷରେ ପରିବର୍ତ୍ତନ ହୁଅନ୍ତି।
ତେବେ ଆମେରିକା, ରୁଷ, ଫ୍ରାନ୍ସ ଏବଂ ବ୍ରିଟେନ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବିକୁ ସମର୍ଥନ କରିସାରିଛନ୍ତି। କିନ୍ତୁ ଭିଟୋ ଶକ୍ତି ମାଧ୍ୟମରେ ଚୀନ୍ ଏଥିରେ ବାଧା ସୃଷ୍ଟି କରୁଛି।
ବିଶ୍ୱକୁ ତୁରନ୍ତ ଅଧିକ ସଂଯୋଗୀକରଣ ବିକଳ୍ପର ଆବଶ୍ୟକତା ରହିଛି
ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, 'ଲଜିଷ୍ଟିକ୍ସ କ୍ଷେତ୍ରର ବୃଦ୍ଧି ଏବଂ ବିପଦକୁ ହ୍ରାସ କରିବା ପାଇଁ ବିଶ୍ୱକୁ ତୁରନ୍ତ ଅଧିକ ସଂଯୋଗୀକରଣ ବିକଳ୍ପର ଆବଶ୍ୟକତା ରହିଛି। ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପ୍ରତି ଅତ୍ୟଧିକ ସମ୍ମାନ ସହିତ ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ ଏହା ଏକ ସାମୂହିକ ପ୍ରୟାସ ହେବା ଉଚିତ୍। ଭାରତର ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକ୍ଚର, ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍, ଗତିଶକ୍ତି ଇନଫ୍ରାଷ୍ଟକ୍ଚର ସବୁ ମହତ୍ବପୂର୍ଣ୍ଣ। ଇଣ୍ଟରନ୍ୟାସନାଲ ସୋଲାର ଆଲାଇନ୍ସ, ଗ୍ଲୋବାଲ ବାୟୋଫୁଏଲ ଆଲାଇନ୍ସ, ମିଶନ LiFE ଏବଂ ଇଣ୍ଟରନ୍ୟାସନାଲ ବିଗ କ୍ୟାଟ୍ ଆଲାଇନ୍ସ ସାଧାରଣ ସ୍ୱାର୍ଥର ପଦକ୍ଷେପ। ଆମେ ଏଥିରେ ଉପଯୁକ୍ତ ଅବଦାନ ଦେବାକୁ ଚାହୁଁଛୁ।'