୧୯୮୧ ମସିହା ଜୁନ ୭ ତାରିଖ ମଧ୍ୟାହ୍ନ। ଏତିକି ବେଳେ ଇସ୍ରାଏଲ ବାୟୁ ସେନାର ୧୪ଟି ଯୁଦ୍ଧ ବିମାନ ସିନାଇ ସ୍ଥିତ ଇଟଜିଓନ ଏୟାରବେସ୍ରୁ ଉଡ଼ାଣ ଭରିଥିଲେ। ସେତେବେଳେ ଏହି ସ୍ଥାନଟି ଇସ୍ରାଏଲର ନିୟନ୍ତ୍ରଣରେ ରହିଥିଲା। ଉଡ଼ାଣ ଭରିବାର ୨ ଘଣ୍ଟା ମଧ୍ୟରେ ସେମାନଙ୍କୁ ୧୧୦୦ କିମି ଦୂରରେ ଥିବା ଇରାକର ଓସିରାକ ଆଣବିକ ପ୍ରତିଷ୍ଠାନକୁ ନଷ୍ଟ କରିବାର ଥିଲା। ଏହି ସ୍ଥାନଟି ବାଗଦାଦର ଅତି ନିକଟରେ ରହିଥିଲା।
ମିଶନର କୋଡ ନାଁ ଥିଲା ଅପରେସନ ଅପେରା। ଆଧୁନିକ ଇତିହାସରେ ଏପରି ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ବେଶ ବିତର୍କ ମଧ୍ୟ ହୋଇଥିଲା। କିନ୍ତୁ ୧୯୮୧ରେ ଇସ୍ରାଏଲ ନିଜର ଅପରେସନକୁ ସଫଳ ରୂପ ଦେଇଥିଲା।
ଏହାର ପ୍ରାୟ ୪ ଦଶନ୍ଧି ପରେ ୨୦୨୫ ମସିହା ଜୁନ ୧୩ ତାରିଖ ଅର୍ଥାତ ଶୁକ୍ରବାର ଭୋର ସମୟରେ ଇରାନର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ସମସ୍ତଙ୍କୁ ଚକିତ କରିବା ଭଳି ଏୟାର ଷ୍ଟ୍ରାଇକ କରିଛି। ଇସ୍ରାଏଲ ପକ୍ଷରୁ ଇରାନର ଆଣବିକ ଭିତ୍ତିଭୂମି ଓ ସାମରିକ ପ୍ରତିଷ୍ଠାନକୁ ଧ୍ୱଂସ କରି ଦିଆଯାଇଛି। ଏଥିରେ ଇରାନ ତା’ର ସାମରିକ ଅଧିକାରୀମାନଙ୍କୁ ବି ହରାଇଛି। ୧୯୮୧ ମସିହା ଓସିରାକ ଏୟାର ଷ୍ଟ୍ରାଇକ ଇସ୍ରାଏଲର ସୁରକ୍ଷା ସମ୍ପର୍କିତ ସିଦ୍ଧାନ୍ତଙ୍କୁ ଦୀର୍ଘ ଦଶନ୍ଧି ଧରି ନୂଆ ରୂପ ଦେଇଥିଲା। ଦେଶର ସୁରକ୍ଷା ବ୍ୟବସ୍ଥାକୁ ଏହା ସୁନିଶ୍ଚିତ କରିଥିଲା। ଏବେ ସେହି ସୁରକ୍ଷା ପାଇଁ ଇସ୍ରାଏଲ ସେନା ଇରାନର ଆଣବିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଷ୍ଟ୍ରାଇକ କରିଛି।
ଇରାକର ଆଣବିକ କାର୍ଯ୍ୟକ୍ରମ
ଇରାକର ନ୍ୟୁକ୍ଲିୟର କାର୍ଯ୍ୟକ୍ରମ ୧୯୫୦ରେ ଆରମ୍ଭ ହୋଇଥିଲା। କିନ୍ତୁ ୧୯୭୦ରେ ସଦାମ ହୁସେନଙ୍କ ଶାସନ ସମୟରେ ଏହି କାର୍ଯ୍ୟକ୍ରମ ବ୍ୟାପକ ହୋଇଥିଲା। ୧୯୭୬ରେ ଇରାନ ଏନେଇ ଗୋଟିଏ ଚୁକ୍ତି ଫ୍ରାନ୍ସ ସହ କରିଥିଲା। ଫ୍ରାନ୍ସ ସରକାର ଚୁକ୍ତି ଅନୁସାରେ ଇରାକକୁ ଓସିରାକ ନାଁରେ ଗୋଟିଏ ୭୦ ମେଗାୱାଟ ରିସର୍ଚ୍ଚ ରିଆକ୍ଟର ପଠାଇବାକୁ ରାଜି ହୋଇଥିଲେ। ଏହାବାଦ ଓସିରାକ(ତାମୁଜ ୧), ଗୋଟିଏ ଛୋଟ ଟ୍ରେନିଂ ରିଆକ୍ଟର ଓ ତାମୁଜ ୨ ମଧ୍ୟ ଦକ୍ଷିଣପୂର୍ବ ବାଗଦାଦର ତୁୱାଇଥା ଆଣବିକ ରିସର୍ଚ୍ଚ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଥିଲା।
ଏହି ରିଆକ୍ଟରଗୁଡ଼ିକ ଅନ୍ତର୍ଜାତୀୟ ଆଟୋମିକ ଏନର୍ଜୀ ଏଜେନ୍ସି(ଆଇଏଇଏ) ପକ୍ଷରୁ ବିଧିବଦ୍ଧ ଶାନ୍ତିପୂର୍ଣ୍ଣ ଗବେଷଣା ପାଇଁ ଅନୁମୋଦନ ଦିଆଯାଇଥିଲା। କିନ୍ତୁ ଇସ୍ରାଏଲ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲେ ଯେ ଥରେ ଓସିରାକ କାର୍ଯ୍ୟକ୍ଷମ ହୋଇଗଲେ ଏଠାରେ ଯୁଦ୍ଧାସ୍ତ୍ରରେ ବ୍ୟବହାର ହେଉଥିବା ପ୍ଲୋଟନିୟମ ଉତ୍ପାଦନ ହେବ। ଇରାକକୁ ଆଣବିକ ଶକ୍ତି ରାଷ୍ଟ୍ର ଭାବେ ପରିଣତ କରିଦେବ। ଏହା ଇସ୍ରାଏଲ ପାଇଁ ଭବିଷ୍ୟତରେ ବିପଦ ସୃଷ୍ଟି କରିବ ବୋଲି ତେଲ ଅଭିଭ ଆଶଙ୍କା କରିଥିଲା। ରିଆକ୍ଟର କାର୍ଯ୍ୟକ୍ଷମ ସ୍ଥିତିରେ ପହଞ୍ଚି ଗଲେ ଏହାକୁ ନଷ୍ଟ କରିବା ବେଳେ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ ବୋଲି ଇସ୍ରାଏଲ ନେତୃବୃନ୍ଦ ଆଶଙ୍କା କରିଥିଲା।
ଇସ୍ରାଏଲର ଆକ୍ରମଣ ଯୋଜନା
ଇରାକ ଉପରେ ଆକ୍ରମଣ କରିବା ପାଇଁ ତତ୍କାଳୀନ ଆଇଡିଏଫ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାଫେଲ ଇଟାନଙ୍କ ନିର୍ଦ୍ଦେଶରେ ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ରାଜନୀତିକ ଓ ବୈଷୟିକ କାରଣରୁ ଏହି ଅପରେସନ ବାରମ୍ବାର ବିଳମ୍ବିତ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଇସ୍ରାଏଲ ଏୟାର ଫୋର୍ସ ଅପରେସନରେ ଏଫ-୪ ଫାଣ୍ଟମ ଯୁଦ୍ଧ ବିମାନ ବ୍ୟବହାର କରିବ। କିନ୍ତୁ ଇସ୍ରାଏଲ ଅତ୍ୟାଧୁନିକ ଏଫ-୧୬ ଯୁଦ୍ଧ ବିମାନ ଆମେରିକା ଠାରୁ ଆଣିବାରୁ ଆକ୍ରମଣ ଯୋଜନାକୁ ବଦଳା ଯାଇଥିଲା।
୧୯୮୦ ଦଶକର ମଧ୍ୟ ଭାଗରେ ୮ଟି ଏଫ-୧୬ଏ ଯୁଦ୍ଧ ବିମାନକୁ ପ୍ରାଥମିକ ଏୟାର ଷ୍ଟ୍ରାଇକ ପାଇଁ ଚିୟନ କରାଯାଇଥିଲା। ଏହାକୁ କଭର ଓ ବ୍ୟାକଅପ ଦେବାକୁ ୬ଟି ଏଫ-୧୫ଏକୁ ଦାୟିତ୍ୱ ଦିଆଯାଇଥିଲା। ବିମାନ ଗୁଡ଼ିକୁ ତୁରନ୍ତ ଶତ୍ରୁ ପକ୍ଷର ଆକାଶ ପଥକୁ ଯାଇ ଆକ୍ରମଣ କରି ଫେରିବାର ଥିଲା। ଏଥିପାଇଁ ବିମାନଗୁଡ଼ିକରେ ଅତିରିକ୍ତ ଭାବେ ତୈଳ ଟ୍ୟାଙ୍କ ଖଞ୍ଜା ଯାଇଥିଲା। ଷ୍ଟ୍ରାଇକ ଭୂପୃଷ୍ଠରୁ ୧୦୦ ଫୁଟ ଉଚ୍ଚରେ ରହି କରାଯିବ, ରେଡିଓ ସାଇଲେନ୍ସ ଓ ରାଡାର ବ୍ଲାକ ଆଉଟ ବ୍ୟବସ୍ଥା ମଧ୍ୟ ହୋଇଥିଲା।
ଜଣେ ରାଜାଙ୍କ ଚେତାବନୀ
ଯୁଦ୍ଧ ବିମାନର ଦକ୍ଷିଣପୂର୍ବ ଜୋର୍ଡାନ ଓ ସାଉଦି ଆରବର ଦେଇ ଉତ୍ତରପୂର୍ବକୁ ଗତି କରି ବାଗଦାଦ ମୁହଁ ହେବ। ଏହି ରାସ୍ତାର ଚୟନ ଇସ୍ରାଏଲର ତତ୍କାଳୀନ ଏୟାର ଫୋର୍ସ କମାଣ୍ଡର ମେଜେର ଜେନେରାଲ ଡାଭିଡ ଇଭରୀ କରିଥିଲେ। କିନ୍ତୁ ଇସ୍ରାଏଲ ଯୁଦ୍ଧ ବିମାନ ରାଡାରକୁ ମାତ ଦେଇଥିଲେ ହେଁ ରାଜାଙ୍କ ନଜରରୁ ଖସି ପାରି ନଥିଲା।
ଜୋର୍ଡାନର ରାଜା ହୁସେନ ବିଦେଶରେ ଛୁଟି କାଟୁ ଥିବା ବେଳେ ତାଙ୍କ ରାଜକୀୟ ନୌକା ଆକାଶ ପଥରେ ଯୁଦ୍ଧ ବିମାନକୁ ଠାବ କରିଥିଲା। ସେଥିରେ ଥିବା ଚିହ୍ନରୁ ଏହା ଇସ୍ରାଏଲର ବୋଲି ରାଜା ହୁସେନ ଜାଣି ପାରିଥିଲେ। ସେ ତୁରନ୍ତ ଯୁଦ୍ଧ ବିମାନ ଗୁଡ଼ିକ କେଉଁ ଆଡ଼େ ଯାଉଥିବା ଜାଣି ପାରି ଇରାକୁ ସତର୍କ ସୂଚନା ଜାରି କରିବାକୁ ନିଜ ସରକାରକୁ କହିଥିଲେ। ହେଲେ ଯୋଗାଯୋଗରେ ବିଳମ୍ବ କିମ୍ବା ବୈଷୟିକ ତ୍ରୁଟି ଯୋଗୁ ରାଜାଙ୍କ ସତର୍କ ସୂଚନା କେବେ ହେଲେ ବି ବାଗଦାଦ ନିକଟରେ ପହଞ୍ଚି ପାରି ନଥିଲା।
ଆକ୍ରମଣର ଦିନ
ସ୍ଥାନୀୟ ସମୟ ୧୭.୩୫ରେ ଏଫ ୧୬ ଯୁଦ୍ଧ ବିମାନ ତୁୱାଇଥା କମ୍ପ୍ଲେକ୍ସ ଉପରେ ପହଞ୍ଚି ଥିଲା। ପ୍ରତିଟି ବିମାନ ନିଜ ସହ ନେଇଥିବା ବୋମାକୁ ୫ ସେକେଣ୍ଡ ବ୍ୟବଧାନରେ ଖସାଇ ଚାଲିଥିଲେ। ଷ୍ଟ୍ରାଇକ ୨ ମିନିଟରୁ ଅଧିକ ସମୟ ଚାଲି ନଥିଲା। ଓସିରାକ ରିଆକ୍ଟର କାର୍ଯ୍ୟକ୍ରମ ହେବା ପୂର୍ବରୁ ମାଟିରେ ମିଶି ଯାଇଥିଲା। ଆକ୍ରମଣରେ ସାମିଲ ଥିବା ସମସ୍ତ ୧୪ ଯୁଦ୍ଧ ବିମାନ ବିନା କୌଣସି କ୍ଷତିରେ ଇସ୍ରାଏଲରେ ଅବତରଣ କରିଥିଲେ।
ଆକ୍ରମଣ ପରେ କ’ଣ ହେଲା?
ଇସ୍ରାଏଲର ଏପରି ଆକ୍ରମଣକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଥିଲା। ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଗୋଟିଏ ସଂକଳ୍ପ ପାରିତ କରି ଆକ୍ରମଣକୁ ଜାତିସଂଘର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି କହିଥିଲା। ଇସ୍ରାଏଲର ଘନିଷ୍ଠ ସହଯୋଗୀ ଆମେରିକା ମଧ୍ୟ ଆକ୍ରମଣକୁ ବିରୋଧ କରି ତେଲ ଅଭିଭକୁ ସାମରିକ ସାମଗ୍ରୀ ଯୋଗାଣ ବନ୍ଦ କରିଥିଲା।
ଇରାକ ଦାବି କରିଥିଲା ଯେ ଉକ୍ତ କେନ୍ଦ୍ର କେବଳ ଶାନ୍ତିପୂର୍ଣ୍ଣ ଗବଷେଣା ପାଇଁ ରହିଥିଲା। ଫ୍ରାନ୍ସ ପକ୍ଷରୁ ଇରାକକୁ ରିଆକ୍ଟର ଯୋଗାଣ କରାଯାଇଥିଲା ଓ ଆକ୍ରମଣ ସମୟରେ ତା’ର ଟେକ୍ନିସିଆନ ମଧ୍ୟ ଉକ୍ତ କେନ୍ଦ୍ରରେ ରହିଥିଲେ। ତେଣୁ ଫ୍ରାନ୍ସ ଅତ୍ୟନ୍ତ କଡ଼ା ଭାଷାରେ ଇସ୍ରାଏଲକୁ ସମାଲୋଚନା କରିଥିଲା। ତେବେ ଇସ୍ରାଏଲ ଆକ୍ରମଣରେ କୌଣସି ଫ୍ରାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇ ନଥିଲା।
ଏସବୁ ବିବାଦ ମଧ୍ୟରେ ଇସ୍ରାଏଲର ତତ୍କାଳୀନ ପ୍ରଧାନମନ୍ତ୍ରୀ ମେନାକେମ ବେଗିନ ଯୁକ୍ତି ରଖିଥିଲେ ଯେ କୌଣସି ଆରବ ଦେଶକୁ କେବେ ହେଲେ ଆଣବିକ ଯୁଦ୍ଧାସ୍ତ୍ର ମିଳି ପାରିବ ନାହିଁ। ଏହା ବେଗିନ ସିଦ୍ଧାନ୍ତ ଭାବେ ପରିଚିତ। ଏବେ ବି ଏହାକୁ ଇସ୍ରାଏଲ କାର୍ଯ୍ୟକାରୀ କରି ଇରାନକୁ ଟାର୍ଗେଟ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।