Advertisment

ଆମେରିକାର ଆକାଶରେ ପୁଣି ଉଡ଼ିଲା ଗୁଇନ୍ଦା ବେଲୁନ, ବ୍ଲିନକେନଙ୍କ ଚାଇନା ଗସ୍ତ ବାତିଲ

ଏହି ଗୁଇନ୍ଦା ବେଲୁନ ଠାବ ଘଟଣାକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ ତାଙ୍କର ବେଜିଂ ଗସ୍ତ ବାତିଲ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Second Chinese balloon

Second Chinese balloon

ଲାଟିନ ଆମେରିକା ଆକାଶରେ ଠାବ ହୋଇଛି ଚାଇନା ପଠାଇଥିବା ଗୁଇନ୍ଦା ବେଲୁନ। ଦିନକ ପୂର୍ବରୁ ଆମେରିକାର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆଉ ଏକ ବିଶାଳ ଗୁଇନ୍ଦା ବେଲୁନ ଠାବ ହୋଇଥିଲା। ଏହି ଗୁଇନ୍ଦା ବେଲୁନ ଠାବ ଘଟଣାକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ ତାଙ୍କର ବେଜିଂ ଗସ୍ତ ବାତିଲ କରିଛନ୍ତି।

Advertisment

ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ଠାବ ହୋଇଥିବା ବେଲୁନଟି ବର୍ତ୍ତମାନ କେନ୍ଦ୍ରୀୟ ଆମେରିକାର ଆକାଶ ଦେଇ ଗତି କରୁଛି। ଏହାକୁ ସୁରକ୍ଷାକର୍ମୀ ଟ୍ରାକ୍‌ କରିଥିଲେ ମଧ୍ୟ ତଳେ ରହୁଥିବା ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବେଲୁନକୁ ଗୁଳି କରି ଖସାଯାଇନି। ପ୍ରଥମ ବେଲୁନ ଠାବ ହେବାର କିଛି ସମୟ ପରେ ଲାଟିନ ଆମେରିକା ଆକାଶରେ ଆଉ ଏକ ଚାଇନିଜ୍‌ ଗୁଇନ୍ଦା ବେଲୁନ ଦେଖିବାକୁ ମିଳିଛି।

ପେଣ୍ଟାଗନ ପକ୍ଷରୁ ଲାଟିନ ଆମେରିକାର କେଉଁ ସ୍ଥାନରେ ବେଲୁନ ଉଡ଼ୁଛୁ, ସେକଥା ସ୍ପଷ୍ଟ କରାଯାଇନି। ତେବେ ଚାଇନିଜ୍‌ ସର୍ଭେଲାନ୍ସ ଭାବେ ଏହି ବେଲୁନକୁ ବ୍ୟବହାର କରାଯାଉଥିବା ପେଣ୍ଟାଗନ କହିଛି।

Advertisment

ଅନ୍ୟପକ୍ଷରେ ଚାଇନା ପକ୍ଷରୁ ବେଲୁନ ଆମେରିକା ଆକାଶରେ ପ୍ରବେଶ ପାଇଁ ପବନକୁ ଦାୟୀ କରାଯାଇଛି। ଏଥିସହ ବେଲୁନ ପ୍ରବେଶ କରିଥିବାରୁ ଚାଇନା ଦୁଃଖପ୍ରକାଶ ମଧ୍ୟ କରିଛି। ତେବେ ଏହା କୌଣସି ପ୍ରକାରର ଗୁଇନ୍ଦା ବେଲୁନ ନୁହେଁ, ବରଂ ସିଭିଲିଆନ ଏୟାରଶିପ ବୋଲି ବେଜିଂ ସଫେଇ ଦେଇଛି।

ଆମେରିକା ପ୍ରଶାସନ କିନ୍ତୁ ଏହାକୁ ଗ୍ରହଣ କରିନାହିଁ। ଚାଇନା ଗୁଇନ୍ଦାଗିରି ପାଇଁ ଏପରି ବେଲୁନ ପଠାଇଥିବା ବାଇଡେନ ପ୍ରଶାସନ କହିଛି। ରବିବାର ଠାରୁ ବ୍ଲିନକେନ ଦୁଇ ଦିନିଆ ଚାଇନା ଗସ୍ତରେ ଯିବାର ଥିଲା। ହେଲେ ଏସବୁ ବିବାଦ ଯୋଗୁ ସେ ନିଜର ଗସ୍ତକୁ ବାତିଲ କରିଛନ୍ତି।

ବରିଷ୍ଠ ଚାଇନିଜ ଅଫିସିଆଲ ୱାଙ୍ଗ ୟିଙ୍କୁ ଫୋନ ଯୋଗେ ବ୍ଲିନକେନ କହିଛନ୍ତି ଯେ ଆମେରିକା ଆକାଶରେ ଏପରି ସର୍ଭେଲାନ୍ସ ବେଲୁନ ସ୍ପଷ୍ଟ ଭାବେ ଦେଶର ଅଖଣ୍ଡତା ଓ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଙ୍ଘନ କରିଛି। ଏହା ଏକ ଦାୟିତ୍ୱହୀନ କାମ। ଆମେରିକା ସବୁବେଳେ ଚାଇନା ସହ କୂଟନୀତିକ ସମ୍ପର୍କ ଅକ୍ଷୁଣ୍ଣ ରଖିବାକୁ ଚେଷ୍ଟା କରି ଆସିଛି। ତେଣୁ ସ୍ଥିତି ସ୍ୱାଭାବିକ ହେଲେ ପ୍ରସ୍ତାବିତ ଚାଇନା ଗସ୍ତ ଆରମ୍ଭ ହେବ।ବର୍ତ୍ତମାନ ଆମେରିକା ପ୍ରଶାସନ ସର୍ଭେଲାନ୍ସ ବେଲୁନ କେମିତି ୱାଶିଂଟନ ବାୟୁସୀମାରୁ ଯିବ, ତା’ ଉପରେ ଫୋକସ କରୁଛି। ଏହାପରେ ଅଲଗା କଥା ବିଚାର କରାଯିବ ବୋଲି ବ୍ଲିନକେନ ତାଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ ଚାଇନିଜ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବ୍ଲିନକେନ ଓ ୱାଙ୍ଗ ବେଶ ଭଲ ଭାବେ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଚାଇନା ଗୋଟିଏ ଦାୟିତ୍ୱବାନ ରାଷ୍ଟ୍ର। ଚାଇନା ସବୁବେଳେ ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଜଣାଇ ଆସିଛି। ଆମେ କୌଣସି ପ୍ରକାରର ଅଯଥା ଅପ୍ରଚାର ଓ ଅତିରଞ୍ଜିତ ଖବରକୁ ଗ୍ରହଣ କରିପାରିବୁ ନାହିଁ। ଦୁଇ ଦେଶ ପରସ୍ପରକୁ ଦୋଷାରୋପ କରି ବିବାଦ ସୃଷ୍ଟି କରିବା ଅନୁଚିତ ବୋଲି ୱାଙ୍ଗ ଫୋନ ଯୋଗେ ବ୍ଲିନକେନଙ୍କୁ କହିଛନ୍ତି।

China America Air Balloon