କୁଏତ୍‌ରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୋଦି, କହିଲେ- ଜୟ ଜଗନ୍ନାଥ

ପ୍ରଧାନମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସି କୁଏତରେ କାମ କରୁଥିବା ଶ୍ରମିକଙ୍କୁ ଭେଟିଛନ୍ତି। ତାଙ୍କ ସହ ବସି ଖାଦ୍ୟ ମଧ୍ୟ ଖାଇଛନ୍ତି।

ଭାରତୀୟ ଶ୍ରମିକଙ୍କୁ ଭେଟିବା ବେଳର ଦୃଶ୍ୟ

  • Published: Sunday, 22 December 2024
  • , Updated: 22 December 2024, 12:43 PM IST

କୁଏତରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ହାତ ମିଳାଇଲେ ଆଉ କଥା ମଧ୍ୟ ହେଲେ। ଦୁଇ ଦିନିଆ କୁଏତ ଗସ୍ତରେ ଥିବା ମୋଦି ଗତକାଲି ଗଲଫ୍‌ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ କଥା ହୋଇଥିଲେ।

ଏହି ଅବସରରେ କୁଏତରେ କାମ କରୁଥିବା ଗଞ୍ଜାମ ଖଲ୍ଲିକୋଟର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ ମୋଦି। ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓଡ଼ିଆ ଯୁବକ। ଏହାଦ୍ୱାରା ଓଡ଼ିଶା ବିଶ୍ୱ ଆଗରେ ଐତିହ୍ୟ ଓ ସଂସ୍କୃତି ଦେଖାଇବାର ସୁଯୋଗ ପାଇବ ବୋଲି ସେ କହିଥିଲେ।

ଜବାବରେ ମୋଦି ଜୟ ଜଗନ୍ନାଥ କହି ଧନ୍ୟବାଦ ଜଣାଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସି କୁଏତରେ କାମ କରୁଥିବା ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ସହ ବସି ଖାଦ୍ୟ ମଧ୍ୟ ଖାଇଥିଲେ। ଭାରତର ବିକାଶ ଦିଗରେ ସେମାନଙ୍କ ମଧ୍ୟ ଅବଦାନ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ଦୁଇ ଦିନିଆ କୁଏତ ଗସ୍ତରେ ଥବା ମୋଦି ଗତକାଲି ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ। ଏହି ଅବସରରେ ହେଲୋ ମୋଦି କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଏତ ଗସ୍ତର ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି ତାଙ୍କୁ କୁଏତ୍‌ର ବାୟନ୍ ପ୍ୟାଲେସରେ ଗାର୍ଡ ଅଫ୍‌ ଅନର୍‌ରେ ସମ୍ମାନିତ କରାଯିବ। ଏହାପରେ ସେ ଅମିର ସେଖ୍ ଓ କ୍ରାଉନ୍ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ହାଇଡ୍ରୋକାର୍ବନ୍ ଏବଂ ବ୍ୟବସାୟିକ ସମ୍ପର୍କ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ।

Related story