Advertisment

ସମୟ ପାଇଥିଲେ ଦେଶବାସୀଙ୍କୁ ସମ୍ବୋଧିତ କରିଥା’ନ୍ତେ ଶେଖ ହସିନା, ଆମେରିକା ବିରୋଧରେ ଆଣିଥା’ନ୍ତେ ବଡ଼ ଅଭିଯୋଗ

‘ଆୱାମୀ ଲିଗ୍ ସବୁବେଳେ ସଶକ୍ତ ହୋଇ ପ୍ରତ୍ୟାବର୍ତ୍ତନ କରିଛି। ଆପଣମାନେ ଆଶା ଛାଡ଼ନ୍ତୁ ନାହିଁ। ମୁଁ ଖୁବ୍‌ଶୀଘ୍ର ଫେରିବି।’

ଅଦ୍ୟତନ ହୋଇଛି
Sheikh Hasina

Sheikh Hasina

Advertisment

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ପାଇଁ ଏକ ଭାଷଣ ପ୍ରସ୍ତୁତ କରିଥିଲେ ଶେଖ ହସିନା। କିନ୍ତୁ ବିକ୍ଷୋଭକାରୀମାନେ ତାଙ୍କ ବାସଭବନ ଆଡ଼କୁ ମାଡ଼ି ଆସିବାରୁ ସେହି ଭାଷଣ ପଢ଼ିବାକୁ ଆଉ ସମୟ ପାଇ ନଥିଲେ ସେ। ବିପଦ ଥିବା ଦର୍ଶାଇ ତୁରନ୍ତ ଦେଶ ଛାଡ଼ିବାକୁ ଶେଖ ହସିନାଙ୍କୁ ପରାମର୍ଶ ଦେଇଥିଲେ ତାଙ୍କ ସୁରକ୍ଷା ଅଧିକାରୀମାନେ।

Advertisment

ବାଂଲାଦେଶ ଛାଡ଼ି ଏବେ ଭାରତରେ ଅଛନ୍ତି ଶେଖ ହସିନା। ଆଉ ଏଠାରେ ହସିନା ତାଙ୍କର କିଛି ଘନିଷ୍ଠ ଲୋକଙ୍କୁ ସେ ପ୍ରସ୍ତୁତ କରିଥିବା ଉକ୍ତ ଭାଷଣ ବିଷୟରେ କହିଛନ୍ତି, ଯାହା କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉକ୍ତ ଭାଷଣରେ ଶେଖ ହସିନା ବାଂଲାଦେଶର ଏହି ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି। ଦେଶରେ କ୍ଷମତା ପରିବର୍ତ୍ତନ ପାଇଁ ଆମେରିକା ଷଡ଼ଯନ୍ତ୍ର କରିଛି ବୋଲି ସେ ବାଂଲାଦେଶବାସୀଙ୍କୁ କହିଥା’ନ୍ତେ। 

ଶେଖ ହସିନା ତାଙ୍କ ଭାଷଣରେ କହିଥା’ନ୍ତ, ମୁଁ ମୃତଦେହମାନଙ୍କର ଶୋଭାଯାତ୍ରା ଦେଖିପାରିବି ନାହିଁ। ସେଥିପାଇଁ ମୁଁ ଇସ୍ତଫା ଦେଲି। ସେମାନେ ଶିକ୍ଷାର୍ଥୀମାନଙ୍କ ମୃତଦେହ ଉପରେ ଗୋଡ଼ ରଖି କ୍ଷମତାକୁ ଆସିବାକୁ ଚାହୁଁଛନ୍ତି। କିନ୍ତୁ ମୁଁ ଏହାକୁ ଅନୁମତି ଦେବି ନାହିଁ। ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲି। ଯଦି ମୁଁ ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡକୁ ଆମେରିକାକୁ ଦେଇ ସେମାନଙ୍କୁ ବଙ୍ଗୋପସାଗରରେ ପ୍ରଭୁତ୍ୱ ଜାହିର କରିବାର ସୁଯୋଗ ଦେଇଥା’ନ୍ତି, ତା’ହେଲେ ମୁଁ କ୍ଷମତାରେ ରହିପାରିଥା’ନ୍ତି। ମୁଁ ମୋର ଦେଶବାସୀଙ୍କୁ ପ୍ରାର୍ଥନା କରୁଛି ଯେ ସେମାନେ ଆଖି ବନ୍ଦ କରି କାହା କଥାରେ ଭାସି ନଯାଆନ୍ତୁ। 

Advertisment

ସେ ଆହୁରି କହିଥା’ନ୍ତେ, ଯଦି ମୁଁ ଦେଶରେ ରହେ, ତା’ହେଲେ ଆହୁରି ଅଧିକ ଲୋକଙ୍କ ଜୀବନ ଯିବ। ମୁଁ ନିଜେ ଓହରି ଯାଉଛି। ଆପଣମାନେ ମୋର ଶକ୍ତି। ଆପଣମାନେ ମୋତେ ଆବଶ୍ୟକ କରୁ ନାହାନ୍ତି। ତେଣୁ ମୁଁ ଚାଲି ଯାଉଛି। 

ସେହିଭଳି ନିଜ ଦଳ ଆୱାମୀ ଲିଗ୍‌ର ନେତା ଓ କର୍ମୀଙ୍କୁ ସେ କହିଥା’ନ୍ତେ, ଆୱାମୀ ଲିଗ୍ ସବୁବେଳେ ସଶକ୍ତ ହୋଇ ପ୍ରତ୍ୟାବର୍ତ୍ତନ କରିଛି। ଆପଣମାନେ ଆଶା ଛାଡ଼ନ୍ତୁ ନାହିଁ। ମୁଁ ଖୁବ୍‌ଶୀଘ୍ର ଫେରିବି। ମୁଁ ହାରି ଯାଇଛି, କିନ୍ତୁ ବାଂଲାଦେଶର ଲୋକେ ଜିତିଛନ୍ତି। ସେମାନେ ହେଉଛନ୍ତି ସେହି ଲୋକ ଯେଉଁମାନଙ୍କ ପାଇଁ ମୋ ବାପା ଓ ମୋ ପରିବାର ଲୋକେ ମରିଥିଲେ। 

ଏହା ସହିତ ବିକ୍ଷୋଭକାରୀଙ୍କୁ ସେ କେବେ ହେଲେ ରଜାକର ବୋଲି କହି ନଥିବା ସ୍ପଷ୍ଟ କରିଥା’ନ୍ତେ। ବିକ୍ଷୋଭକାରୀଙ୍କୁ ଉସକାଇବା ପାଇଁ ସେ କହିଥିବା ଶବ୍ଦଗୁଡ଼ିକୁ ବିକୃତ କରାଯାଇଥିଲା ବୋଲି ହସିନା କହିବା ସହିତ ଉକ୍ତ ଭିଡିଓକୁ ପୂରା ଦେଖିବାକୁ ବିକ୍ଷୋଭକାରୀ ତଥା ଦେଶବାସୀଙ୍କୁ ଅନୁରୋଧ କରିଥା’ନ୍ତେ। 

ସୂଚନାଯୋଗ୍ୟ, ୩ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ବିଶିଷ୍ଟ ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡ ବଙ୍ଗୋପସାଗରର ଉତ୍ତରପୂର୍ବରେ ଅବସ୍ଥିତ। ଏହା ବାଂଲାଦେଶର ପୂରା ଦକ୍ଷିଣରେ ଅବସ୍ଥିତ। ଆମେରିକା ଏଠାରେ ତା’ର ନୌସେନା ବେସ୍ କରିବା ପାଇଁ ଚାହୁଁଥିବା କୁହାଯାଏ ଓ ଏହି ବିବାଦ ବହୁ ପୁରୁଣା ମଧ୍ୟ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe