Advertisment

ଗାଜା ସ୍ଥିତି ଭୟଙ୍କର: ଇସ୍ରାଏଲର ଘନଘନ ଆକ୍ରମଣରେ ୧୨୦ ମୃତ

ହମାସକୁ ମୂଳପୋଛ କରିବା ପାଇଁ ଗାଜାରେ ଇସ୍ରାଏଲ ଆକ୍ରମଣ କରୁଛି। ହେଲେ ଏଥିରେ ସାଧାରଣ ପାଲେଷ୍ଟାଇନ ନାଗରିକଙ୍କ ଜୀବନ ଯାଉଛି।

author-image
Hemant Lenka
Gaza

Gaza

ଗାଜାରେ ଇସ୍ରାଏଲ ପକ୍ଷରୁ ଘନଘନ ଆକ୍ରମଣ ଜାରି ରହିଛି। ଗତ ଦୁଇଟି ରାତିରେ ଇସ୍ରାଏଲ ସେନା କରିଥିବା ଆକ୍ରମଣରେ ୧୨୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ସେନା ପ୍ରଥମେ ବୁଧବାର ରାତିରେ ଉତ୍ତର ଓ ଦକ୍ଷିଣ ଗାଜାରେ ବୋମା ମାଡ଼ କରିଥିଲା। ଏଥିରେ ପ୍ରାୟ ୭୦ ଜଣଙ୍କ ଜୀବନ ଯାଇଥିଲା। ଗୁରୁବାର ରାତି ପୁଣିଥରେ ଇସ୍ରାଏଲ ପକ୍ଷରୁ ଗାଜାର ଖାନ ୟୁନିସ ସହରରେ ଏୟାର ଷ୍ଟ୍ରାଇକ କରାଯାଇଛି। ଏହି ଏୟାର ଷ୍ଟ୍ରାଇକରେ ୫୪ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଫଳରେ ଦୁଇ ଦିନରେ ମୃତ୍ୟୁସଂଖ୍ୟା ୧୨୦ ପାର କରିଛି।

Advertisment

ହମାସକୁ ମୂଳପୋଛ କରିବା ପାଇଁ ଗାଜାରେ ଇସ୍ରାଏଲ ଆକ୍ରମଣ କରୁଛି। ହେଲେ ଏଥିରେ ସାଧାରଣ ପାଲେଷ୍ଟାଇନ ନାଗରିକଙ୍କ ଜୀବନ ଯାଉଛି। ସେହିପରି ଇସ୍ରାଏଲର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ମାର୍ଚ୍ଚ ୨ରୁ ଗାଜା ସହରରେ କୌଣସି ପ୍ରକାରର ଅନ୍ତର୍ଜାତୀୟ ଜରୁରୀ ସହାୟତା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଇସ୍ରାଏଲ ମାନବୀୟ ସହାୟତାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି।

ଯୁଦ୍ଧ କ୍ଷତିଗ୍ରସ୍ତ ଅଞ୍ଚଳରେ ସାଧାରଣ ମାନବୀୟ ସହାୟତାର ଆବଶ୍ୟକତାକୁ ପୂରଣ କରାଯିବା ଦରକାର ବୋଲି ବିଭିନ୍ନ ମାନବାଧିକାର ସଂଗଠନ ମତ ରଖିଛନ୍ତି। ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଗାଜାରେ ଧ୍ୱଂସଲୀଳା ସୃଷ୍ଟି ହୋଇଥିବା କୁହାଯାଉଥିଲେ ହେଁ ତେଲ ଅଭିଭ ପକ୍ଷରୁ ଏଯାଏ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନି।

Advertisment

ନ୍ୟୁଜ ଏଜେନ୍ସି ଏପିର ରିପୋର୍ଟ ଅନୁସାରେ, ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକର ପରେ ଗତ ୨୪ ଘଣ୍ଟା ମଧ୍ୟରେ ହସ୍ପିଟାଲକୁ ୮୨ଟି ମୃତଦେହ ଅଣା ଯାଇଥିଲା। ଏହା ମଧ୍ୟରେ ଖାନ ୟୁନିସ ସହରରୁ ଆସିଥିବା ୫୪ଟି ମୃତଦେହ ରହିଛି। ଏପରି ସ୍ଥିତି ସେତେବେଳେ ସୃଷ୍ଟି ହୋଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକାଧିକ ମଧ୍ୟପ୍ରାଚ୍ୟ ଦେଶକୁ ଗସ୍ତ କରିଛନ୍ତି।

ସେ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶକୁ ଯାଇଥିଲେ ହେଁ ଇସ୍ରାଏଲ ଗସ୍ତ କରି ନାହାନ୍ତି। କୁହାଯାଉଥିଲା ଯେ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ପରେ ଗାଜାକୁ ଅଟକିଥିବା ମାନବୀୟ ସହାୟତା ପୁନଃ ଚାଲୁ ହେବ। ହେଲେ ସେଭଳି କିଛି ହୋଇନି। ବରଂ ଗାଜା ଉପରେ ଇସ୍ରାଏଲ ତା’ର ଆକ୍ରମଣକୁ ଜୋରଦାର କରିଛି।

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମନି ନେତାନ୍ୟାହୁ କହିଥିଲେ ଯେ ଗାଜାରେ ଦେଶର ସାମରିକ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ। ହମାସ ଆତଙ୍କବାଦୀ ସଂଗଠନକୁ ମାଟିରେ ନ ମିଶାଇବା ଯାଏ ଇସ୍ରାଏଲ ତା’ର ଅପରେସନକୁ ବନ୍ଦ କରିବ ନାହିଁ। ଏବେ ସେହି ଦିଗରେ ଇସ୍ରାଏଲ ସେନା ଆଗେଇ ଚାଲିଛନ୍ତି।

Israel Gaza