Advertisment

ମସଜିଦରେ ବିସ୍ଫୋରଣ ଘଟଣା: ମିଳିଲା ଆତଙ୍କୀର ମୁଣ୍ଡ, ୯୩କୁ ବଢ଼ିଲା ମୃତ୍ୟୁସଂଖ୍ୟା

ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ଆଜି ଆତ୍ମଘାତୀ ହମଲା କରିଥିବା ଆତଙ୍କବାଦୀର ମୁଣ୍ଡ ଘଟଣାସ୍ଥଳରୁ ମିଳିଛି।

author-image
Hemant Lenka
Blast

Blast

ପାକିସ୍ତାନର ପେଶାୱାର ଠାରେ ଥିବା ଗୋଟିଏ ମସଜିଦରେ ସୋମବାର ହୋଇଥିବା ଆତ୍ମଘାତୀ ହମଲାରେ ମୃତ୍ୟୁସଂଖ୍ୟା ୯୩କୁ ବୃଦ୍ଧି ପାଇଛି। ବିସ୍ଫୋରଣ ଯୋଗୁ ମସଜିଦର ଗୋଟିଏ ପାର୍ଶ୍ୱ ଭୁଶୁଡ଼ି ପଡ଼ିଥିଲା। ଉକ୍ତ ଧ୍ୱଂସାବଶେଷ ତଳୁ ଆଜି ବି ଅନେକ ମୃତଦେହ ଉଦ୍ଧାର ହୋଇଛି।

Advertisment

ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ସେହିପରି ୨୨୧ ଜଣ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।

ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ଆଜି ଆତ୍ମଘାତୀ ହମଲା କରିଥିବା ଆତଙ୍କବାଦୀର ମୁଣ୍ଡ ଘଟଣାସ୍ଥଳରୁ ମିଳିଛି। ଆତଙ୍କୀର ମୁଣ୍ଡ ମିଳିଥିବା ବେଳେ, ତା’ ଶରୀର ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି। ‌ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଜଣେ ଅଧିକାରୀ କହିଛନ୍ତି ଯେ ଆଜି ସକାଳୁ ବିସ୍ଫୋରଣ କରିଥିବା ଆତଙ୍କବାଦୀର କଟା ମୁଣ୍ଡ ମିଳିଛି।

Advertisment

ହେଲେ ତା’ ଶରୀର ମିଳିନାହିଁ। ସମ୍ଭବତଃ ବିସ୍ଫୋରଣ ଯୋଗୁ ତା’ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି। ସେହିପରି ଏଯାଏ ୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୧ ଜଣ ଗୁରୁତର ଆହତ ହୋଇଛନ୍ତି। କାଳେ ଆଉ କେହି ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଯାଇଥିବେ, ସେହି ଆଶଙ୍କାରେ ଭଲ ଭାବେ ସର୍ଚ୍ଚ ଅପରେସନ କରାଯାଉଥିବା ସେ କହିଛନ୍ତି।

ପେଶାୱାରର ପୁଲିସ୍‌ ଲାଇନ୍ସ ଅଞ୍ଚଳରେ ଥିବା ଏହି ମସଜିଦରେ ସୋମବାର ମଧ୍ୟାହ୍ନ ୧.୪୦ରେ ଆତ୍ମଘାତୀ ହମଲା ହୋଇଥିଲା। ଶତାଧିକ ପୁଲିସ କର୍ମୀ, ସେନା ଯବାନ ଓ ଅଧିକାରୀମାନେ ମଧ୍ୟାହ୍ନ ପ୍ରାର୍ଥନା ପାଇଁ ଏକାଠି ହୋଇଥିବା ବେଳେ ଆତଙ୍କବାଦୀ ସଂଗଠନ ଟିଟିପିର ଜଣେ ସଦସ୍ୟ ଆତ୍ମଘାତୀ ହମଲା କରିଥିଲେ। ସୋମବାର ରାତି ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଏହି ସଂଖ୍ୟା ୯୩କୁ ବୃଦ୍ଧି ପାଇଛି।

Pakistan Bomb Blast