/odisha-reporter/media/media_files/2026/02/12/bangladesh-2026-02-12-19-37-08.jpg)
ଶେଖ ହସିନା (ଫାଇଲ ଫଟୋ)
ବାଂଲାଦେଶରେ ୧୩ତମ ଜାତୀୟ ନିର୍ବାଚନ(Bangladesh Election) ପାଇଁ ମତଦାନ ଆଜି ଶେଷ ହୋଇଛି। ଅପରାହ୍ନ ୪.୩୦ରେ ମତଦାନ ଶେଷ ହେବା ପରେ ୨୯୯ ଆସନ ବିଶିଷ୍ଟ ସଂସଦ ପାଇଁ ଗଣତି ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ ଏସବୁ ଭିତରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶର ଜାତୀୟ ନିର୍ବାଚନକୁ ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି।
ସେ ଏହାକୁ ହତ୍ୟାକାରୀ ଫାଶୀବାଦୀ ମହମ୍ମଦ ୟୁନୁସଙ୍କ ଦ୍ୱାରା ଆୟୋଜିତ ଏକ ନକଲି ବା ଲୋକ ଦେଖାଣିଆ ନିର୍ବାଚନ ବୋଲି କହିଛନ୍ତି। ଏଥିସହ ୟୁନୁସଙ୍କ ଇସ୍ତଫା ଦାବି କରିଛନ୍ତି।
ବାଂଲାଦେଶରେ ଭୋଟିଂ ଶେଷ ହେବା ପରେ ହସନା ଗୋଟିଏ ବିବୃତି ଜାରି କରି କହିଛନ୍ତି ଯେ ଏହା ଏକ ଭୋଟରହୀନ, ଅବୈଧ ଓ ଅସାମ୍ବିଧାନିକ ନିର୍ବାଚନ। ନିର୍ବାଚନ ରଦ୍ଦ କରିବା, ୟୁନୁସଙ୍କ ଇସ୍ତଫା, ସମସ୍ତ ମିଛ ମାମଲା ପ୍ରତ୍ୟାହାର କରିବା ଓ ରାଜନୀତିକ ବନ୍ଦୀମାନଙ୍କର ମୁକ୍ତି ପାଇଁ କହିଛନ୍ତି।
ରାଜନୀତିକ ବନ୍ଦୀମାନଙ୍କ ମଧ୍ୟରେ ଶିକ୍ଷକ, ସାମ୍ବାଦିକ, ବୁଦ୍ଧିଜୀବୀ, ବୃତ୍ତିଜୀବୀ ସମେତ ଅନେକ ନିରୀହ ଲୋକ ଥିବା ସେ ସୂଚନା ଦେଇଛନ୍ତି। ଏହାବାଦ ତାଙ୍କ ଦଳ ଆବାମୀ ଲିଗର କାର୍ଯ୍ୟକଳାପ ଉପରେ ୟୁନୁସ ସରକାର ଲଗାଇଥିବା ନିଲମ୍ବନକୁ ମଧ୍ୟ ପ୍ରତ୍ୟାହାର କରିବାକୁ କହିଛନ୍ତି।
ଏକ ନିରପେକ୍ଷ ମଧ୍ୟବର୍ତ୍ତୀକାଳୀନ ସରକାର ଅଧୀନରେ ସ୍ୱାଧୀନ, ନିରପେକ୍ଷ ଓ ସମାବେଶୀ ନିର୍ବାଚନର ବ୍ୟବସ୍ଥା କରି ଜନତାଙ୍କ ଭୋଟିଂ ଅଧିକାରକୁ ପୁନଃସ୍ଥାପନ କରିବା ପାଇଁ ବିବୃତିରେ ଉଲ୍ଲେଖ କରିଛନ୍ତି ହସନା।
ସେ କହିଛନ୍ତି, “ମା'ମାନେ, ଭଉଣୀମାନେ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ସମେତ ସମସ୍ତ ସ୍ତରର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ଯେଉଁମାନେ ୟୁନୁସଙ୍କ ଏହି ଧୋକାବାଜୀ ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେମାନେ ଧନ୍ୟବାଦର ପାତ୍ର। ୟୁନୁସ ଅବୈଧ ଓ ଅସାମ୍ବିଧାନିକ ଉପାୟରେ କ୍ଷମତା ହଡ଼ପ କରିବାକୁ ଚାହୁଁଛନ୍ତି। ଆଜି ୟୁନୁସଙ୍କ ଦ୍ୱାରା ଆୟୋଜିତ ତଥାକଥିତ ନିର୍ବାଚନ ଯୋଜନାବଦ୍ଧ ଷଡ଼ଯନ୍ତ୍ର।
ନିର୍ବାଚନରେ ଜନତାଙ୍କ ଭୋଟ ଅଧିକାର, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସଂବିଧାନର ଆତ୍ମାକୁ ଅଣଦେଖା କରାଯାଇଛି। ଏହା ଆବାମୀ ଲିଗ ଓ ଭୋଟରମାନଙ୍କ ବିନା ଆୟୋଜନ କରାଯାଇଛି। ୧୧ ଫେବୃଆରୀ ସନ୍ଧ୍ୟାରୁ ଭୋଟ କେନ୍ଦ୍ରଗୁଡ଼ିକୁ ଦଖଲ, ଗୁଳିଚାଳନା, ଭୋଟ କିଣିବା ପାଇଁ ବ୍ୟାପକ ଅର୍ଥ ବ୍ୟବହାର, ବାଲଟ ପେପରରେ ମୋହର ମାରିବା ଓ ରେଜଲ୍ଟ ପୁସ୍ତିକାରେ ଏଜେଣ୍ଟଙ୍କ ହସ୍ତାକ୍ଷର ନେବା ଆଦି କରାଯାଇଛି।
୧୨ ଫେବୃଆରୀ ସକାଳଠାରୁ ଦେଶବ୍ୟାପୀ ଅଧିକାଂଶ ଭୋଟ କେନ୍ଦ୍ରରେ ଭୋଟର ସଂଖ୍ୟା ଅତ୍ୟନ୍ତ କମ୍ ଥିଲା। ରାଜଧାନୀ ଓ ଅନ୍ୟ ଅଞ୍ଚଳରେ ଅନେକ କେନ୍ଦ୍ର ସମ୍ପୂର୍ଣ୍ଣ ଭୋଟରଶୂନ୍ୟ ଥିଲା।”
ନିର୍ବାଚନ କମିଶନର ସୂଚନା ସମ୍ପର୍କରେ ହସନା କହିଛନ୍ତି ଯେ ଭୋଟ ଆରମ୍ଭ ହେବାର ସାଢ଼େ ତିନି ଘଣ୍ଟା ମଧ୍ୟରେ (ସକାଳ ୧୧ଟା ପର୍ଯ୍ୟନ୍ତ) ଭୋଟ ପ୍ରତିଶତ ମାତ୍ର ୧୪.୯୬% ଥିଲା। ଏହି କମ୍ ଭାଗିଦାରୀ ପ୍ରମାଣ କରୁଛି ଯେ ଜନତା ଆବାମୀ ଲିଗ ବିନା ଏହି ନିର୍ବାଚନର ବହିଷ୍କାର କରିଛନ୍ତି।
ଆବାମୀ ଲିଗର ଭୋଟର, ସମର୍ଥକ, ଶୁଭଚିନ୍ତକ ଓ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଜୋରଜବରଦସ୍ତ ଭୋଟ କେନ୍ଦ୍ରକୁ ନେବାର ଚେଷ୍ଟା କରାଯାଇ ସେମାନଙ୍କ ଉପରେ ଆକ୍ରମଣ କରାଯାଇଛି। ସେମାନଙ୍କୁ ଗିରଫଦାରୀ, ଧମକ ଓ ଭୟର ପରିବେଶକୁ ସାମ୍ନା କରିବାକୁ ବାଧ୍ୟ କରାଯାଇଛି। ତଥାପି ସେମାନେ ନିର୍ବାଚନକୁ ବହିଷ୍କାର କରିଥିବା ହସିନା ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
