/odisha-reporter/media/media_files/2025/11/17/hasina1-2025-11-17-16-35-32.jpg)
ଶେଖ ହସିନା
ବିକ୍ଷୋଭ ଯୋଗୁ ଦେଶ ଛାଡ଼ି ଦେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା(Sheikh Hasina)ଙ୍କୁ ଢାକାର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାନବିକତା ବିରୋଧୀ ଅପରାଧ ପାଇଁ ତାଙ୍କୁ ଏପରି କଠୋର ଦଣ୍ଡ ମିଳିଛି।
ଗତବର୍ଷ ଦେଶରେ ହୋଇଥିବା ଭୟଙ୍କର ବିକ୍ଷୋଭକୁ ଦମନ କରିବାକୁ ହସିନା ନିର୍ଦ୍ଦେଶ ଦେଇଥିଲେ। ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ଘଟଣରେ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ରାୟ ପରେ ଭାରତରେ ରାଜନୀତିକ ଆଶ୍ରୟ ନେଇଥିବା ହସିନା ନିଜର ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି ଯେ ଏହି ରାୟ ନିର୍ବାଚିତ ହୋଇ ନଥିବା ସରକାରରେ ଥିବା ଚରମପନ୍ଥୀ ଲୋକଙ୍କ ନିର୍ଲଜ ଓ ଜୀବନ ନେବା ଆଭିମୁଖ୍ୟକୁ ଉଜାଗର କରିଛି। ହସିନା ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ କୋର୍ଟ ତାଙ୍କ ଦଳ ଆବାମୀ ଲିଗକୁ କିମ୍ବା ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେବା ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି।
ରାୟ ଦେଇଥିବା ଟ୍ରିବ୍ୟୁନାଲ ଓ ଏହାର ସଦସ୍ୟମାନେ ନିରପେକ୍ଷ ନୁହନ୍ତି। ବିଚାରପତି ଓ ଆଇନଜୀବୀମାନେ ଖୋଲାଖୋଲି ଭାବେ ବର୍ତ୍ତମାନର ପ୍ରଶାସନ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ମଧ୍ୟ ହସିନା ନିଜ ବୟାନରେ କହିଛନ୍ତି।
ସେ ଗୋଟିଏ ବିବୃତିରେ କହିଛନ୍ତି ଯେ “ଆଇସିଟିରେ ମୋ ବିରୋଧରେ କରାଯାଇଥିବା ସମସ୍ତ ଅଭିଯୋଗକୁ ମୁଁ ବିଧିବଦ୍ଧ ଭାବେ ଖଣ୍ଡନ କରୁଛି। ଗତବର୍ଷ ଜୁଲାଇ ଓ ଅଗଷ୍ଟରେ ହୋଇଥିବା ମୃତ୍ୟୁରେ ମୁଁ ଶୋକ ପ୍ରକାଶ କରୁଛି। କିନ୍ତୁ ମୁଁ କିମ୍ବା ଅନ୍ୟ କୌଣସି ରାଜନୀତିକ ନେତା ବିକ୍ଷୋଭକାରୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦେଇ ନଥିଲେ।
ମୋତେ ନିଜର ପକ୍ଷ ରଖିବାକୁ କୌର୍ଟରେ ସୁଯୋଗ ମିଳିନାହିଁ। ମୋ ଅନୁପସ୍ଥିତରେ ମୋ ପସନ୍ଦର ଆଇନଜୀବୀମାନଙ୍କୁ ପକ୍ଷ ରଖିବାକୁ ଦିଆଗଲା ନାହିଁ। ଆଇସିଟିରେ ନାଁ ଅନୁସାରେ କିଛି ବି ଅନ୍ତର୍ଜାତୀୟ ନାହିଁ। ଏହା ନିରପେକ୍ଷ ମଧ୍ୟ ନୁହେଁ।
ପୂର୍ବରୁ ଘଟଣାରେ ଅନୁକମ୍ପା ଦେଖାଇଥିବା ସମସ୍ତ ବରିଷ୍ଠ ବିଚାରପତି ଓ ବରିଷ୍ଠ ଆଇନଜୀବୀଙ୍କୁ ହଟାଇ ଦିଆଯାଇଛି କିମ୍ବା ସେମାନଙ୍କୁ ଧମକ ଦେଇ ଚୁପ କରି ଦିଆଯାଇଛି। ଆଇସିଟି ନିର୍ଦ୍ଦିଷ୍ଟ ଭାବେ ଆବାମୀ ଲିଗ୍ ସଦସ୍ୟଙ୍କୁ ଦଣ୍ଡ ଦେଇଛି। ଅନ୍ୟ ଦଳର ଲୋକମାନେ ଧାର୍ମିକ ସଂଖ୍ୟାଲଘୁ ଓ ଅନ୍ୟମାନଙ୍କ ବିରୋଧରେ ହିଂସା ଘଟାଇଥିଲେ ହେଁ ସେମାନଙ୍କ ବିରୋଧରେ ଶୁଣାଣି ହୋଇନାହିଁ।
ଡକ୍ଟର ମହମ୍ମଦ ୟୁନିସଙ୍କ ଅରାଜକତା, ହିଂସାତ୍ମକ ଓ ସାମାଜିକ ବିରୋଧୀ ପ୍ରଶାସନ ତଳେ ଥିବା ଲକ୍ଷାଧିକ ବାଂଲାଦେଶୀ(Bangladesh)ଙ୍କୁ ମୁର୍ଖ ବନାଯାଇ ପାରିବ ନାହିଁ। ତଥାକଥିତ ଆଇସିଟିର ବିଚାରକୁ ସେମାନେ ଭଲ ଭାବେ ଦେଖିଛନ୍ତି।
ନ୍ୟାୟ ଦେବା ଏହାର ଉଦ୍ଦେଶ୍ୟ ନଥିଲା। ଆବାମୀ ଲିଗକୁ ବଳିର ବୋଦା ବନାଇବା ହିଁ ସେମାନଙ୍କ ଉଦ୍ଦେଶ୍ୟ। ଏସବୁ ଅନ୍ତର୍ଜାତୀୟ ଗଣମାଧ୍ୟମ, ଏନଜିଓ ଓ ନିରପେକ୍ଷ ସଂସ୍ଥାଗୁଡ଼ିକ ଉଲ୍ଲେଖ କରିଛନ୍ତି। ଜଣେ ହେଲେ ବି ବାଂଲାଦେଶ ନାଗରିକ(ୟୁନୁସ) ତାଙ୍କୁ ଭୋଟ ଦେବେ ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
