Advertisment

୨୦ ବର୍ଷ ଧରି କୋମାରେ ରହିବା ପରେ ଆଖି ବୁଜିଲେ ‘ସ୍ଲିପିଂ ପ୍ରିନ୍ସ’

ତାଙ୍କୁ ସୁସ୍ଥ କରିବା ପାଇଁ ଆମେରିକା ଓ ସ୍ପେନରୁ ବହୁ ବଡ଼ ବଡ଼ ଡାକ୍ତର ପ୍ରୟାସ କରିଥିଲେ। କିନ୍ତୁ ସେ ଆଉ ଭଲ ହୋଇ ନଥିଲେ। ସେମିତି କୋମାରେ ରହିଥିଲେ।

author-image
Jitendra Garnayak
Al Waleed bin Khaled

Al Waleed bin Khaled

ପ୍ରାୟ ୨୦ ବର୍ଷ ଧରି କୋମାରେ ରହିବା ପରେ ଶନିବାର (ଗତକାଲି) ସାଉଦି ଆରବର ପ୍ରିନ୍ସ ଅଲ୍‌ ୱଲୀଦ ବିନ ଖାଲିଦ ବିନ ତଲାଲ ଅଲ ସଉଦଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା। ସେ ସାଉଦିର ‘ସ୍ଲିପିଂ ପ୍ରିନ୍ସ’ ଭାବେ ଜଣାଶୁଣା ଥିଲେ।

Advertisment

ପ୍ରିନ୍ସ ଅଲ୍‌ ୱଲୀଦ ବିନ ଖାଲିଦ ବିନ ତଲାଲ ଅଲ ସଉଦ ଇଂଲଣ୍ଡରେ ଏକ ମିଲିଟାରୀ କଲେଜରେ ପଢୁଥିଲେ। ୨୦୦୫ ମସିହାରେ ଲଣ୍ଡନରେ ଏକ କାର ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଓ ଇଣ୍ଟରନାଲ ବ୍ଲିଡିଂ ହୋଇଥିଲା। ସେ କୋମାକୁ ଚାଲି ଯାଇଥିଲେ। ସେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା।

ତାଙ୍କୁ ସୁସ୍ଥ କରିବା ପାଇଁ ଆମେରିକା ଓ ସ୍ପେନରୁ ବହୁ ବଡ଼ ବଡ଼ ଡାକ୍ତର ପ୍ରୟାସ କରିଥିଲେ। କିନ୍ତୁ ସେ ଆଉ ଭଲ ହୋଇ ନଥିଲେ। ସେମିତି କୋମାରେ ରହିଥିଲେ।

Advertisment

ଦୁର୍ଘଟଣା ପରେ ତାଙ୍କୁ ଲଣ୍ଡନରୁ ସାଉଦି ଆରବର ରାଜଧାନୀ ରିୟାଧକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ କିଙ୍ଗ୍ ଅବଦୁଲଅଜିତ ମେଡିକାଲ ସିଟିରେ ଲାଇଫ ସପୋର୍ଟରେ ରଖାଯାଇଥିଲା। ପ୍ରାୟ ଦୁଇ ଦଶନ୍ଧି ଧରି ସେ ସେଠାରେ ଡାକ୍ତରଙ୍କ ନିରୀକ୍ଷଣରେ ରହିଥିଲେ।

ପ୍ରିନ୍ସ ଅଲ୍‌ ୱଲୀଦ ବିନ ଖାଲିଦ ବିନ ତଲାଲ ଅଲ ସଉଦଙ୍କୁ ଲାଇଫ ସପୋର୍ଟରେ ନ ରଖିବାକୁ ବିଭିନ୍ନ ସମୟରେ ପ୍ରସ୍ତାବ ଆସିଥିଲା। କିନ୍ତୁ ତାଙ୍କ ବାପା ପ୍ରିନ୍ସ ଖାଲିଦ ବିନ ତଲାଲ ଏହାକୁ ଖୋଲାଖୋଲି ବିରୋଧ କରିଥିଲେ। କାରଣ ତାଙ୍କର ଆଶା ଥିଲା ପୁଅ ସୁସ୍ଥ ହୋଇଯିବେ। କିଛି ଚମତ୍କାର ଘଟିବ ବୋଲି ସେ ଆଶା ରଖିଥିଲେ।

ପ୍ରିନ୍ସ ଅଲ୍‌ ୱଲୀଦ ବିନ ଖାଲିଦ ବିନ ତଲାଲ ଅଲ ସଉଦଙ୍କ ଖୁବ୍ କମ୍ ଭିଡିଓ ସୋଶାଲ ମିଡିଆରେ ଦେଖିବାକୁ ମିଳିଥିଲା। ସେଥିରେ ସେ କ୍ୱିଚିତ୍ ହଲ୍‌ଚଲ୍ ହେଉଥିବା ଦେଖିବାକୁ ମିଳେ। ବେଳେ ବେଳେ କେବଳ ସେ ତାଙ୍କ ଅଙ୍ଗୁଳିଗୁଡ଼ିକୁ ଉପରକୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ତେବେ ତାହା ତାଙ୍କ ପରିବାରର ଆଶାକୁ ଉଜ୍ଜୀବିତ କରି ରଖିଥିଲା। କିନ୍ତୁ ଶେଷରେ ସେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।