ଶ୍ରୀଲଙ୍କା ସ୍ଥିତି ସାଂଘାତିକ
ସାମୁଦ୍ରିକ ଝଡ଼ ଡିଟୱା ଶ୍ରୀଲଙ୍କାରେ ରଚିଛି ତାଣ୍ଡ। ବାତ୍ୟା(Cyclone) ଡିଟୱା ଯୋଗୁ ଲାଗି ରହିଥିବା ଝଡ଼ ବର୍ଷା ଶ୍ରୀଲଙ୍କାର ଉପକୂଳବର୍ତ୍ତୀ ଅଞ୍ଚଳରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି।
ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ସେହିପରି ଅଚାନକ ବନ୍ୟା ଶ୍ରୀଲଙ୍କାବାସୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଆଗକୁ ବାତ୍ୟା ଡିଟୱା ଅଧିକ ଘନୀଭୂତ ହୋଇ ଅତିଭୀଷଣ ବାତ୍ୟା ରୂପ ନେବାର ଆଶଙ୍କା ରହିଛି। ଅତି ଭୀଷଣ ବାତ୍ୟାର ରୂପ ନେଇ ଏହା ଭାରତର ତାମିଲନାଡୁ ଉପକୂଳରେ ନଭେମ୍ବର ୩୦ ବେଳକୁ ସ୍ଥଳ ଭାଗ ଛୁଇଁବାର ଯଥେଷ୍ଟ ଆଶଙ୍କା ରହିଥିବା ଆଇଏମଡି ପୂର୍ବାନୁମାନ କରିଛି। ଏହାର ପ୍ରଭାବ ଏବେ ଠାରୁ ହିଁ ତାମିଲନାଡୁର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ସମୁଦ୍ର ଅଶାନ୍ତ ରହିବା ସହ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି।
ଭାରତକୁ ଡିଟୱା ଆସିବା ପୂର୍ବରୁ ଶ୍ରୀଲଙ୍କାରେ ଜୀବନ ନେବାରେ ନେଇଛି। ବାଦୁଲ୍ଲା ଜିଲ୍ଲାରେ ଭୂସ୍ଖଳନ ହେବାରୁ ୨୧ ଜଣ ପ୍ରାଣ ହରାଇଛନ୍ତି। କାଦୁଅ ମିଶା ପାଣି ଏକାଧିକ ଘର ଓ ରାସ୍ତାକୁ ଭସାଇ ନେଇଛି। ଶ୍ରୀଲଙ୍କା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର(ଡିଏମସି) କହିଛି ଯେ ବାତ୍ୟା ପ୍ରଭାବରେ ଲାଗି ରହିଥିବା ବର୍ଷା ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।
ଏଥିଯୋଗୁ ୪୩,୯୯୧ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍କୁଲ ଘର ଓ ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ୩୦୦ ମିମିରୁ ଅଧିକ ବର୍ଷା ହେବାରୁ ଦେଶର ପୂର୍ବ ଓ କେନ୍ଦ୍ର ଭାଗରେ ବନ୍ୟା ଦେଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୬ ଜଣ ପ୍ରାଣ ହରାଇବା ବେଳେ ୬୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ସ୍ଥିତିକୁ ଦେଖି ଶ୍ରୀଲଙ୍କାରେ ସମସ୍ତ ସରକାରୀ ଅଫିସ ଓ ସ୍କୁଲକୁ ଶୁକ୍ରବାର ଛୁଟି ଘୋଷଣା କରାଯାଇଛି।
ଗୁରୁବାର ଠାରୁ ଶ୍ରୀଲଙ୍କାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ରାତିଠାରୁ ସ୍ଥିତି ଜଟିଳ ହୋଇଛି। ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ବନ୍ୟା ପାଣି ପ୍ରବେଶ କରିଛି। ରାସ୍ତା ଘାଡ଼ ବୁଡ଼ି ଯାଇଥିବା ବେଳେ ଭୂସ୍ଖଳନ ସ୍ଥିତିକୁ ଭୟଙ୍କର କରିଛି। ବଦୁଲ୍ଲା ଓ ନୁୱାରା ଇଲିୟା ଭଳି ଚା’ ଚାଷ ହେଉଥିବା ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାରୁ ୩୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଏହି ଦୁଇଟି ସ୍ଥାନରେ ୨୧ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ମାଟି ତଳକୁ ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଡିଏମସି ପକ୍ଷରୁ କୁହାଯାଇଛି।
ଡିଏମସି କହିଛି ଯେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଥିବା ଜଳ ଭଣ୍ଡାର ଓ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବନ୍ୟା ପାଣି ରାସ୍ତା ଉପରେ ଚାଲୁଥିବାରୁ କିଛି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରୀବାହୀ ଟ୍ରେନ ଚଳାଳକୁ ବନ୍ଦ କରି ଦିଆଯାଇଛି।
ଶ୍ରୀଲଙ୍କା(Srilanka) ସ୍ଥିତି ସମୟ ଗଡ଼ିବା ସହ ଜଟିଳ ହେଉଥିବାରୁ ଭାରତ ସରକାର ସହାୟତାର ହାତ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି। ସେହିପରି ଭାରତ ସରକାରଙ୍କ ପକ୍ଷରୁ ଅପରେସନ ସାଗର ବନ୍ଧୁ ଆରମ୍ଭ କରାଯାଇଛି। ଏହାବାଦ ଆଇଏନଏସ୍ ବିକ୍ରାନ୍ତଙ୍କୁ ମଧ୍ୟ ସହାୟତା କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/28/srilanka-2025-11-28-17-27-30.jpg)