ବାମରୁ ପିଟର ମାଣ୍ଡେଲସନ, କିର ଷ୍ଟାର୍ମର ଓ ମୋର୍ଗାନ୍ ମାକସ୍ୱିନୀ (ଫାଇଲ ଫଟୋ)
ପ୍ରଧାନମନ୍ତ୍ରୀଙ୍କୁ ଭୁଲ୍ ପରାମର୍ଶ ଦେଇଥିବାରୁ ଇସ୍ତଫା ଦେଲେ ମୁଖ୍ୟ ପରାମର୍ଶଦାତା। ଏମିତି ଏକ ନିଆରା ଘଟଣା ବ୍ରିଟେନରେ ଦେଖିବାକୁ ମିଳିଛି। ରାଜନୀତିରେ ନୈତିକତା କେତେ ଆବଶ୍ୟକ ତାହା ପୁଣି ଥରେ ଆଲୋଚନାର ବିଷୟ ହୋଇଛି।
ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚାରେ ଥିବା ଏପଷ୍ଟିନ୍ ଫାଇଲ୍ସରେ ଆମେରିକାରେ ଅବସ୍ଥାପିତ ବ୍ରିଟେନ ରାଷ୍ଟ୍ରଦୂତ ପିଟର ମାଣ୍ଡେଲସନଙ୍କ ଏପଷ୍ଟିନଙ୍କ ସହ ବିବାଦୀୟ ସଂପର୍କ ରହିଥିବା ଜଣାପଡ଼ିବା ପରେ ସେପେଟମ୍ବର ମାସରେ ତାଙ୍କୁ ବରଖାସ୍ତ କରିଥିଲେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର(Keir Starmer)। ପରେ ସେ ହାଉସ ଅଫ୍ ଲର୍ଡସରୁ ସାଂସଦ ପଦରୁ ଇସ୍ତଫା ଦେଇଥିଲେ।
ରବିବାର ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ମାଣ୍ଡେଲସନଙ୍କୁ ଆମେରିକାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେବା ପାଇଁ ପରାମର୍ଶ ଦେଇଥିବା ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ମୁଖ୍ୟ ପରାମର୍ଶଦାତା ତଥା ତାଙ୍କ ଦଳ- ଲେବର ପାର୍ଟିର ପ୍ରଭାବଶାଳୀ ନେତା ମୋର୍ଗାନ୍ ମାକସ୍ବିନୀ (48) ଇସ୍ତଫା ଦେଇଛନ୍ତି।
ଆମେରିକାର କୋଟିପତି ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ ସହ ପିଟର ମାଣ୍ଡେଲସନଙ୍କ ସଂପର୍କ ରହିଥିବା ଜାଣିବା ସତ୍ବେ ମୋର୍ଗାନ୍ ମାକସ୍ବିନୀ କାହିଁକି ତାଙ୍କ ନାଁକୁ ଆମେରିକାର ରାଷ୍ଟ୍ରଦୂତ ଭାବେ ସୁପାରିଶ କରିଥିଲେ, ସେ ନେଇ ବ୍ରିଟେନରେ ଝଡ଼ ସୃଷ୍ଟି ହୋଇଥିଲା।
ଇସ୍ତଫା ଦେବା ପରେ ମାକସ୍ବିନୀ କହିଛନ୍ତି- ‘ପିଟର ମାଣ୍ଡେଲସନଙ୍କୁ ନିଯୁକ୍ତି ଦେବା ଭୁଲ୍ ଥିଲା। ସେ ଆମ ଦଳ (ଲେବର ପାର୍ଟି), ଆମ ଦେଶ ଓ ରାଜନୀତିରେ ବିଶ୍ବାସକୁ ନଷ୍ଟ କରିଦେଇଛନ୍ତି। ମୁଁ ଏଥିପାଇଁ ପୂରା ଦାୟିତ୍ବ ନେଉଛି।’
କିଏ ଏହି ପିଟର ମାଣ୍ଡେଲସନ୍?
ପିଟର ମାଣ୍ଡେଲସନ୍ (72) ବ୍ରିଟେନର ଜଣେ ବିବାଦୀୟ ପୁରୁଣା ରାଜନେତା। ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଗର୍ଡନ ବ୍ରାଉନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କ ସମୟରେ ତାଙ୍କୁ ବ୍ରିଟେନ୍ ତରଫରୁ ଆମେରିକାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦିଆଯାଇଥିଲା। ମାତ୍ର 18 ମାସ ତଳେ କ୍ଷମତାକୁ ଆସିଥିବା କିର୍ ଷ୍ଟାର୍ମରଙ୍କ ପାଇଁ ଅନ୍ୟାନ୍ୟ ସମସ୍ୟା ଭିତରେ ଏବେ ଏପଷ୍ଟିନ୍ ଫାଇଲ୍ସ ଓ ଏଥିରେ ମାଣ୍ଡେଲସନଙ୍କ ସଂପୃକ୍ତି ବଡ଼ ରାଜନୈତିକ ସମସ୍ୟା ସୃଷ୍ଟି କରିଛି।
2003ରେ ପିଟର ମାଣ୍ଡେଲସନ୍ ଜେଫ୍ରି ଏପଷ୍ଟିନଙ୍କୁ ତାଙ୍କର ଜଣେ ଅତ୍ୟନ୍ତ ଭଲ ବନ୍ଧୁ ବୋଲି ଘୋଷଣା କରିଥିଲେ। ବିଶ୍ବ ଆର୍ଥିକ ସଙ୍କଟ ବେଳେ 2009ରେ ମାଣ୍ଡେଲସନ୍ ବ୍ରିଟେନର ମନ୍ତ୍ରୀ ଥାଇ ଆର୍ଥିକ ସଙ୍କଟ ଦୂର ପାଇଁ ୟୁରୋପୀୟାନ ୟୁନିଅନ୍ 500 ବିଲିଅନ୍ ୟୁରୋ ସହାୟତା ଦେଉଛି ବୋଲି ଏପଷ୍ଟିନଙ୍କୁ ଆଗୁଆ ସୂଚନା ଦେଇଥିଲେ। ଏଭଳି ତଥ୍ୟ ଲିକ୍ ସହ ସେ ଏପଷ୍ଟିନଙ୍କଠାରୁ ପ୍ରାୟ 55 ହଜାର ୟୁରୋ ନେଇଥିବା ଜଣାପଡ଼ିଥିଲା।
ଏପଷ୍ଟିନ୍ ଫାଇଲ୍ସ କ’ଣ?
ଆମେିରକାର ଜେଫ୍ରି ଏପଷ୍ଟିନ୍ ଜଣେ କୋଟିପତି ଯୌନ ଅପରାଧୀ। ଆମେରିକାର ମାନହାଟନ୍ ଓ ଅନ୍ୟ ଅଞ୍ଚଳରେ ତାର ହଜାର ହଜାର ଏକର ପ୍ରପର୍ଟି, ରାଞ୍ଚ୍ ବା ଫାର୍ମ ଥିବାବେଳେ ଭିର୍ଜିନ୍ ଦ୍ବୀପରେ ସେ ଏକ ଛୋଟ ଘରୋଇ ଦ୍ବୀପ ତିଆରି କରିଥିଲା। ବିଶ୍ବର ଅନେକ ପ୍ରତିଷ୍ଠିତ ନେତା, ବ୍ୟବସାୟୀ, କଳାକାର, ନୋବେଲ ବିଜେତାଙ୍କ ସହ ସଂପର୍କ ବନାଇବା ସହ ଦ୍ବୀପରେ ଅନେକ ଅଳ୍ପ ବୟସର ଝିଅଙ୍କୁ ରଖି ଯୌନ ଶୋଷଣ କରୁଥିଲା।
ଏହା କ୍ରମଶଃ ପ୍ରଘଟ ହେବା ପରେ 2008ରେ ଏଥିପାଇଁ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଅନ୍ୟାନ୍ୟ ମାମଲାର ବିଚାର ଚାଲିଥିବାବେଳେ 2009ରେ ସେ ଜେଲରେ ଥାଇ 66 ବର୍ଷ ବୟସରେ ଆତ୍ମହତ୍ୟା କରିଥିବା କୁହାଯାଏ।
ତାର ଏଭଳି ଅପରାଧକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଆମେରିକା କଂଗ୍ରେସ (ସଂସଦ) 2025ରେ ଏପଷ୍ଟିନ ଟ୍ରାନସପରେନ୍ସି ଆକ୍ଟ ଆଣିବା ସହ ନ୍ୟାୟ ମନ୍ତ୍ରଣାଳୟକୁ ଏହାକୁ ସାର୍ବଜନୀନ କରିବାକୁ କହିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆଇନରେ ସ୍ବାକ୍ଷର କଲା ପରେ ଜାନୁଆରୀ 30 ତାରିଖରେ ଅଧା ଫାଇଲକୁ ନ୍ୟାୟ ମନ୍ତ୍ରଣାଳୟ ଓ୍ବେବସାଇଟରେ ସାର୍ବଜନୀନ କରିଛି।
ଏପଷ୍ଟିନ୍ ଫାଇଲସରେ ପ୍ରାୟ 60 ଲକ୍ଷ ଫାଇଲ ରହିଥିବାବେଳେ ନ୍ୟାୟ ମନ୍ତ୍ରଣାଳୟ ଏଥିରୁ ଅଧା ଅର୍ଥାତ୍ 30 ଲକ୍ଷ ଫାଇଲ୍ସ ସାର୍ବଜନୀନ କରିଛି। 30 ଲକ୍ଷ ଫାଇଲରେ ରହିଛି 2 ହଜାର ଭିଡିଓ ଓ 1 ଲକ୍ଷ 80 ହଜାର ଚିତ୍ର।
ଆବଶ୍ୟକ ସ୍ଥଳେ ପୀଡ଼ିତା ଛୋଟ ଝିଅଙ୍କ ଫଟୋକୁ ଅସ୍ପଷ୍ଟ କରିଦିଆଯାଇଛି। ଯେଉଁ ନାବାଳିକାଙ୍କ ପରିବାର ନ୍ୟାୟ ପାଇନାହାନ୍ତି, ସେମାନେ ସଂପୂର୍ଣ୍ଣ ଫାଇଲକୁ ସର୍ବସାଧାରଣ କରାଯାଉ ବୋଲି ଦାବି କରୁଛନ୍ତି। ଏପଷ୍ଟିନ୍ ଫାଇଲ୍ସ ଆମେରିକାରେ ଯେତିକି ଚର୍ଚ୍ଚା ସୃଷ୍ଟି କରିନାହିଁ, ତାଠାରୁ ଅଧିକ ବ୍ରିଟେନ୍, ୟୁରୋପରେ ଚର୍ଚ୍ଚା ସୃଷ୍ଟି କରିଛି।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/09/uk-2026-02-09-15-51-19.jpg)