/odisha-reporter/media/media_files/2026/02/23/donald-trump-2026-02-23-13-25-06.jpg)
ଡୋନାଲ୍ଡ ଟ୍ରମ୍ପ
ଆସନ୍ତକାଲି(ମଙ୍ଗଳବାର) ଠାରୁ ବିଶ୍ୱର ବିଭିନ୍ନ ଦେଶ ଠାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ଲଗାଇଥିବା ଟାରିଫ ବା ଶୁଳ୍କକୁ ଆଉ ସଂଗ୍ରହ କରିବ ନାହିଁ ଆମେରିକା। ଦେଶର ସୁପ୍ରିମକୋର୍ଟ ଶୁକ୍ରବାର ରାଷ୍ଟ୍ରପତି ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ପାରସ୍ପରିକ ଟାରିଫକୁ ଅବୈଧ ବା ବେଆଇନ ବୋଲି କହିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ବିଭିନ୍ନ ଦେଶରୁ ଆମେରିକାକୁ ଆସୁଥିବା ଦ୍ରବ୍ୟ ଉପରେ ଟ୍ରମ୍ପ ଲଗାଇଥିବା ଉଚ୍ଚ ଶୁଳ୍କକୁ ଆଉ ସଂଗ୍ରହ ନ କରିବାକୁ ଆମେରିକା ନିଷ୍ପତ୍ତି ନେଇଛି।
ଟ୍ରମ୍ପଙ୍କ ପାରସ୍ପରିକ ଟାରିଫ ନୀତି ଯୋଗୁ ବିଭିନ୍ନ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହ ଆମେରିକାର ସମ୍ପର୍କ ବିଗିଡ଼ିଥିଲା। ସେହିପରି ଏହା ବିଶ୍ୱ ସପ୍ଲାଏ ଚେନକୁ ମଧ୍ୟ ପ୍ରଭାବିତ କରିଥିଲା। ଏଥିଯୋଗୁ ଆମେରିକା ସୁପ୍ରିମକୋର୍ଟ ଗୋଟିଏ ଐତିହାସିକ ରାୟରେ ଟ୍ରମ୍ପଙ୍କ ଟାରିଫ ନୀତିକୁ ବେଆଇନ କହିଥିଲେ।
ଆମେରିକାର ସୀମା ଶୁଳ୍କ ଓ ସୀମା ସୁରକ୍ଷା ବିଭାଗ ଗୋଟିଏ ବିବୃତିରେ କହିଛି ଯେ ୧୯୭୭ର ଅନ୍ତର୍ଜାତୀୟ ଜରୁରିକାଳୀନ ଆର୍ଥିକ ଶକ୍ତି ଅଧିନିୟକ(IEEPA) ଅନୁସାରେ ସଂଗ୍ରହ ହେଉଥିବା ଟାରିଫ ମଙ୍ଗଳବାର ଠାରୁ ବନ୍ଦ ହୋଇଯିବ। ଆମେରିକା ସମୟ ରାତି ୧୨.୧(ଭାରତୀୟ ସମୟ ଦିନ ୧୦.୩୦) ଏହି ନିୟମ ଲାଗୁ ହେବ। ଶୁକ୍ରବାର ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ବେଆଇନ କହିଥିଲେ। ଏହାପରେ ବିଭାଗ ପକ୍ଷରୁ ଏପରି ବିବୃତି ଜାରି କରାଯାଇଛି। ତେବେ ପୂର୍ବରୁ ବିଭିନ୍ନ ରାଷ୍ଟ୍ରଠାରୁ ସଂଗ୍ରହ ହୋଇଥିବା ଟାରିଫକୁ ଆମେରିକା ଫେରସ୍ତ କରିବ କି ନାହିଁ, ସେକଥା ବିଭାଗ ସ୍ପଷ୍ଟ କରିନି।
ବିଭାଗର କହିବା କଥା ଯେ IEEPA ଅଧୀନରେ ସଂଗ୍ରହ ହେଉଥିବା ଟାରିଫକୁ ହିଁ ନିଲମ୍ବିତ କରାଯାଉଛି। ଟ୍ରମ୍ପ ଯୁଗର ଅନ୍ୟ ଟାରିଫ ନିୟମ ପୂର୍ବଭଳି ବଳବତ୍ତର ରହିଛି। ଏହା ମଧ୍ୟରେ ଜାତୀୟ ସୁରକ୍ଷା କ୍ଷମତାର ଧାରା ୨୩୨ ଓ ଅନୁଚିତ ବ୍ୟାପାର ପାଇଁ ଲାଗୁ ହେଉଥିବା ଟାରିଫ ରହିଛି। ଆମେରିକାର ସୀମା ଶୁଳ୍କ ଓ ସୀମା ସୁରକ୍ଷା ବିଭାଗ ବାଣିଜ୍ୟ କାରବାର କରୁଥିବା ଲୋକଙ୍କୁ ସିଏସଏମଏସ ଜରିଆରେ ସବୁ ପ୍ରକାରର ସହାୟତା କରିବ।
ସୁପ୍ରିମକୋର୍ଟ ଯୋଗୁ ରାଗି ଯାଇଥିବା ଟ୍ରମ୍ପ ଶନିବାର ଆଉ ଏକ ପ୍ରଦକ୍ଷେପ ଗ୍ରହଣ କରିଥିଲେ। ସେ ଗୋଟିଏ ନିର୍ଦ୍ଦେଶନାମାରେ ଦସ୍ତଖତ କରି ସବୁ ଦେଶ ଉପରେ ବାଧ୍ୟତାମୂଳକ ଭାବେ ୧୦% ଟାରିଫ ଲଗାଇଥିଲେ। ଏହା ମଧ୍ୟରେ ଭାରତ ମଧ୍ୟ ରହିଛି। ଅର୍ଥାତ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ଦ୍ରବ୍ୟ ଗୁଡ଼ିକ ଉପରେ ୧୦% ଟାରିଫ ଲାଗୁ ହେବ ବୋଲି କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଟ୍ରମ୍ପ ଏହି ଶୁଳ୍କର ପରିମାଣକୁ ଆଉ ୫% ବଢ଼ାଇ ୧୫% କରି ଦେଇଛନ୍ତି।
ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପୂର୍ବରୁ କେବେ ବ୍ୟବହାର ହୋଇ ନଥିବା ଧାରା ୧୨୨କୁ ମଧ୍ୟ ସେ ବ୍ୟବହାର କରିଛନ୍ତି। ଏହି ଧାରାର ବ୍ୟବସ୍ଥା ଅନୁସାରେ ଆମେରିକାର ଯେକୌଣସି ରାଷ୍ଟ୍ରପତି ୧୫୦ ଦିନ ଯାଏ ବିଶ୍ୱର ସମସ୍ତ ରାଷ୍ଟ୍ର ଉପରେ ୧୫% ଯାଏ ଟାରିଫ ଲାଗୁ କରିପାରିବେ। ଏହାପରେ ଏହି ନିଷ୍ପତ୍ତିକୁ ଆମେରିକା ସଂସଦ ବା କଂଗ୍ରେସର ଅନୁମତି ଆବଶ୍ୟକ ପଡ଼ିବ।
ଯଦି ସଂସଦ ଅନୁମତି ଦେଲା, ତା’ହେଲେ ରାଷ୍ଟ୍ରପତି ନେଇଥିବା ଟାରିଫ ବ୍ୟବସ୍ଥା ବଳବତ୍ତର ରହିବ। ଟ୍ରମ୍ପ ସେହି ଅନୁସାରେ ୧୫% ଟାରିଫ ଲଗାଇଛନ୍ତି। ଏହି ନିର୍ଦ୍ଦେଶ ଫେବୃଆରୀ ୨୪ରୁ କାର୍ଯ୍ୟକାରୀ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
