Advertisment

ରୁଷ ଶରଣରେ ସିରିଆ ରାଷ୍ଟ୍ରପତି, କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ରାଷ୍ଟ୍ରପତିଙ୍କ ପଳାୟନ ପରେ ରାଜଧାନୀ ଡାମାସକସକୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ସେନା। ବିଦ୍ରୋହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

author-image
Madhupriya Mistry
Syria President

Syria President

ସିରିଆରେ ରାଷ୍ଟ୍ରପତି ବସର-ଅଲ-ଅସଦଙ୍କ ୨୪ ବର୍ଷର ଏକଛତ୍ରବାଦ ଶାସନର ଅନ୍ତ ଘଟିଛି। ଭୟଙ୍କର ଗୃହଯୁଦ୍ଧରେ ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା ବିତାଡ଼ିତ ହେବା ପରେ ଦେଶଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ବସର ଅଲ ଅସଦ। ସେ ପରିବାର ସହ ରୁଷରେ ଆଶ୍ରୟ ନେଇଛନ୍ତି।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ମସ୍କୋର ସହାୟତାରେ ଲୁଚିଛନ୍ତି ଅସଦ୍। ନିଜ ପରିବାର ସହ ତାଙ୍କୁ ରୁଷ ସୁରକ୍ଷିତ ସ୍ଥାନରେ ରଖିଛି। ଏଭଳି ଖବର ଆସିବା ପରେ ଏବେ ରୁଷକୁ କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ ଅସଦଙ୍କୁ ସହାୟତା କରିବାରୁ ଦୂରେଇ ରହୁ। ନଚେତ ୟୁକ୍ରେନ୍ ସହ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ ବୋଲି କଡ଼ା ଚେତାବନୀ ଦେଇଛନ୍ତି।

ଏପଟେ ଦେଶରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତରୀକରଣ ହେଉ ବୋଲି ରୁଷିଆ କହିଛି। ସିରିଆ ପ୍ରସଙ୍ଗରେ ଜାତିସଂଘରେ ଆଲୋଚନା ପାଇଁ ମଧ୍ୟ ପ୍ରସ୍ତାବ ରଖିଛି ରୁଷ୍।

Advertisment

ରାଷ୍ଟ୍ରପତିଙ୍କ ପଳାୟନ ପରେ ରାଜଧାନୀ ଡାମାସକସକୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ସେନା। ଅସଦ ସରକାର ବିରୋଧରେ ମୁଖ୍ୟ ବିଦ୍ରୋହୀ ଗୋଷ୍ଠୀ ବିଜୟ ଘୋଷଣା କରିବା ପରେ ଏହାର ମୁଖ୍ୟ ଅବୁ ଅହମ୍ମଦ ଅଲ ଜୁଲାନି ରାଜଧାନୀ ଡାମାସକସରରେ ପହଞ୍ଚିଛନ୍ତି।

ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି। ବିଦ୍ରୋହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଫଗାନିସ୍ତାନ, ବାଙ୍ଗଲାଦେଶ ପରେ ସିରିଆରେ ଶାସକଙ୍କ ଗାଦିତ୍ୟୁତ ହୋଇଛି। ଘଟଣା ଉପରେ ସାରା ବିଶ୍ୱର ନଜର ରହିଥିଲା ବେଳେ ବ୍ରିଟେନ, ଫ୍ରାନ୍ସ, ୟୁକ୍ରେନ, ଇସ୍ରାଏଲ ସ୍ୱାଗତ ଜଣାଇଛନ୍ତି। ଅନ୍ୟପଟେ ଲେବାନନରେ ଥିବା ସିରିଆର ଶରଣାର୍ଥୀମାନେ ଉତ୍ସବ ମନାଇଛନ୍ତି।

ସିରିଆରେ ଆଜିକୁ ଦୀର୍ଘ ୧୪ ବର୍ଷ ଧରି ଗୃହ ଯୁଦ୍ଧ ଲାଗି ରହିଥିବା ବେଳେ ଏଥିପାଇଁ ଦେଶର ବହୁ ନାଗରିକ ଅନ୍ୟ ଦେଶରେ ଶରଣାର୍ଥୀ ଭାବେ ଜୀବନ ବିତାଉଥିଲେ। ଏହି ବିଜୟକୁ ଲୋକଙ୍କ ବିଜୟ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସିରିଆର ବିକାଶ ପାଇଁ ଆମେରିକା ସହଯୋଗର ହାତ ବଢ଼ାଇବ ବୋଲି କହିଛନ୍ତି।

ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମିଡିଲ-ଇଷ୍ଟ ପାଇଁ ଏହା ଐତିହାସିକ ଦିନ ବୋଲି କହିଛନ୍ତି। ଅସଦଙ୍କ ସମର୍ଥକ ହିଜୁବୁଲ ଓ ଇରାନ ବିରୋଧରେ ଇସ୍ରାଏଲର ଆକ୍ସନର ଏହା ପ୍ରତିଫଳନ ବୋଲି ସେ କହିଛନ୍ତି। ଅନ୍ୟପଟେ ସଂକଟ ମଧ୍ୟରେ ସବୁ ଭାରତୀୟ ସୁରକ୍ଷିତ ଥିବା କହିଛି ଭାରତୀୟ ଦୂତାବାସ।

Donald Trump Russia Syria Crisis Bashar Al-Assad