ବନ୍ଧୁକ ମୁନରେ ୨୦୨୧ ମସିହା ଅଗଷ୍ଟ ମାସରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଆଉ ଏକ ନିଷ୍ଠୁର କାର୍ଯ୍ୟ ସାମ୍ନାକୁ ଆସିଛି। ପ୍ରଥମେ ମହିଳାମାନଙ୍କୁ ନିଜ ଘରର ଚାରି କାନ୍ଥ ମଧ୍ୟରେ ବନ୍ଦୀ କରି ଦେଇଥିବା ତାଲିବାନ ଏବେ କ୍ଲିନ୍ ସେଭ୍ ହୋଇ କାମ କରୁଥିବା ସୁରକ୍ଷାକର୍ମୀଙ୍କ ବିରୋଧରେ ନେଇଛି କାର୍ଯ୍ୟାନୁଷ୍ଠାନ।
ଦାଢ଼ି ନ ବଢ଼ାଇବାରୁ ତାଲିବାନର ପାପ-ପୁଣ୍ୟ ମନ୍ତ୍ରଣାଳୟ ୨୮୧ ଜଣ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବିଦା କରି ଦେଇଛି। ଏମାନେ ବିନା ଦାଢ଼ିରେ କାର୍ଯ୍ୟ କରୁଥିଲେ। ଦାଢ଼ି ନ ରଖିବା ଇସଲାମ ବିରୋଧୀ ବୋଲି ତାଲିବାନ ବିବେଚନା କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ମଙ୍ଗଳବାର ତାଲିବାନ ସରକାରଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ସେହିପରି ଇସଲାମ ବିରୋଧୀ ବା ଅନୈତିକ କାର୍ଯ୍ୟ କରିବା ଅଭିଯୋଗରେ ତାଲିବାନ ସରକାର ୧୩ ହଜାରରୁ ଅଧିକ ଆଫଗାନୀଙ୍କୁ ଗୋଟିଏ ବର୍ଷ ମଧ୍ୟରେ ଅଟକ ରଖିଥିଲେ।
ତେବେ ଅଟକ ଥିବା ପ୍ରାୟ ଅର୍ଦ୍ଧେକଙ୍କୁ ୨୪ ଘଣ୍ଟା ମଧ୍ୟରେ ମୁକ୍ତ କରାଯାଇଥିଲା ବୋଲି ତାଲିବାନ ସରକାର ଏହାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କିନ୍ତୁ ଅଟକ ଥିବା ଲୋକଙ୍କ ମଧ୍ୟରେ କେତେ ପୁରୁଷ ଓ କେତେ ମହିଳା କିମ୍ବା ସେମାନଙ୍କ ଅପରାଧ ସମ୍ପର୍କରେ ମନ୍ତ୍ରଣାଳୟ ସୂଚନା ଦେଇ ନାହିଁ।
ମନ୍ତ୍ରଣାଳୟର ଯୋଜନା ଓ ଆଇନ ନିର୍ଦ୍ଦେଶକ ମୋହିବୁଲ୍ଲା ମୋଖଲିସ୍ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ବର୍ଷକ ମଧ୍ୟରେ ପ୍ରଶାସନ ୨୧,୩୨୮ଟି ବାଦ୍ୟଯନ୍ତ୍ର ନଷ୍ଟ କରାଯାଇଛି। ସେହିପରି ହଜାର ହଜାର କମ୍ପ୍ୟୁଟର ଅପରେଟରଙ୍କ ଅନୈତିକ ଫିଲ୍ମ ବିକ୍ରି ଉପରେ ରୋକ ଲଗାଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।