Advertisment

Donald Trump: ଚାଇନା, ରୁଷ ଓ ଇରାନକୁ ବିଦା କର: ଭେନେଜୁଏଲାକୁ ‘ନୂଆ ତୈଳ ଚେତାବନୀ’ ଦେଲା ଟ୍ରମ୍ପଙ୍କ ଟିମ୍‌

ଭେନେଜୁଏଲାର ନୂଆ ଶାସକ ତୁରନ୍ତ ଚାଇନା, ରୁଷ, ଇରାନ ଓ କ୍ୟୁବାକୁ ନିଜ ଦେଶକୁ ବିଦା କରନ୍ତୁ। ସେମାନଙ୍କ ସହ ସବୁ ପ୍ରକାରର ଅର୍ଥନୀତିକ କାରବାର ବନ୍ଦ କରନ୍ତୁ। ଏହାପରେ ରୋଡ୍ରିଗୁଏଜଙ୍କ ଭେନେଜୁଏଲାଙ୍କୁ ଅଧିକ ତୈଳ ଉତ୍ପାଦନ କରିବାକୁ ଅନୁମତି ମିଳିବ ବୋଲି ଟ୍ରମ୍ପଙ୍କ ଟିମ ଚେତାଇ ଦେଇଛି।

author-image
Hemant Lenka
Trump-1

ଡୋନାଲ୍ଡ ଟ୍ରମ୍ପ

ଭେନେଜୁଏଲାରେ ସାମରିକ କାର୍ଯ୍ୟକାନୁଷ୍ଠାନ ଗ୍ରହଣ କରିଥିବା ଆମେରିକା ଏବେ ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗୁଏଜଙ୍କୁ ଖୋଲା ଚେତାବନୀ ଦେଇଛି। ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆମେରିକା ସେନା ଭେନେଜୁଏଲାର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ନିକୋଲସ ମାଦୁରୋଙ୍କୁ ଉଠାଇ ନେଇଛି। ଏହାପରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛି ରୋଡ୍ରିଗୁଏଜ। ଏବେ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଦିଆଯାଇଛି ନୂଆ ତୈଳ ଚେତାବନୀ। 

Advertisment

ଭେନେଜୁଏଲାର ନୂଆ ଶାସକ ତୁରନ୍ତ ଚାଇନା, ରୁଷ, ଇରାନ ଓ କ୍ୟୁବାକୁ ନିଜ ଦେଶକୁ ବିଦା କରନ୍ତୁ। ସେମାନଙ୍କ ସହ ସବୁ ପ୍ରକାରର ଅର୍ଥନୀତିକ କାରବାର ବନ୍ଦ କରନ୍ତୁ। ଏହାପରେ ରୋଡ୍ରିଗୁଏଜଙ୍କ ଭେନେଜୁଏଲାଙ୍କୁ ଅଧିକ ତୈଳ ଉତ୍ପାଦନ କରିବାକୁ ଅନୁମତି ମିଳିବ ବୋଲି ଟ୍ରମ୍ପଙ୍କ ଟିମ ଚେତାଇ ଦେଇଛି। ଏଥିସହ ତୈଳ ଉତ୍ପାଦନ କ୍ଷେତ୍ରରେ ଭେନେଜୁଏଲା କେବଳ ଆମେରିକାର ପାର୍ଟନର ଭାବେ କାର୍ଯ୍ୟ କରୁ ଓ ବିପୁଳ ପରିମାଣର ଅଶୋଧିତ ତୈଳ ବିକ୍ରି ବେଳେ କେବଳ ଆମେରିକା ପ୍ରତି ଅନୁକମ୍ପା ଦେଖାଉ ବୋଲି ମଧ୍ୟ ଟ୍ରମ୍ପ ପ୍ରଶାସନ ଚାହୁଁଥିବା ରିପୋର୍ଟ ପ୍ରକାଶ ପାଇଛି। 

ଗତ ସପ୍ତାହରେ ଆମେରିକାର ସାମରିକ ଆକ୍ରମଣ ପରେ ଭେନେଜୁଏଲାରେ ରାଜନୀତିକ ଅସ୍ଥିରତା ଦେଖା ଯାଇଛି। ମାଦୁରୋଙ୍କୁ ଆମେରିକା ପଣବନ୍ଦୀ କରି ନ୍ୟୁୟର୍କ ନେଇ ଯାଇଥିବାରୁ ରୋଡ୍ରିଗୁଏଜ ଅନ୍ତରୀଣ ରାଷ୍ଟ୍ରପତି ହୋଇଛନ୍ତି। ହେଲେ ମାଦୁରୋଙ୍କୁ ପଣବନ୍ଦୀ କରି ନେଇଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଘଟଣା ପରଠାରୁ ଭେନେଜୁଏଲା ତାଙ୍କ ନିୟନ୍ତ୍ରଣ ଥିବା କହୁଛନ୍ତି। ଏବେ ତାଙ୍କ ଟିମ ଭେନେଜୁଏଲା କେମିତି ତୈଳ ଉତ୍ପାଦନ କରିବ ଓ ଏହାକୁ ବିକ୍ରି କରିବ, ତା’ର ନିଷ୍ପତ୍ତି ଆମେରିକା ନେବ ବୋଲି କହିଛି। 

Advertisment

ଏବିସିରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ସର୍ତ୍ତରେ ଭେନେଜୁଏଲାର ନୂଆ ନେତୃବୃନ୍ଦ ରାଜି ହେଲେ ହିଁ ସେମାନେ ନିଜର ତୈଳ ଭଣ୍ଡାରରୁ ଅଧିକ ତୈଳ ବାହାର କରିବାର ଅନୁମତି ପାଇବେ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ ଭାବେ କହିଛି। ଟ୍ରମ୍ପ ପ୍ରଶାସନ ରଖିଥିବା ପ୍ରଥମ ସର୍ତ୍ତ ହେଲା- ଭେନେଜୁଏଲା ଯେମିତି ହେଲେ ବି ଚାଇନା, ରୁଷ, ଇରାନ ଓ କ୍ୟୁବାକୁ ନିଜ ଦେଶରୁ ବିଦା କରିବ ଏବଂ ସେମାନଙ୍କ ସହ ସବୁ ପ୍ରକାରର ଆର୍ଥିକ ସମ୍ପର୍କଚ୍ଛିନ୍ନ କରିବ।

ଦ୍ୱିତୀୟ ସର୍ତ୍ତ ହେଲା- ତୈଳ ଉତ୍ପାଦନ କ୍ଷେତ୍ରରେ ଭେନେଜୁଏଲା କେବଳ ଆମେରିକାର ପାର୍ଟନର ହେବାକୁ ରାଜି ହେବ ଓ ବିପୁଳ ପରିମାଣର ଅଶୋଧିତ ତୈଳ ବିକ୍ରି କରିବା ବେଳେ ପ୍ରଥମେ ଆମେରିକା ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବ। 

ଚାଇନା ଦୀର୍ଘ ସମୟ ଧରି ଭେନେଜୁଏଲା ସହ ମିଳିତ ଭାବେ କାମ କରୁଥିବା ବେଳେ ଦେଶ ଠାରୁ ସବୁଠାରୁ ଅଧିକ ତୈଳ କିଣୁଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ଓ ଟ୍ରମ୍ପ ପ୍ରଶାସନ(Donald Trump) ଭେନେଜୁଏଲା ଆଗରେ ଏମିତି ସର୍ତ୍ତ ଉପସ୍ଥାପନ କରିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସାଂସଦମାନଙ୍କୁ ଗୋଟିଏ ଗୋପନୀୟ ବୈଠକରେ କହିଛନ୍ତି ଯେ ୱାଶିଂଟନ ନିଶ୍ଚିତ ଭାବେ ତୈଳ ପ୍ରସଙ୍ଗରେ ଭେନେଜୁଏଲା ଉପରେ ଚାପ ପକାଇବାକୁ ସକ୍ଷମ ହେବ। କାରଣ ଭେନେଜୁଏଲା ପାଖରେ ଥିବା ସମସ୍ତ ତୈଳ ଟ୍ୟାଙ୍କର ଏବେ ଭର୍ତ୍ତି ହୋଇ ରହିଛି।  

ବ୍ଲୁମବର୍ଗରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଭେନେଜୁଏଲା ଡିସେମ୍ବର ଶେଷ ଭାଗରେ ନିଜର ତୈଳ କୁଣ୍ଢ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା। ଏହା ପଛରେ ଥିଲା ଆମେରିକାର କଟକଣା।

ଆମେରିକାର କଟକଣା ଯୋଗୁ ଉତ୍ପାଦନ ହେଉଥିବା ତୈଳକୁ ଗଚ୍ଛିତ କରି ରଖିବାକୁ ଭେନେଜୁଏଲା ପାଖରେ ଭଣ୍ଡାରର ଅଭାବ ଦେଖା ଯାଇଥିଲା। ଆଗକୁ ଅଧିକ ତୈଳ କୁଣ୍ଢ ବନ୍ଦ ହେଲେ ଏହାର ପ୍ରଭାବ ଭେଜେଜୁଏଲାର ଆର୍ଥିକ ସ୍ଥିତି ଉପରେ ପଡ଼ିବ। 

ସେହିପରି ରୋଡ୍ରିଗୁଏଜ ଶାସନ ଗାଦିରେ ବସି ରହିବା ମଧ୍ୟ ଅସମ୍ଭବ ହୋଇଯିବ। ଯଦି ଆଗାମୀ କିଛି ସପ୍ତାହ ମଧ୍ୟରେ ଭେନେଜୁଏଲାର ନିଜର ତୈଳକୁ ବିକ୍ରି କରିବାକୁ ସକ୍ଷମ ନ ହେବ, ତା’ହେଲେ ଦେଶ ଆର୍ଥିକ ଦେବାଳିଆର ସମ୍ମୁଖୀନ ହେବ ବୋଲି ଆମେରିକା ଅନୁମାନ କରିଛି। ଏପରି ସ୍ଥିତିରେ ଟ୍ରମ୍ପଙ୍କ ଚାପ ଆଗରେ ଭେନେଜୁଏଲା ମୁଣ୍ଡ ନୁଆଁଇ ପାରେ। 

Donald Trump