Advertisment

କୁକୁରଙ୍କୁ ବୁଲାଉ ଥିବା ବେଳେ ନିଖୋଜ ହୋଇଥିବା କିଶୋର ୮ ବର୍ଷ ପରେ ଫେରିଲେ

୮ ବର୍ଷ ତଳେ ରୁଡୀ ଫରିଆସ ଘର ପାଖରେ ଦୁଇଟି କୁକୁରଙ୍କୁ ବୁଲାଉଥିଲେ। ତେବେ ସେ ହଠାତ୍‌ ନିଖୋଜ ହୋଇ ଯାଇଥିଲେ।

author-image
Hemant Lenka
Rudy Farias

Rudy Farias

ଦୀର୍ଘ ୮ ବର୍ଷ ତଳେ ଘର ପାଖରୁ ହଠାତ୍‌ କୁକୁରଙ୍କୁ ଛାଡ଼ି ନିଖୋଜ ହୋଇ ଯାଇଥିବା କିଶୋର ଏବେ ସୁରକ୍ଷିତ ଭାବେ ଠାବ ହୋଇଛନ୍ତି। ନିଖୋଜ ବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା। ଏବେ ସେ ୨୫ ବର୍ଷର ହୋଇଗଲେଣି। ସେ ନିଖୋଜ ହୋଇ ଯିବା ପରେ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ଶନିବାର ସବୁ ସନ୍ଦେହ ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Advertisment

ଆମେରିକା ଟେକ୍ସାସରୁ ଏପରି ଘଟଣା ଘଟିଛି। ୮ ବର୍ଷ ତଳେ ରୁଡୀ ଫରିଆସ ଘର ପାଖରେ ଦୁଇଟି କୁକୁରଙ୍କୁ ବୁଲାଉଥିଲେ। ତେବେ ସେ ହଠାତ୍‌ ନିଖୋଜ ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ ପୂରା ଦେଶରେ ଚିନ୍ତା ପ୍ରକଟ ପାଇଥିଲା। କିନ୍ତୁ ଟେକ୍ସାସ ସେଣ୍ଟର ଫର ମିସିଂ ଏବେ ଘୋଷଣା କରିଛି ଯେ ନିଖୋଜ ଫରିଆସ ସୁରକ୍ଷିତ। ସେ ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସଂସ୍ଥା ପକ୍ଷରୁ ହସ୍ପିଟାଲରେ ଭର୍ତ୍ତି ହେବାର କୌଣସି ପ୍ରକାରର କାରଣ ଦିଆଯାଇନି।

୨୦୧୫ ମାର୍ଚ୍ଚ ୬ରେ ଫରିଆସ ଉତ୍ତର ପଶ୍ଚିମ ହୋଷ୍ଟନ ସ୍ଥିତ ଘର ପାଖରେ ଦୁଇଟି କୁକୁରଙ୍କୁ ଧରି ବୁଲୁଥିଲେ। କିଛି ସମୟରେ ଦୁଇ କୁକୁର ତାଙ୍କ ବିନା ଘରକୁ ଫେରିଥିଲେ। ସେ କୁଆଡ଼େ ହଠାତ୍‌ ଚାଲି ଯାଇଥିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। କିନ୍ତୁ ତାଙ୍କର କୌଣସି ପ୍ରକାରର ପତ୍ତା ମିଳି ନଥିଲା।

Advertisment

ପରିବାର ଲୋକ ୨୦୧୫ ଏପ୍ରିଲ ମାସରେ କହିଥିଲେ, ଫରିଆସ ଦୀର୍ଘ ଦିନ ହେଲା ମାନସିକ ଅବଶାଦ ମଧ୍ୟରେ ରହୁଥିଲେ। ୨୦୧୫ରେ ସେ ଗୋଟିଏ ବାଇକ ଦୁର୍ଘଟଣାରେ ନିଜ ଭାଇଙ୍କୁ ହରାଇଥିଲେ। ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରେ ଲାଗିଥିଲା। ତାଙ୍କ ଭାଇ ହିଁ ତାଙ୍କର ବେଷ୍ଟ ଫ୍ରେଣ୍ଡ ଥିଲେ। ଭାଇଙ୍କ ଅକାଳ ବିୟୋଗ ଯୋଗୁ ଫରିଆସଙ୍କ ଦୁନିଆ ବଦଳି ଯାଇଥିଲା।

ତାଙ୍କୁ ଠାବ କରିବା ପାଇଁ ପରିବାର ଲୋକ ଘରୋଇ ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ନିୟୋଜିତ କରିଥିଲେ। ଟେକ୍ସାସର ଇକ୍ୟୁ ସର୍ଚ୍ଚ ମଧ୍ୟ ଫରିଆସଙ୍କୁ ଠାବ କରିବାକୁ ଲୋକଙ୍କ ସହାୟତା ଲୋଡ଼ିଥିଲେ। ମାନସିକ ଅବଶାଦ ମଧ୍ୟରେ ଗତି କରୁଥିବା ଫରିଆସ ନିଖୋଜ ଥିବାରୁ ମେଡିସନ ମଧ୍ୟ ନେଉ ନଥିବେ। ତେଣୁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିବା ଆଶଙ୍କା ପ୍ରକାଶ ପାଇଥିଲା।

୨୦୧୫ ମାର୍ଚ୍ଚ ୧୦ରେ ଫରିଆସଙ୍କ ସନ୍ଧାନ ଅଭିଯାନକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା। ଅଧିକାରୀମାନେ ତାଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିଥିଲେ। ଶେଷରେ ୧୨ ତାରିଖରେ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇ ସେହି ଦିନ ଶେଷ ହୋଇଥିଲା। ୨୦୧୫ ମାର୍ଚ୍ଚ ୧୩ରେ ପ୍ରଶାସନ ସର୍ଚ୍ଚ ଅପରେସନରେ ସାମିଲ ଥିବା ଲୋକଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲା।

ସେବେଠାରୁ ଫରିଆସଙ୍କୁ ନେଇ ଆଉ କୌଣସି ଖବର ପ୍ରକାଶ ପାଇ ନଥିଲା। ମନ ଭିତରେ ଉଠୁଥିବା ଅନେକ ପ୍ରଶ୍ନ ସେବେଠାରୁ ରହସ୍ୟ ମଧ୍ୟରେ ହିଁ ରହିଥିଲା। ଶେଷରେ ୨୦୨୩ ଜୁଲାଇ ୨ରେ ପ୍ରଶାସନ ଫରିଆସ ସୁରକ୍ଷିତ ଭାବେ ଠାବ ହୋଇଥିବା ସୂଚନା ଦେଇଛି। ତେବେ ସେ ଏତେ ଦିନ କେଉଁଠି ଥିଲେ, ସେ ବିଷୟରେ କୌଣସି ସୂଚନା ମିଳିନାହିଁ।

USA