Advertisment

ଟେଲିଗ୍ରାମ ସିଇଓ ଗିରଫ, ବିମାନବନ୍ଦରରୁ ଉଠାଇ ନେଲା ପୁଲିସ

ପ୍ୟାରିସର ବୋର୍ଜେଟ୍ ବିମାନବନ୍ଦରରୁ ପୁଲିସ ତାଙ୍କୁ ଗିରଫ କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Telegram Chief Pavel Durov

Telegram Chief Pavel Durov

ମେସେଜିଂ ଆପ୍‌ ଟେଲିଗ୍ରାମର ସିଇଓ ଗିରଫ। ବିମାନ ବନ୍ଦରରୁ ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କୁ ଉଠାଇ ନେଲା ପୁଲିସ। ଫ୍ରାନ୍ସର ରାଜଧାନୀ ପ୍ୟାରିସର ବୋର୍ଜେଟ୍ ବିମାନବନ୍ଦରରୁ ପୁଲିସ ତାଙ୍କୁ ଗିରଫ କରିଛି।

Advertisment

ସୂଚନା ମୁତାବକ, ବିଲେନିଅର୍ ପାଭେଲ ଡୁରୋଭ ନିଜ ପ୍ରାଇଭେଟ୍‌ ଜେଟ୍‌ ଜରିଆରେ ଆଜେରବାଇଜାନକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଶନିବାର ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

ପାଭେଲଙ୍କ ନାଁରେ ପୂର୍ବରୁ ଫ୍ରାନ୍ସ ଗିରଫ ଓ୍ୱାରେଣ୍ଟ ଜାରି ହୋଇଥିଲା। ଟେଲିଗ୍ରାମ ଦ୍ୱାରା ଅପରାଧିକ ଗତିବିଧି ଚଳାଉଥିବା ଅଭିଯୋଗ ହୋଇଥିଲା।  ଏହାପରେ ପୁଲିସ ତାଙ୍କୁ ଗିରଫ କରିଛି। ସେପଟେ ଟେଲିଗ୍ରାମ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ଏହି ଘଟଣାକୁ ଫ୍ରାନ୍ସ ପୁଲିସ୍ ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ପୁଲିସର କହିବା ମୁତାବକ, ତାଙ୍କୁ ଗିରଫ କରାଯାଇ ଥାନାକୁ ନିଆଯାଇଛି।

Advertisment

ରିପୋର୍ଟ ଅନୁଯାୟୀ, ଡୁରୋଭଙ୍କୁ ତାଙ୍କ ଟେଲିଗ୍ରାମ୍‌ ଆପ୍ କାରଣରୁ ଗିରଫ କରାଯାଇଛି। ଫ୍ରାନ୍ସ ପୁଲିସ ଅଭିଯୋଗ କରିଛି ଯେ ଡୁରୋଭଙ୍କ ମେସେଜିଂ ଆପ୍ ଟେଲିଗ୍ରାମରେ ମୋଡରେଟର ଅଭାବ ରହିଛି। ଏହି କାରଣରୁ ଆପ୍ ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି।

ଫରାସୀ ଏଜେନ୍ସି ଓଏଫଏମ୍‌ଆଇଏନ ଦେଶରେ ନାବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ। ଠକେଇ, ଡ୍ରଗ୍ସ ଚୋରା ଚାଲାଣ, ସାଇବର ଅପରାଧ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଏଜେନ୍ସି ଡୁରୋଭଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା। ଏଜେନ୍ସି କହିଛି ଯେ ଡୁରୋଭ ତାଙ୍କ ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମ ଟେଲିଗ୍ରାମର ଅପରାଧିକ ବ୍ୟବହାରକୁ ରୋକିବାରେ ବିଫଳ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି।

ସେପଟେ ଟେଲିଗ୍ରାମ ସିଇଓଙ୍କ ଗିରଫଦାରୀକୁ ନେଇ ଅନେକ ୟୁଜର୍ସ ରାଗି ଯାଇଛନ୍ତି। ଆଜି ସେମାନେ ଫ୍ରାନ୍ସର ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି।

୩୯ ବର୍ଷ ବୟସ୍କ ଡୁରୋଭ ରୁଷିଆରେ ଜନ୍ମଗ୍ରହଣ କରିଥିଲେ। ସେ ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ତଥା ମାଲିକ ଅଟନ୍ତି। ଟେଲିଗ୍ରାମ ହେଉଛି ଏକ ମାଗଣା ସୋସିଆଲ୍ ନେଟୱାର୍କିଂ ଆପ୍, ଯାହାକୁ ବିଶ୍ୱର କୋଟି କୋଟି ଲୋକ ବ୍ୟବହାର କରନ୍ତି।

ଫେସବୁକ୍, ୟୁଟ୍ୟୁବ୍, ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ, ଟିକଟକ୍, ୱିଚାଟ୍ ଭଳି ଟେଲିଗ୍ରାମର ମଧ୍ୟ ବେଶ୍‌ ଚାହିଦା ରହିଛି। ଏହି ଆପ୍‌ରେ ବର୍ତ୍ତମାନ ୯୦୦ ମିଲିୟନ୍ ଆକ୍ଟିଭ୍ ୟୁଜର୍ସ ଅଛନ୍ତି। ଦୁବାଇରେ ଟେଲିଗ୍ରାମର ମୁଖ୍ୟ କାର୍ଯ୍ୟାଳୟ ଅଛି। ୨୦୧୪ରେ ଡୁରୋଭ ରୁଷିଆ ଛାଡି ଦୁବାଇରେ ରହିବାକୁ ଆସିଥିଲେ।

France Telegram CEO Arrested Pavel Durov