Thai
ଥାଇଲ୍ୟାଣ୍ଡ ଓ କମ୍ବୋଡିଆ ମଧ୍ୟରେ ପୁଣିଥରେ ବିବାଦୀୟ ସୀମାକୁ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଏହି ଲଢ଼େଇ ଯୋଗୁ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ଦୁଇ ଦେଶ ମଧ୍ୟରେ କୂଟନୀତିକ ସମ୍ପର୍କ ବିଗିଡ଼ି ଯାଇଛି। ଦୁଇ ଦେଶ ପରସ୍ପର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି।
ସୀମାନ୍ତରେ ଥିବା ପୁରାତନ ମନ୍ଦିର ନିକଟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି। ନିକଟରେ ଏଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଠାରୁ ଆରମ୍ଭ କରି ଗୁଳି ମାଡ଼ ଓ ଏୟାର ଷ୍ଟ୍ରାଇକ ଭଳି ସଶସ୍ତ୍ର ଘଟଣା ଘଟଥିଲା। ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ଥାଇଲ୍ୟାଣ୍ଡର ୫ ଜଣ ସୈନ୍ୟ ଆହତ ହୋଇଥିଲେ। ଏଥିଯୋଗୁ ଥାଇଲ୍ୟାଣ୍ଡ ସରକାର କମ୍ବୋଡିଆ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲେ ଓ ନିଜର ଉତ୍ତରପୂର୍ବ ସୀମାନ୍ତକୁ ବନ୍ଦ କରି ଦେଇଥିଲେ।
ଏହାର ଜବାବରେ କମ୍ବୋଡିଆ ସରକାର ମଧ୍ୟ ଥାଇଲ୍ୟାଣ୍ଡ ସହ କୂଟନୀତିକ ସମ୍ପର୍କକୁ ଚ୍ଛିନ୍ନ କରି ଦେଇଛନ୍ତି ଓ ବ୍ୟାଙ୍କକରେ ଥିବା ଦୂତାବାସ କର୍ମଚାରୀଙ୍କୁ ସୁରକ୍ଷିତ ନିଜ ଦେଶକୁ ନେଇ ଯାଇଛନ୍ତି। କୂଟନୀତିକ ସମ୍ପର୍କଚ୍ଛିନ୍ନ ହେବା ପରେ ଦୁଇ ଦେଶ ପରସ୍ପର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି।
ସୁରିନ ଓ ଓଡାର ମେଞ୍ଚାଇ ସୀମାନ୍ତରେ ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। ଗୋଟିଏ ଥାଇ ଏଫ-୧୬ ଯୁଦ୍ଧ ବିମାନ କମ୍ବୋଡିଆର କିଛି ନିର୍ଦ୍ଦିଷ୍ଟ ସୀମାନ୍ତ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କରିଥିବା ଜଣାପଡ଼ିଛି।
ପୁରାତନ ମନ୍ଦିର ପାଖରେ ଲଢ଼େଇ ଆରମ୍ଭ
ତା ମ୍ୟୁନ ଓ ତା ମୋନ ଥୋମ ମନ୍ଦିର ନିକଟରେ ଗୁରୁବାର ସକାଳୁ ଲଢ଼େଇ ଆରମ୍ଭ ହୋଇଛି। ଏହି ଅଞ୍ଚଳକୁ ଉଭୟ ଦେଶ ନିଜର ବୋଲି ଦୀର୍ଘ ସମୟ ହେଲା ଦାବି କରି ଆସୁଛନ୍ତି। ଥାଇ ଆର୍ମିର କହିବା କଥା ଯେ କମ୍ବୋଡିଆ ପକ୍ଷରୁ ପ୍ରଥମେ ଗୁଳି ମାଡ଼ କରାଯାଇଥିଲା। ଏହାପୂର୍ବରୁ ସୀମାନ୍ତ ଅଞ୍ଚଳରେ ଗୋଟିଏ ଡ୍ରୋନ ଦେଖିବାକୁ ମିଳିଥିଲା। ଏହାକୁ ୬ ଜଣ ସଶସ୍ତ୍ର ଥାଇ ସୈନ୍ୟ ପିଛା କରିଥିଲେ। ସେମାନଙ୍କୁ ଟାର୍ଗେଟ କରି ଗୁଳି ମାଡ଼ କରିଥିଲା କମ୍ବୋଡିଆ ସେନା। ଏହାର ଜବାବ ଥାଇଲ୍ୟାଣ୍ଡ ପକ୍ଷରୁ ଦିଆଯାଇଛି। ତେବେ କମ୍ବୋଡିଆ ଏହାକୁ ଖଣ୍ଡନ କରିଛି। ଥାଇଲ୍ୟାଣ୍ଡର ସଶସ୍ତ୍ର ଆକ୍ରମଣରୁ ଜାତୀୟ ଟେରିଟୋରୀ ବା ନିଜ ଅଞ୍ଚଳକୁ ରକ୍ଷା କରିବା ପାଇଁ କମ୍ବୋଡିଆ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି।
ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ମୃତାହତ ସଂଖ୍ୟା ବଢ଼ୁଛି
କମ୍ବୋଡିଆ ଆକ୍ରମଣରେ ୯ ଜଣ ସାଧାରଣ ଥାଇ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛନ୍ତି। ଗୁଳି ମାଡ଼ରେ ୭ ଜଣ ସୈନ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ଫେସବୁକ ପୋଷ୍ଟରେ ଥାଇ ଆର୍ମି ଅଭିଯୋଗ କରିଛି ଯେ କମ୍ବୋଡିଆ ସେନା ବିଏମ-୨୧ ରକେଟ ଦ୍ୱାରା ଆକ୍ରମଣ କରିଛି। ସୁରିନର କାପ ଚୋଇଙ୍ଗ ଜିଲ୍ଲାରେ ଏହି ରେକଟ ସାଧାରଣ ଜନବସତିରେ ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି କରିଛି।
ବୋମା ମାଡ଼ ଓ ଉତ୍ତେଜନା ପାଇଁ ଥାଇଲ୍ୟାଣ୍ଡକୁ ଦାୟୀ କଲା କମ୍ବୋଡିଆ
କମ୍ବୋଡିଆର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ ଥାଇଲ୍ୟାଣ୍ଡ ଭୟଙ୍କର ଓ ବେଆଇନ ସାମରିକ ଉତ୍ତେଜନା ସୃଷ୍ଟି କରିଛି। ଥାଇଲ୍ୟାଣ୍ଡ ସେନା ପକ୍ଷରୁ କମ୍ବୋଡିଆରେ ଯୁଦ୍ଧ ବିମାନରୁ ବୋମା ମାଡ଼ କରାଯାଇଛି। ସେହିପରି ବଡ଼ବଡ଼ ଅସ୍ତ୍ରଶସ୍ତ୍ର ବ୍ୟବହାର ମଧ୍ୟ କରାଯାଇଛି। ଥାଇଲ୍ୟାଣ୍ଡର ଏପରି ପଦକ୍ଷେପ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଙ୍ଘନ କରିଛି। ତେବେ କମ୍ବୋଡିଆ ସେନା ନିଜର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇ ରହିଛି।
ଥାଇ ହସ୍ପିଟାଲରେ କମ୍ବୋଡିଆର ଆକ୍ରମଣ
ଥାଇ ଆର୍ମିର ଫେସବୁକ ପୋଷ୍ଟରେ କୁହାଯାଇଛି ଯେ କମ୍ବୋଡିଆ ସେନା ପକ୍ଷରୁ ସୁରିନ ପ୍ରଦେଶରେ ଥିବା ଫାନୋମ ଡୋଙ୍ଗ ରାକ ହସ୍ପିଟାଲ ଉପରେ ଆକ୍ରମଣ କରାଯାଇଛି। କମ୍ବୋଡିଆ ଏଠାରେ ଏୟାର ଷ୍ଟ୍ରାଇକ କରିଥିଲେ ହେଁ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। କିନ୍ତୁ ଏୟାର ଷ୍ଟ୍ରାଇକ ଯୋଗୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ଥାଇ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରାଯାଇଛି।
ସୀମା ବନ୍ଦ କଲା ଥାଇଲ୍ୟାଣ୍ଡ
କମ୍ବୋଡିଆ ସହ ଥିବା ସମସ୍ତ ସୀମାନ୍ତ ଚେକପୋଷ୍ଟକୁ ଥାଇଲ୍ୟାଣ୍ଡ ବନ୍ଦ କରି ଦେଇଛି। ସେହିପରି କମ୍ବୋଡିଆରେ ଥିବା ଥାଇଲ୍ୟାଣ୍ଡ ଲୋକଙ୍କୁ ଯଥାଶୀଘ୍ର ଉଦ୍ଧାର କରିବା ପାଇଁ ପ୍ରୟାସ କରିବାକୁ ସରକାର କହିଛନ୍ତି। ଫନୋମ ପେଞ୍ଚରେ ଥିବା ଥାଇ ଦୂତାବାସ ପକ୍ଷରୁ ଲୋକଙ୍କୁ ଅତ୍ୟନ୍ତ ଜରୁରୀ ନଥିଲେ ତୁରନ୍ତ ସ୍ୱଦେଶ ଫେରିଯିବାକୁ କହିଛନ୍ତି। ସୀମାନ୍ତ ଅଞ୍ଚଳରେ ବିସ୍ଫୋରଣ ହେଉଥିବା ବେଳେ ଲୋକମାନେ ବଙ୍କରରେ ଆଶ୍ରୟ ନେବାକୁ ଦୌଡ଼ୁଥିବା ଗୋଟିଏ ଭିଡିଓ ସାମ୍ନାକୁ ଆସିଛି।
କୂଟନୀତିକ ସମ୍ପର୍କ ଦ୍ରୁତଗତିରେ ଭୁଶୁଡ଼ିଲା
ବିବାଦ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଉଭୟ ଦେଶ ପରସ୍ପରର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛନ୍ତି। କମ୍ବୋଡିଆ କୂଟନୀତିକ ସମ୍ପର୍କକୁ ସଂପୂର୍ଣ୍ଣ ଭାବେ ଚ୍ଛିନ୍ନ କରି ବ୍ୟାଙ୍କକ ଦୂତାବାସରେ ଥିବା ଅଧିକାଂଶ କର୍ମଚାରୀଙ୍କୁ ଫେରାଇ ନେଇଛି। ବିବାଦୀୟ ସୀମାନ୍ତ ଅଞ୍ଚଳରେ କମ୍ବୋଡିଆ ଲ୍ୟାଣ୍ଡମାଇନ ଖଞ୍ଜିଥିବା ଥାଇଲ୍ୟାଣ୍ଡ ଦାବି କରିଛି। ହେଲେ ଏହାକୁ ଫନୋମ ପେଞ୍ଚ ମନା କରି ଦେଇଛି।
ଲ୍ୟାଣ୍ଡମାଇନ ବିସ୍ଫୋରଣ ବିବାଦକୁ ତୀବ୍ର କଲା
ବୁଧବାର ବିବାଦୀୟ ଅଞ୍ଚଳରେ ହୋଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଜଣ ଥାଇ ସୈନ୍ୟ ଆହତ ହୋଇଥିଲେ। ଏହି ଘଟଣା ଦୁଇ ଦେଶ ମଧ୍ୟରେ ବିବାଦକୁ ତୀବ୍ର କରିଥିଲା। ରୁଷ ନିର୍ମିତ ଡିଭାଇସ ଦ୍ୱାରା ଲ୍ୟାଣ୍ଡମାଇନକୁ ଖଞ୍ଜା ଯାଇଥିବା ଥାଇଲ୍ୟାଣ୍ଡ ଦାବି କରିଛି। ଦୁଇ ଦେଶ ମଧ୍ୟରେ ବିବାଦୀୟ ଅଞ୍ଚଳରେ ଶାନ୍ତି ବଜାୟୀ ରଖିବାକୁ ଚୁକ୍ତି ହୋଇଥିଲେ ହେଁ ଏହାକୁ କମ୍ବୋଡିଆ ଉଲ୍ଲଙ୍ଘନ କରିଥିବା ଥାଇ ସରକାର କହିଛନ୍ତି।
ପୁରୁଣା ବିବାଦ ଓ ଆଇସିଜେ ରାୟ
୧୦୦୦ ବର୍ଷ ପୁରୁଣା ପ୍ରେହ ଭିହେର ମନ୍ଦିର ପାଖ ସୀମାନ୍ତ ବିବାଦ ନୂଆ ନୁହେଁ। ୧୯୬୨ରେ ଉକ୍ତ ମନ୍ଦିରକୁ ଅନ୍ତର୍ଜାତୀୟ କୋର୍ଟ ବା ଆଇସିଜେ କମ୍ବୋଡିଆର ବୋଲି କହିଥିଲେ। କିନ୍ତୁ ଥାଇ ଜାତୀୟତାବାଦୀ ସଂଗଠନ ଏହା ବିରୋଧରେ ଲଢ଼େଇ ଜାରି ରଖିଛି। ୨୦୧୧ରେ ଆଇସିଜେ ପୁଣିଥରେ କମ୍ବୋଡିଆର ଦାବିକୁ କାଏମ ରଖିଥିଲେ। କିନ୍ତୁ ସମୟକ୍ରମେ ଏହି ମନ୍ଦିର ପାଖ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ବିବାଦ ଦେଖିବାକୁ ମିଳୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Thai_1753354606.jpg)