Advertisment

ଜଳୁଛି ପାକିସ୍ତାନ, କୋର୍ଟ କହିଲେ- ଇମ୍ରାନଙ୍କ ଗିରଫଦାରୀ ନ୍ୟାୟସଙ୍ଗତ

ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କ ଅଡ଼ୁଆକୁ ଆହୁରି ବଢ଼ାଇ ଦେଇଛି। ଇମ୍ରାନଙ୍କ ଗିରଫଦାରୀ ଆଇନ ଅନୁଯାୟୀ ହୋଇଥିବା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।

Pakistan

Pakistan

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକଙ୍କୁ ଲାଗିଛି ସାଂଘାତିକ ଝଟକା। ନିଜ ନେତାଙ୍କୁ ପାକିସ୍ତାନ ରେଞ୍ଜର୍ସ ବଳ ପୂର୍ବକ ଉଠାଇ ନେଇ ଗିରଫ କରିଥିବା ବେଳେ ଏହା ବିରୋଧରେ ତାଙ୍କ ସମର୍ଥକ ଇସଲାମାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କ ଅଡ଼ୁଆକୁ ଆହୁରି ବଢ଼ାଇ ଦେଇଛି। ଇମ୍ରାନଙ୍କ ଗିରଫଦାରୀ ଆଇନ ଅନୁଯାୟୀ ହୋଇଥିବା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।

Advertisment

ଇମ୍ରାନଙ୍କ ଗିରଫଦାରୀ ପରେ ସମଗ୍ର ଦେଶରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ନିଜ ନେତାଙ୍କ ଗିରଫଦାରୀ ପ୍ରତିବାଦରେ ହିଂସ୍ର ହୋଇ ଉଠିଛନ୍ତି ଇମ୍ରାନ ସମର୍ଥକ । କରାଚୀ, ଇସଲାମାବାଦ, ଲାହୋର ସମେତ ପାକିସ୍ତାନର ବିଭିନ୍ନ ସହରରେ ଶହ ଶହ ଲୋକ ରାସ୍ତାକୁ ଓହ୍ଲାଇ ବ୍ୟାପକ ପୋଡ଼ାଜଳା କରିଛନ୍ତି। ଦେଶର ସମସ୍ତ ସ୍କୁଲ, କଲେଜକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ପୁଲିସ୍‌ ସହ ସଂଘର୍ଷରେ ଏଯାବତ ୬ ସମର୍ଥକଙ୍କ ଜୀବନ ଯାଇ ସାରିଥିବା ବେଳେ ବହୁ ଦଳୀୟ କର୍ମୀ ଗୁରୁତର ହୋଇଥିବା ପିଟିଆଇ ପକ୍ଷରୁ କୁହାଯାଇଛି। 

ସମଗ୍ର ଦେଶ ହିଂସାର ନିଆଁରେ ଜଳୁଥିବା ବେଳେ ପାକିସ୍ତାନରେ ସୋଶାଲ ମିଡିଆ ସାଇଟ୍‌ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଫେସବୁକ୍‌, ଟ୍ୱିଟର, ହ୍ୱାଟ୍ସଆପ୍‌କୁ ସମଗ୍ର ଦେଶରେ ବ୍ୟାନ୍‌ କରାଯିବା ସହ ମୋବାଇଲ ବ୍ରଡବ୍ୟାଣ୍ଡ ସେବାକୁ ବନ୍ଦ କରି ଦିଆଯାଇଛି।

Advertisment

ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଗତକାଲି ଇସଲାମବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି କରିଥିଲେ। ମୁଖ୍ୟ ବିଚାରପତି ଆମୀର ଫାରୁଖ ଗତକାଲି ଏହି ମାମଲାର ଶୁଣାଣି କରି ଆଇଜି ପୁଲିସ୍‌ଙ୍କୁ ହାଜର ହେବାକୁ ସମନ କରିଥିଲେ। ଆଇଜି ପୁଲିସ୍‌ ହାଜର ହେବାରେ ବିଫଳ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହାପରେ ତୁରନ୍ତ ପୁଲିସ୍‌ ଆଇଜି ଅକବର ନାସିର ଖାନ କୋର୍ଟରେ ହାଜର ହୋଇଥିଲେ । ଇମ୍ରାନ ଖାନଙ୍କୁ କେଉଁ ମାମଲାରେ ଓ କାହିଁକି ଗିରଫ କରାଗଲା ବୋଲି କୋର୍ଟ ଆଇଜିଙ୍କୁ ପଚାରିଥିଲେ।  ଏହାର ଉତ୍ତରରେ ଇମ୍ରାନ ଖାନଙ୍କୁ ଭ୍ରାଷ୍ଟାଚାର ମାମଲାରେ ଗିରଫ କରାଯାଇଥିବା ଆଇଜି କହିଥିବା ଜଣାଯାଇଛି । 

ହେଲେ ଇମ୍ରାନ ଖାନ କୋର୍ଟ ପରିସରରେ ଉପସ୍ଥିତ ଥିବା ବେଳେ ତାଙ୍କୁ ବଳପୂର୍ବକ ଗିରଫ କରାଯାଇଥିବା ତାଙ୍କ ଓକିଲ କହିଛନ୍ତି। ଏପରିକି ତାଙ୍କୁ ପାକିସ୍ତାନ ରେଞ୍ଜର୍ସ ଟାଣି ଟାଣି ନେବା ସହ ତାଙ୍କ ମୁଣ୍ଡକୁ ଲୁହା ରଡ଼ରେ ପିଟିଥିବା ତାଙ୍କ ଓକିଲ କହିଛନ୍ତି।

ଗତକାଲି ଇମ୍ରାନ ଖାନ ଗୋଟିଏ ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କିନ୍ତୁ କୋର୍ଟ ପରିସରରୁ ହିଁ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାକୁ ନେଇ ତାଙ୍କ ଦଳ ପିଟିଆଇର କର୍ମୀ ଓ ନେତାମାନେ ବିକ୍ଷୋଭ ଆରମ୍ଭ କରିଥିବା ବେଳେ ଭଙ୍ଗାରୁଜା ସହ ବ୍ୟାପକ ଜଳାପୋଡ଼ା କରିଛନ୍ତି। ଇମ୍ରାନଙ୍କ ହଜାର ହଜାର ସମର୍ଥକ ଆର୍ମି ମୁଖ୍ୟାଳୟକୁ ପଥର ମାଡ଼ କରିବା ସହ ଲାହାରୋ କ୍ୟାଣ୍ଟନମେଣ୍ଟରେ ଥିବା କ୍ରପ୍ସ କମାଣ୍ଡମାନଙ୍କ ଘର ଭିତରକୁ  ପ୍ରବେଶ କରି ଲଙ୍କାକାଣ୍ଡ ଘଟାଇଛନ୍ତି। ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ ଠାରୁ ଆରମ୍ଭ କରି ପାଣି ମାଡ଼ କରିଥିଲେ ବି ଏହା ଅଧିକ ତୀବ୍ର ହେବାରେ ଲାଗିଛି। ଫଳରେ ସମଗ୍ର ଦେଶରେ ୧୪୪ ଧାରା ଲାଗୁ ହେବା ସତ୍ତ୍ୱେ ସ୍ଥିତି ସୁଧୁରିବା ନାଁ ଧରୁନି।

ଇମ୍ରାନଙ୍କ ସମର୍ଥକ ଲାହୋର ଗଭର୍ଣ୍ଣର ହାଉସରେ ନିଆଁ ଲଗାଇ ଦେବା ସହ ଏକ ଟୋଲ ଗେଟକୁ ଜାଳି ଦେଇଛନ୍ତି । ଲାହୋରସ୍ଥିତ ସେନା ଅଧିକାରୀଙ୍କ ଘରେ ପଶି ବ୍ୟାପକ ଲଙ୍କାକାଣ୍ଡ ଘଟାଇଛନ୍ତି। ରାଓୱଲପିଣ୍ଡିର ଏକ ସେନା କାର୍ଯ୍ୟାଳୟରେ ବିକ୍ଷୋଭକାରୀ ଆକ୍ରମଣ କରିଥିବା ଜଣାଯାଇଛି । ପେଶୱାରେ ଥିବା ଏକ ରେଡିଓ ଷ୍ଟେଶନରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି।  ପେଶ୍‌ୱାରରେ ବିକ୍ଷୋଭକୁ ଦମନ କରିବାକୁ ସେନା ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ବେଳେ ଗୁଳି ଶବ୍ଦ ବି ଶୁଣିବାକୁ ମିଳିଥିଲା। 

ଏହି ପୂରା ବିବାଦ ଅଲ-କାଦିର ଟ୍ରଷ୍ଟରେ ହୋଇଥିବା ଦୁର୍ନୀତିକୁ ନେଇ ଆରମ୍ଭ ହୋଇଛି ଇମ୍ରାନ ଖାନ, ତାଙ୍କ ପତ୍ନୀ ବୁଶରା ବିବି ଓ ଜଣେ ଘନିଷ୍ଠ ସହଯୋଗୀ ଜୁଲଫିକାର ବୁଖାରୀ ଓ ବାବର ଅବାନ ମିଳିତ ଭାବେ ଅଲ- କାଦିର ଟ୍ରଷ୍ଟ ଗଠନ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ପଞ୍ଜାବର ଝଲେମ ଜିଲ୍ଲାରେ ଗୁଣବତ୍ତା ଶିକ୍ଷା ପ୍ରଦାନ ନିମନ୍ତେ ଏକ ୟୁନିଭରସିଟି ସ୍ଥାପନ କରିବା । ଆରୋପ ଅନୁଯାୟୀ, ଏହି ୟୁନିଭରସିଟି ନିମନ୍ତେ ଦାନରେ ମିଳିଥିବା ଜମିକୁ ଇମ୍ରାନ ଓ ତାଙ୍କ ପତ୍ନୀ ହଡ଼ପ କରି ନେଇଥିଲେ। ଏପରିକି ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି ରିୟାଜଙ୍କୁ ଗିରଫ କରିବାର ଧମକ ଦେଇ ତାଙ୍କର ବହୁ ମୂଲ୍ୟବାନ ଜମି ବି ହଡ଼ପ କରି ନେଇଛନ୍ତି। ଏହାକୁ ନେଇ ମାମଲା ରୁଜୁ ହୋଇଥିବା ବେଳେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି।

Pakistan Imran Khan Political Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe