Vanuatu
ଉତ୍ତର ଅଷ୍ଟ୍ରେଲିଆରେ ଥିବା ଭାନୁଆତୁ ଦ୍ୱୀପ ଆଜି ଭୟଙ୍କର ଭୂକମ୍ପରେ ଥରି ଉଠିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ଏହାଦ୍ୱାରା ଭାନୁଆତୁର ରାଜଧାନୀ ପୋର୍ଟ ଭିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଲୋକ ଲୋକ ଏହି ଭୂକମ୍ପ ଯୋଗୁ ପ୍ରାଣ ହରାଇଛନ୍ତି। ବଡ଼ବଡ଼ ଅଟାଳିକା ଭୁଶୁଡ଼ି ପଡ଼ିଛି। ସେହିପରି ଭୂକମ୍ପ ବେଳର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି।
ଆମେରିକା ଜିଓଲୋଜିକାଲ ସର୍ଭେର ସୂଚନା ଅନୁସାରେ, ମଙ୍ଗଳବାର ସ୍ଥାନୀୟ ସମୟ ଦିନ ୧୨.୪୭ରେ ଭୂକମ୍ପ ଅନୁଭୂତ ହୋଇଛି। ମୁଖ୍ୟ ଦ୍ୱୀପ ଇଫାଟେ ଠାରୁ ୩୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ସେହିପରି ଏହା ଭୂପୃଷ୍ଠରୁ ୫୭ କିମି ଗଭୀରରେ ସୃଷ୍ଟି ହୋଇଥିଲା।
ଭୂକମ୍ପ ଝଟକା ଅନୁଭୂତ ହେବା ବେଳର ଏକାଧିକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଗୋଟିଏ ଜଙ୍କୟାର୍ଡ ପ୍ରଥମେ ଧୀରେ ହଲିବା ପରେ ଜୋରରେ ଦୋହଲିବାରେ ଲାଗୁଛି। ନିଜକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ଝଟକା ମଧ୍ୟରେ ଜଙ୍କୟାର୍ଡରୁ ବାହାରକୁ ଦୌଡ଼ୁ ଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ଆଉ ଏକ ଭିଡିଓରେ ଭୂକମ୍ପ ପରେ ବଡ଼ ବଡ଼ ବିଲଡିଂ କେମିତି କ୍ଷତିଗ୍ରସ୍ତ ହୋଇଛି, ସେସବୁ ଦେଖିବାକୁ ମିଳୁଛି। ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଦୂତାବାସ ବିଲଡିଂ ଭୂକମ୍ପ ଝଟକାରେ ଭାଙ୍ଗି ଯାଇଛି। ରାସ୍ତା ମଝିରେ ବଡ଼ବଡ଼ ଗଛ ଓ ଖୁଣ୍ଟି ସବୁ ଉପୁଡ଼ି ଯାଇ ପଡ଼ି ରହିଛି। ଆମେରିକା ଦୂତାବାସର ପ୍ରଥମ ମହଲା ଭାଙ୍ଗି ଯାଇଥିବା ବେଳେ ଏହା ମଧ୍ୟରେ ଅନେକ ଲୋକ ଫସି ରହିଥିବା କୁହାଯାଉଛି।
ପୋର୍ଟ ଭିଲାରେ ଥିବା କେୟାର ଇଣ୍ଟରନ୍ୟାଶନାଲର ଅଫିସ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଆଉ ଏକ ଭିଡିଓରେ ଦେଖାଯାଉଛି। ରାଜଧାନୀରେ ଭୂକମ୍ପ ପ୍ରଳୟ ରଚିଥିବାରୁ ବିଦ୍ୟୁତ ଓ ପାଣି ଯୋଗାଣ ବନ୍ଦ ହୋଇଯାଇଛି।
ସେହିପରି ରାସ୍ତାରେ ଅନେକ ଲୋକଙ୍କ ମୃତଦେହ ପଡ଼ି ରହିଥିବା ଦୃଶ୍ୟ ବି ସାମ୍ନାକୁ ଆସିଛି। ହେଲେ ପ୍ରକୃତରେ ଭୂକମ୍ପ ଯୋଗୁ କେତେ ଲୋକ ପ୍ରାଣ ହରାଇଛନ୍ତି, ସେକଥା ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇ ନାହିଁ।
ଅନ୍ୟପକ୍ଷରେ ଭୂକମ୍ପ ଝଟକା ପରେ ପ୍ୟାସିଫିକ ସୁନାମୀ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ଭାନୁଆତୁ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଥିଲା। ସମୁଦ୍ର ଜୁଆର ୧ ମିଟର ଯାଏ ଉଠି ପାରେ ବୋଲି କୁହାଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ସତର୍କ ସୂଚନାକୁ ପ୍ରତ୍ୟାହାର କରି ନିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Vanuatu_1734434744.jpg)