Advertisment

ୱାଶିଂ ମେସିନ ଦରରେ ତ୍ରୁଟି, ୩୫ କୋଟି ଟଙ୍କାର କ୍ଷତି ସହିପାରେ ଏହି ବ୍ୟବସାୟିକ ସଂସ୍ଥା

ଗତ ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ମାତ୍ର ୨୦ ମିନିଟ୍ ଭିତରେ ଏହି ସଂସ୍ଥା ଅନ୍‌ଲାଇନ୍‌ରେ ୪୦ ହଜାରରୁ ଅଧିକ ୱାଶିଂ ମେସିନ ଅର୍ଡର ପାଇଥିଲା।

Washing Machine

Washing Machine

Advertisment

ଜଣେ କର୍ମଚାରୀଙ୍କ ପାଇଁ ଚୀନର ଏକ ଛୋଟ ବ୍ୟବସାୟିକ ସଂସ୍ଥା ପ୍ରାୟ ୩୫ କୋଟି ଟଙ୍କା କ୍ଷତି ସହିବା ସ୍ଥିତିରେ ରହିଛି। ସେଥିପାଇଁ ସଂସ୍ଥା ପକ୍ଷରୁ ଅର୍ଡର ବାତିଲ କରିବା ପାଇଁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି। ଏବେ ସବୁ କିଛି ନିର୍ଭର କରୁଛି ଗ୍ରାହକମାନଙ୍କ ଉପରେ। ନହେଲେ ଏହି ବ୍ୟବସାୟିକ ସଂସ୍ଥା ୩୫ କୋଟି ଟଙ୍କାର କ୍ଷତି ସହିବା ଏକ ପ୍ରକାର ନିଶ୍ଚିତ।

Advertisment

ଏହି ବ୍ୟବସାୟିକ ସଂସ୍ଥାର ନାଁ ଲିଟଲ ସ୍ୱାନ ଡୋଙ୍ଗଶାନ୍ ଫ୍ରାଞ୍ଚାଇଜ୍ ଶପ୍, ଯାହା ଲିଟଲ ସ୍ୱାନ କଂପାନୀ ଦ୍ୱାରା ପ୍ରସ୍ତୁତ ୱାଶିଂ ମେସିନ୍‌କୁ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନରେ ବିକ୍ରି କରେ। ଏହାର ଅଫିସ୍ ଓ ଆଉଟ୍‌ଲେଟ୍‌ ଚୀନର ଅନହୁଇ ପ୍ରଦେଶର ଜିକ୍ସି କାଉଣ୍ଟିରେ ଅଛି।

ଗତ ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ମାତ୍ର ୨୦ ମିନିଟ୍ ଭିତରେ ଏହି ସଂସ୍ଥା ଅନ୍‌ଲାଇନ୍‌ରେ ୪୦ ହଜାରରୁ ଅଧିକ ୱାଶିଂ ମେସିନ ଅର୍ଡର ପାଇଥିଲା। ଏହା ଦେଖି ସଂସ୍ଥାର ମାଲିକ ଓ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପଛର କାରଣ ଜାଣି ସେମାନେ ଆହୁରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ସଂସ୍ଥାର ଜଣେ କର୍ମଚାରୀ ଅନ୍‌ଲାଇନ୍‌ରେ ୱାଶିଂ ମେସିନର ଦାମ୍ ମୂଳ ଦରଠାରୁ ବହୁତ କମ୍ ଉଲ୍ଲେଖ କରିଥିଲେ। ଲିଟଲ ସ୍ୱାନ ସେଠାକାର ଏକ ଭଲ ସ୍ଥାନୀୟ ବ୍ରାଣ୍ଡ ହୋଇଥିବାରୁ ଓ କୌଣସି କାରଣରୁ ଏହି ବ୍ୟବସାୟିକ ସଂସ୍ଥା ପକ୍ଷରୁ ଅଫର ଦିଆଯାଉଛି ଭାବି ଏତେ ସଂଖ୍ୟକ ଲୋକେ ଅନ୍‌ଲାଇନରେ ଅର୍ଡର ଦେଇଥିଲେ। ଅନ୍ୟପକ୍ଷରେ ଜଣେ କର୍ମଚାରୀଙ୍କ ଭୁଲ ଏବେ ପୂରା ସଂସ୍ଥାକୁ ବିପଦରେ ପକାଇ ଦେଇଛି।

Advertisment

ଯଦି ଏବେ ଲିଟଲ ସ୍ୱାନ ଡୋଙ୍ଗଶାନ୍ ଫ୍ରାଞ୍ଚାଇଜ୍ ଶୋପ୍ ଗ୍ରାହକଙ୍କ ଅର୍ଡର ପୂରଣ କରିବ ତା’ହେଲେ ଏହାର ୩୫ କୋଟି ଟଙ୍କା କ୍ଷତି ହୋଇଯିବ। କାରଣ ଯେତିକି ଅର୍ଡର ପାଇଛି, ତାକୁ ବିକ୍ରି କଲେ ସଂସ୍ଥା ୮୨ କୋଟିରୁ ଅଧିକ ଟଙ୍କା ପାଇବା କଥା। କିନ୍ତୁ ସଂସ୍ଥା ପକ୍ଷରୁ ଜଣେ କର୍ମଚାରୀଙ୍କ ଦ୍ୱାରା ଅନ୍‌ଲାଇନ୍‌ରେ ଦିଆଯାଇଥିବା ଦରରେ ବିକ୍ରି କଲେ ୪୭ କୋଟିରୁ ଅଧିକ ଟଙ୍କା ପାଇବ। ତେଣୁ ଅର୍ଡର ବାତିଲ କରିବାକୁ ଗ୍ରାହକଙ୍କୁ ଅନୁରୋଧ କରିଛି ଲିଟଲ ସ୍ୱାନ ଡୋଙ୍ଗଶାନ୍ ଫ୍ରାଞ୍ଚାଇଜ୍ ଶୋପ୍। ଏକ ଭୁଲ୍ ବୁଝାମଣାରୁ ଏମିତି ହୋଇଯାଇଛି ବୋଲି ଏହି ଛୋଟ ବ୍ୟବସାୟିକ ସଂସ୍ଥା ପକ୍ଷରୁ କୁହାଯାଇଛି। ଏହା ସହିତ ସଂସ୍ଥା ଗ୍ରାହକଙ୍କୁ ଏଭଳି ତ୍ରୁଟି ପାଇଁ ଭୁଲ୍ ମଧ୍ୟ ମାଗିଛି। ଏବେ ସବୁ କିଛି ନିର୍ଭର କରୁଛି ଗ୍ରାହକଙ୍କ ଉପରେ। ଅବଶ୍ୟ ଏହା ଜାଣିବା ପରେ କିଛି ଗ୍ରାହକ ଅର୍ଡର ବାତିଲ କରି ଦେଇଛନ୍ତି।

ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ମାର୍କେଟ ସୁପରଭିଜନ ଅଥରିଟୀଙ୍କ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେଠାକାର ଜଣେ ଓକିଲ କହିଛନ୍ତି, ଯଦି ସଂସ୍ଥା ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଜାଣିଶୁଣି ୱାଶିଂ ମେସିନର ଦର କମ୍ ଉଲ୍ଲେଖ କରିଥିଲା, ତା’ହେଲେ ସେହି ଦାମ୍‌ରେ ଜିନିଷ ବିକ୍ରି କରିବାକୁ ପଡ଼ିବ। କିନ୍ତୁ ସଂସ୍ଥା ସତରେ ଭୁଲ୍‌ରେ ଏମିତି କରିଥିଲେ, କୋର୍ଟରେ ଏନେଇ ଏକ ଆବେଦନ କରିପାରିବ। ଫଳରେ କୋର୍ଟ ଗ୍ରାହକମାନଙ୍କ ଅର୍ଡର ବାତିଲ କରିପାରିବେ ଓ ସେମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବା ପାଇଁ କହିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe