/odisha-reporter/media/post_attachments/uploadimage/library/16_9/16_9_0/Nauru_1741339253.jpg)
Nauru
ଜଣେ ବ୍ୟକ୍ତିଙ୍କୁ ବିଦେଶ ରାଷ୍ଟ୍ରରେ ନାଗରିକତା ହାସଲ କରିବା ପାଇଁ ଅନେକ କିଛି କରିବାକୁ ପଡ଼େ। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ବିଭିନ୍ନ ନିୟମକୁ ମଧ୍ୟ ପୂରଣ କରିବାକୁ ପଡ଼ିଥାଏ। ଉଦାହରଣ ଭାବେ ଆପଣ ଆମେରିକାକୁ ନେଇ ପାରିବେ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ନାଗରିକତାକୁ ନେଇ ବିଭିନ୍ନ ପ୍ରକାରର ନିୟମ ଲାଗୁ କରୁଛନ୍ତି।
ବେଆଇନ ଭାବେ ଆମେରିକାରେ ରହୁଥିବା ବାହାର ଦେଶର ଲୋକଙ୍କ ହାତଗୋଡ଼ ବାନ୍ଧି ସେମାନଙ୍କ ରାଷ୍ଟ୍ରକୁ ପଠାଇ ଦେଉଛନ୍ତି। ଯଦି ଆପଣଙ୍କ ପାଖରେ ପ୍ରଚୁର ଟଙ୍କା ରହିଛି, ତା’ହେଲେ ଆପଣଙ୍କ ଆମେରିକା ସ୍ୱପ୍ନ ପୂରଣ ହୋଇପାରିବ। ଆମେରିକା ସ୍ୱପ୍ନ ପୂରଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ରାଷ୍ଟ୍ରପତି ଟ୍ରମ୍ପ ଧନୀ ପ୍ରବାସୀଙ୍କ ପାଇଁ ଗୋଟିଏ ବଡ଼ ଭିସା କାର୍ଯ୍ୟକ୍ରମ ଲଞ୍ଚ କରିବାକୁ ଯାଉଛନ୍ତି।
ଏହି କାର୍ଯ୍ୟକ୍ରମ ଅଧୀନରେ ବିଦେଶୀ ଲୋକମାନେ ଆମେରିକାର ନାଗରିକତା ପାଇ ପାରିବେ ଓ ସେମାନଙ୍କୁ ଗୋଲ୍ଡ କାର୍ଡ ମଧ୍ୟ ମିଳିବ। ସ୍ଥାୟୀ ନାଗରିକତା ପାଇଁ ଆବଶ୍ୟକ ହେଉଥିବା ଗୋଲ୍ଡ କାର୍ଡ ପାଇଁ ଟ୍ରମ୍ପ ୫ ମିଲିୟନ ଡଲାର ବା ୫୦ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରାରେ ୪୪ କୋଟି ଟଙ୍କା ନେବେ। ଏହାର ଅର୍ଥ ୪୪ କୋଟି ଟଙ୍କା ଦେଲେ ଆମେରିକାରେ ଆପଣଙ୍କୁ ସ୍ଥାୟୀ ନାଗରିକତା ମିଳିପାରିବ।
ଏ ତ ଗଲା ଆମେରିକାର କଥା। ବିଶ୍ୱରେ ଏମିତି କିଛି ରାଷ୍ଟ୍ର ଅଛନ୍ତି, ଯେଉଁମାନେ ମାତ୍ର କିଛି ଲକ୍ଷ ଟଙ୍କାରେ ବିଦେଶ ରାଷ୍ଟ୍ରର ଲୋକଙ୍କୁ ନିଜ ଦେଶର ନାଗରିକତା ବିକ୍ରି କରୁଛନ୍ତି। ସେଠାରେ ନାଗରିକତା ହାସଲ କରିବା ପାଇଁ ବେଶୀ କାଗଜପତ୍ର କାମ ମଧ୍ୟ କରିବାକୁ ପଡ଼ୁ ନାହିଁ। ସେମିତି ଗୋଟିଏ ରାଷ୍ଟ୍ର ହେଲେ ନୌରୁ। ପ୍ରଶାନ୍ତ ମହାସାଗରରେ ଥିବା ଗୋଟିଏ ଛୋଟିଆ ଦ୍ୱୀପ ହେଉଛି ନୌରୁ।
ପରିବେଶ ଓ ଜଳବାୟୁ ପରିବର୍ତ୍ତନରୁ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ନୌରୁ ପକ୍ଷରୁ ଗୋଟିଏ ବିରଳ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମାତ୍ର ୨୦ ବର୍ଗ କିଲୋ ମିଟର ଅଞ୍ଚଳ ମଧ୍ୟରେ ସୀମିତ ଥିବା ଏହା ନୌରୁ ନିଜ ଦେଶର ନାଗରିକତା ବିକ୍ରି କରୁଛି। ନୌରୁର ନାଗରିକତା ହାସଲ କରିବା ପାଇଁ ୧୦୫,୦୦୦ ଡଲାର ବା ୯୧.୪୪ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ୯୧ ଲକ୍ଷ ଟଙ୍କା ଦେବା ମାତ୍ରେ ନୌରୁ ପାସପୋର୍ଟ ଜଣଙ୍କୁ ବେଶ ସହଜରେ ମିଳିଯିବ।
ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ନୌରୁ ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି। ଏହି ପାଣ୍ଠି ବଦଳରେ ନୌରୁର ୧୨,୫୦୦ ଜଣ ନାଗରିକଙ୍କୁ ସୁରକ୍ଷିତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିବ। ଏମାନେ ଦ୍ୱୀପରେ ରହୁଛନ୍ତି। ସେମାନଙ୍କୁ ଚାରି ପଟୁ ସମୁଦ୍ର ଘେରି ରହିଛି। ଦିନକୁ ଦିନ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଝଡ଼ର ସଂଖ୍ୟା ବୃଦ୍ଧି ପାଉଛି। ଉପକୂଳ ଅବକ୍ଷୟ ହେଉଥିବାରୁ ନୌରୁକୁ ବିପଦ ସୃଷ୍ଟି ହୋଇଛି। ଏଠାରେ ରହୁଥିବା ୧୨,୫୦୦ ଜଣ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ନିଜର ଦେଶର ଲୋକଙ୍କ ସୁରକ୍ଷା ପାଇଁ ନୌରୁ ପକ୍ଷରୁ ନାଗରିକତା ବିକ୍ରି କରିବାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।
ନୌରୁର ରାଷ୍ଟ୍ରପତି ଡାଭିଡ ଆଡେଙ୍ଗ ଏପରି ପଦକ୍ଷେପର ଆବଶ୍ୟକତା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, “ପୂରା ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନକୁ ନେଇ ବିତର୍କ ଚାଲିଛି। ବିଶ୍ୱ ପ୍ରତି ଜଳବାୟୁ ପରିବର୍ତ୍ତନର ବିପଦ ସୃଷ୍ଟି ହୋଇଥିବା ବେଳେ ଆମକୁ ଆଗୁଆ ନିଜ ଦେଶର ଭବିଷ୍ୟତ କଥା ଚିନ୍ତା କରିବାକୁ ପଡ଼ିବ। ଆମ ଦେଶର ଭବିଷ୍ୟତକୁ ସୁରକ୍ଷିତ କରିବାକୁ ହେବ।”
ନୌରୁର ନାଗରିକତା ହାସଲ କଲେ ଲାଭ କ’ଣ?
ନୌରୁ ଅତି ଛୋଟିଆ ଦେଶ। କିନ୍ତୁ ଏହାର ନାଗରିକତା ହାସଲ କରୁଥିବା ଲୋକମାନେ ଅନେକ ଲାଭ ପାଇପାରିବେ। ନୌରୁ ଲୋକଙ୍କୁ ଅନ୍ୟ ୮୯ଟି ଦେଶରେ ପ୍ରବେଶ କରିବା ସଂପୂର୍ଣ୍ଣ ଭାବେ ଭିସା ମୁକ୍ତ। ଅର୍ଥାତ ବିନା ଭିସାରେ ନୌରୁର ନାଗରିକ ବିଶ୍ୱର ୮୯ଟି ରାଷ୍ଟ୍ରକୁ ଯାଇ ପାରିବେ। ଏହା ମଧ୍ୟରେ ବ୍ରିଟେନ, ହଂକଂ, ସିଙ୍ଗାପୁର ଓ ୟୁଏଇ ଭଳି ପ୍ରମୁଖ ରାଷ୍ଟ୍ର ରହିଛନ୍ତି। ଏପରି ନିୟମ ବିଦେଶ ରାଷ୍ଟ୍ରର ଲୋକଙ୍କୁ ନୌରୁ ପାସପୋର୍ଟ ପାଇଁ ଆକର୍ଷିତ କରିବ। ସେମାନେ ନୌରୁ ପାସପୋର୍ଟ ବଳରେ ବିଭିନ୍ନ ରାଷ୍ଟ୍ରକୁ କଟକଣା ମୁକ୍ତ ଗସ୍ତ କରିପାରିବେ।
ସମସ୍ତଙ୍କୁ ମିଳିବିନି ନୌରୁ ପାସପୋର୍ଟ
ନୌରୁ ରାଷ୍ଟ୍ରପତି ଡାଭିଡ ନିଜ ଦେଶର ପାସପୋର୍ଟକୁ ୯୧ ଲକ୍ଷ ଟଙ୍କାରେ ବିକ୍ରି କରାଯିବ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଏପରି ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ଏକାଧିକ ଅପରାଧରେ ଲିପ୍ତ ଥିବା ଲୋକଙ୍କୁ ନୌରୁ ସରକାର ଯେତେ ଟଙ୍କା ଦେଲେ ମଧ୍ୟ ନିଜ ଦେଶର ନାଗରିକତା ପ୍ରଦାନ କରିବେ ନାହିଁ। ଅପରାଧରେ ଲିପ୍ତ ଲୋକମାନେ ଏହି ଯୋଜନାର ଅପବ୍ୟବହାର କରିବାର ଆଶଙ୍କା ରହିଛି।
ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ଜଣେ ରାଜନୀତତିକ ସୋସିଓଲୋଜି ଏକ୍ସପର୍ଟ ହେଉଛନ୍ତି କ୍ରିଷ୍ଟିନ ସୁରାକ। ସେ କହିଛନ୍ତି, ଅନେକ ନୂଆ ପାସପୋର୍ଟଧାରୀ ନୌରୁ ଗସ୍ତ କରିବା ସମ୍ଭବାନା କମ। ସେମାନେ କେବେ ବି ସେଠାକୁ ଯାଇ ନ ପାରନ୍ତି। କିନ୍ତୁ ନୌରୁର ନାଗରିକତା ସେମାନଙ୍କୁ ବିଶ୍ୱର ଅନ୍ୟ ରାଷ୍ଟ୍ରରେ ବେଶ ଫାଇଦା ଦେବ।
ସାମ୍ନାରେ ଥିବା ଚ୍ୟାଲେଞ୍ଜ
ନୌରୁ ଦୀର୍ଘ ଦଶନ୍ଧି ଧରି ଅର୍ଥନୀତିକ ଓ ପରିବେଶ ଜିନିତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ଆସୁଛି। ୧୯୯୦ରୁ ଫସଫେଟ ମାଇନିଂ ଦେଶକୁ ଧନୀ କରିବାରେ ଲାଗିଥିଲା। କିନ୍ତୁ ଏହା ଦ୍ୱୀପର ୮୦% ଜମିକୁ ଧ୍ୱଂସ କରି ସାରିଛି। ଏବେ ଦେଶର ପ୍ରାୟ ସବୁ ଲୋକ ଉପକୂଳରେ ରହୁଛନ୍ତି। ସେଠାରେ ସମୁଦ୍ର ପତନ ବୃଦ୍ଧି ପାଇବାର ବିପଦ ବଢ଼ିବାରେ ଲାଗିଛି। ଫସଫେଟ ଭଣ୍ଡାର ଖାଲି ହେବା ପରେ ନୌରୁ ଅନ୍ୟ ଉପାୟରେ ଆୟ କରିବାକୁ ଚେଷ୍ଟା କରୁଛି।
୨୦୦୦ ମସିହା ଠାରୁ ଅଷ୍ଟ୍ରେଲିଆ ଯିବାକୁ ଚେଷ୍ଟା କରୁଥିବା ଶରଣାର୍ଥୀଙ୍କ ପାଇଁ ନୌରୁ ପକ୍ଷରୁ ଉପକୂଳବର୍ତ୍ତୀ ଅଟକ କେନ୍ଦ୍ର ଖୋଲା ଯାଇଥିଲା। କିନ୍ତୁ କେନ୍ଦ୍ର ଗୁଡ଼ିକରେ ଆବଶ୍ୟକ ସେବା ନ ମିଳିବା ଓ ସେଠାରେ ଶରଣାର୍ଥୀଙ୍କ ଜୀବନ ଯିବା ମଧ୍ୟ ନୌରୁର ଆୟକୁ ହ୍ରାସ କରି ଦେଇଛି। ଏବେ ନିଜ ଦେଶର ଲୋକଙ୍କ ପାଇଁ ନୌରୁ ସରକାର ନାଗରିକତା ବିକ୍ରି କରିବାକୁ ଚାହୁଁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
