ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଗିରଫ କରିବାକୁ ନେଇ ଚାଲିଛି ଛକପଞ୍ଝା। କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଘର ଆଗରେ ଡେରା ଜମାଇଛି। ଏହାରି ଭିତରେ ଇମ୍ରାନଙ୍କ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଆଜି ମଧ୍ୟ ତାଙ୍କ ଗିରଫଦାରୀକୁ ବିରୋଧ ଜାରି ରହିଛି। ଜମାନ ପାର୍କ ସ୍ଥିତ ଇମ୍ରାନଙ୍କ ଘର ନିକଟରେ ପିଟିଆଇ ସମର୍ଥକ ଓ ପୁଲିସ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଆଜି ବି ପୁଲିସ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଛି।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ତୋସାଖାନା ମାମଲାରେ ପୁଲିସ ଆଜି ଭୋରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ହେଲେ ଏଥିରେ ବିଫଳ ହୋଇଥିଲା ପୁଲିସ। ସେପଟେ ଏବେ ଇମ୍ରାନ୍ ମାର୍ଚ୍ଚ ୧୮ ତାରିଖରେ କୋର୍ଟରେ ହାଜର ହେବେ ବୋଲି କହିଛନ୍ତି। ଏନେଇ ଲାହୋର ହାଇକୋର୍ଟର ବାର୍ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ଗତକାଲି ରାତିରେ ତାଙ୍କୁ ଗିରଫ କରିବାକୁ ପୁଲିସ୍ ପହଞ୍ଚିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟ ହୋଇଥିଲା। ଇମ୍ରାନଙ୍କ ସମର୍ଥକ ପୁଲିସ୍ ଉପରକୁ ଟେକା ପଥର ମାଡ଼ କରିଥିବା ବେଳେ ପୁଲିସ୍ ଭିଡ଼କୁ ଘଉଡ଼ାବାକୁ ପାଣି ସ୍ପ୍ରେ କରିଥିଲା।
୭୦ ବର୍ଷୀୟ ଏହି କ୍ରିକେଟ୍ କିମ୍ବଦନ୍ତୀ ଇମ୍ରାନ ଖାନ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ନିଜ ପ୍ରଧାନମନ୍ତ୍ରୀତ୍ୱ କାଳରେ ଇମ୍ରାନ ଖାନ ବିଦେଶୀ ପ୍ରତିପକ୍ଷଙ୍କଠାରୁ ପାଇଥିବା ଉପହାରକୁ ବେନିୟମ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନର ନିର୍ବାଚନ ଆୟୋଗ ଏହି ମାମଲାରେ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଗତ ସପ୍ତାହରେ ଜାମିନ ବୀହିନ ଗିରଫ ପରୱାନା ଜାରି ହୋଇଥିବା ବେଳେ ୧୬ ତାରିଖ ପର୍ଯ୍ୟନ୍ତ ୱାରେଣ୍ଟ ସ୍ଥଗିତ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।