Putin
ୟୁକ୍ରେନ ଯୁଦ୍ଧ ଉପରେ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ ଯେତେବେଳେ ଆଲାସ୍କାରେ ପହଞ୍ଚିଲେ ସେତେବେଳେ ପରିବେଶ ପୂରା ଥଣ୍ଡା ଥିଲା। ତାପମାତ୍ରା ୯ ଡିଗ୍ରୀକୁ ଖସି ଯାଇଥିଲା। ପୂରା ବିଶ୍ୱ ଭାବୁଥିଲା ଯେ ଆଲୋଚନା ପୂରା ଗରମାଗରମ ରହିବ।
କାରଣ ଆଲୋଚନାକୁ ଯିବା ପୂର୍ବରୁ ଟ୍ରମ୍ପ ରଣହୁଙ୍କାର ଦେଇଥିଲେ। ଆଲୋଚନା ଖରାପ ଦିଗକୁ ଗଲେ ସେ ଚାଲି ଆସିବେ ବୋଲି କହିଥିଲେ। ହେଲେ ପୁଟିନଙ୍କୁ ଟ୍ରମ୍ପଙ୍କ ସ୍ୱାଗତ ଓ ଏହାପରର ଘଟଣାକ୍ରମ ପୂରା ବିଶ୍ୱ ମିଡିଆର ସିଲାବସ ବାହାରେ ରହିଥିଲା।
ଟ୍ରମ୍ପ ରଣହୁଙ୍କାର ଦେଇ ବୈଠକକୁ ଆସିଥିଲେ। ସେ ପୁଟିନକୁ ଧମକ ଦେଇଥିଲେ। ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ସେ ଯଦି ବୁଝାମଣା କରିବେ ନାହିଁ, ତା’ହେଲେ ଏହାର ପରିଣାମ ବେଶ ଭୟଙ୍କର ହେବ। ସେ ଅନେକ କଟକଣା ଲଗାଇବେ। କିନ୍ତୁ ଯେତେବେଳେ ଦୁଇ ନେତା ପରସ୍ପରକୁ ଭେଟିଲେ ସେତେବେଳେ ଟ୍ରମ୍ପଙ୍କ ସବୁ ଦମ୍ଭୋକ୍ତି ଫୁସକି ଯାଇଥିଲା।
ଅନେକ ବର୍ଷ ପରେ ପୁଟିନ ଆମେରିକା ମାଟିରେ ପାଦ ଥାପି ଥିବା ବେଳେ ତାଙ୍କୁ ରାଜକୀୟ ଢଙ୍ଗରେ ସ୍ୱାଗତ କରାଯାଇଥିଲା। ରେଡ କାର୍ପେଟ ବିଛାଇବା ପାଇଁ ଆମେରିକା ସେନାକୁ ଆଣ୍ଠେଇବାକୁ ପଡ଼ିଥିଲା। ଟ୍ରମ୍ପ ମଧ୍ୟ ନିଜେ ଏୟାରବେସ୍କୁ ଆସି ପୁଟିନଙ୍କୁ ସ୍ୱାଗତ କରିଥିଲେ।
ଏତେ ସବୁ ପରେ ୩ ଘଣ୍ଟା ଧରି ବିଶ୍ୱର ଦୁଇ ମହାଶକ୍ତି ଆଲୋଚନା କଲେ। ହେଲେ ଫଳ ଶୂନ। ୪ ବର୍ଷ ହେଲା ଚାଲିଥିବା ୟୁକ୍ରେନ ଯୁଦ୍ଧ ଉପରେ ରୋକ ଲଗାଇବାକୁ ଦୁଇ ନେତା ରାଜି ହୋଇ ନାହାନ୍ତି। ପୂର୍ବରୁ ପୁଟିନକୁ ଧମକ ଦେଉଥିବା ଟ୍ରମ୍ପ ଏବେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କିଙ୍କ କୋର୍ଟକୁ ଭଲ ଫିଙ୍ଗିଛନ୍ତି।
ଯୁଦ୍ଧ ବନ୍ଦ କରିବାକୁ ଜେଲେନସ୍କି ଡିଲ କରନ୍ତୁ ବୋଲି ସେ ମତ ରଖିଛନ୍ତ। ଏପରି କି ସେ ଜେଲେନସ୍କି ଫୋନରେ ସବୁ କଥା କହିବା ସହ ତାଙ୍କ ସହ ସୋମବାର ବୈଠକ ମଧ୍ୟ କରିବେ। ଏନେଇ ଜେଲେନସ୍କି ସୋମବାର ଆମେରିକା ଗସ୍ତ କରିବେ ବୋଲି ଜଣାପଡ଼ିଛି।
ଆରମ୍ଭର ଘଟଣା
ବୈଠକ ଆରମ୍ଭର ଦୃଶ୍ୟ ବେଶ ନାଟକୀୟ ଥିଲା। ପୁଟିନଙ୍କୁ ଆଲାସ୍କାର ଆଙ୍କୋରାଜେକୁ ଆଣିବା ପାଇଁ ଆମେରିକର ୪ ଯୁଦ୍ଧ ବିମାନ ଏସକର୍ଟ ସାଜିଥିଲେ। ତାଙ୍କୁ ରେଡ କାର୍ପେଟରେ ସ୍ୱାଗତ କରାଯାଇଥିଲା। ବେଧଡ଼କ ଅନ୍ଦାଜରେ ପୁଟିନ ଚାଲିଚାଲି ଆସୁଥିବା ବେଳେ ଟ୍ରମ୍ପ ୩ ଥର ତାଳି ମାରି ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ହସ୍ତ ମିଳନ ହୋଇଥିଲା। ଏହା କିଛି ସେକେଣ୍ଡ ଧରି ଚାଲିଥିଲା ଓ ଦୁଇ ନେତା ପରସ୍ପରକୁ ସ୍ମିତ ହାସ୍ୟ ଦେଇଥିଲେ।
ଉଭୟ ପରସ୍ପରର ପିଠିକୁ ଥାପୁଡ଼ାଇଥିଲେ। ଦୁଇ ନେତା ରେଡ କାର୍ପେଟରେ ଚାଲିଚାଲି ଅସ୍ଥାୟୀ ପୋଡିୟମ ଆଡ଼ୁ ଯାଇଥିଲେ। ସେମାନଙ୍କୁ ସେନା ବାହିନୀ ସଲାମ କରିଥିଲା। ଆକାଶ ପଥରେ ୟୁଏସ୍ ଏଫ-୨୨ ଯୁଦ୍ଧ ବିମାନ ଓ ବି-୨ ବମ୍ବର୍ସ ମଧ୍ୟ ଉଡ଼ାଣ ଭରି ସମ୍ମାନ ଜଣାଇଥିଲା।
ପୁଟିନ ଓ ଟ୍ରମ୍ପଙ୍କୁ ଦେଖିଲେ ଲାଗୁଥିଲା ସେମାନେ ପରସ୍ପରର ଉପସ୍ଥିତିକୁ ବେଶ ଉପଭୋଗ କରୁଛନ୍ତି। ପୋଡିୟମ ପାଖରେ ଉଭୟ ପୁଣି ହାତ ମିଳାଇବା ସହ ଫଟୋ ପୋଜ ଦେଇଥିଲେ। ଏହି ସମୟରେ ସାମ୍ବାଦିକମାନେ ଅନେକ ପ୍ରଶ୍ନ କରିଥିଲେ ହେଁ କେହି ବି ଉତ୍ତର ଦେଇଥିଲେ।
ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ “ରାଷ୍ଟ୍ରପତି ପୁଟିନ ଆପଣ ସାଧାରଣ ଲୋକଙ୍କୁ ହତ୍ୟା କରିବା ବନ୍ଦ କରିବେ କି?” ରୁଷ ରାଷ୍ଟ୍ରପତି ନିଜ କାନରେ ହାତ ମାରି ପ୍ରଶ୍ନ ନଶୁଣାଯିବା ଭଳି ଅଭିନୟ କରିଥିଲେ।
ଘଟଣାରେ ଟ୍ୱିଷ୍ଟ
ଏଠାରେ ପୂରା ଘଟଣା ନୂଆ ମୋଡ ନେଇଥିଲା। ଯିବାର ସମୟ ଆସିଗଲା ବୋଲି ପୁଟିନଙ୍କୁ ଇଙ୍ଗିତ କରିଥିଲେ ଟ୍ରମ୍ପ। ସମସ୍ତଙ୍କୁ ଚକିତ କରି ଉଭୟ ନେତା ଆମେରିକା ରାଷ୍ଟ୍ରପତିଙ୍କ ଗାଡ଼ି ଦ ବିଷ୍ଟର ପଛ ପାଖରେ ଏକାଠି ବସିଥିଲେ। ପୂର୍ବରୁ ଏକାଠି ଯାତ୍ରା ପାଇଁ ଯୋଜନା ହୋଇଥିଲା କି ନାହିଁ, ସେକଥା ସ୍ପଷ୍ଟ ହୋଇନି। ଏନବିସି ନ୍ୟୁଜି ରିପୋର୍ଟରେ କୁହାଯାଇଛି ଯେ ପୁଟିନଙ୍କୁ ନେବା ପାଇଁ ମସ୍କୋ ନମ୍ବର ପ୍ଲେଟ ଥିବା ଗାଡ଼ି ଅପେକ୍ଷା କରିଥିଲା। ତଥାପି ସେ ଟ୍ରମ୍ପଙ୍କ ଗାଡ଼ିରେ ବସି ଯାତ୍ରା କରିଥିଲେ।
ଦୁଇ ଜଣ କଳା ରଙ୍ଗ ଦ ବିଷ୍ଟରେ ଯାତ୍ରା କରିବା ସହ ପରସ୍ପର ସହ କଥା ହୋଇଥିଲେ। ଗାଡ଼ି ମିଟିଂ ସ୍ଥଳକୁ ଯିବା ବେଳେ ପୁଟିନ କେବଳ ହସିବାରେ ଲାଗିଥିଲେ। ମିଟିଂ ସ୍ଥଳରେ ପହଞ୍ଚିବାକୁ ୧୦ ମିନିଟ ସମୟ ଲାଗିଥିଲା। ସେମାନଙ୍କ ହାବଭାବରୁ ଲାଗୁଥିଲା ୨୪ ଘଣ୍ଟା ମଧ୍ୟରେ ସାଢ଼େ ୩ ବର୍ଷ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧ ସମାପ୍ତ ହେବ।
ବୈଠକ ପରେ କ’ଣ ହେଲା
ଦୁଇ ନେତା ୟୁକ୍ରେନ ସହ ଯୁଦ୍ଧ, ଟାରିଫ ଡିଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କଲେ। ୩ ଘଣ୍ଟାର ବୈଠକ ପରେ ଉଭୟ ନେତା ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଥିଲେ। ହେଲେ ୟୁକ୍ରେନ ଯୁଦ୍ଧ ବନ୍ଦ ହେବ ବୋଲି ସିଧାସଳଖ ଘୋଷଣା କରି ନଥିଲେ। କେବଳ ଉଭୟ ପରସ୍ପରକୁ ପ୍ରଶଂସା କରିଥିଲେ ଓ ଆଲୋଚନା ବେଶ ସକାରାତ୍ମକ ରହିଥିବା ଘୋଷଣା କରିଥିଲେ।
ବୈଠକ ପରେ ଟ୍ରମ୍ପ କହିଛନ୍ତି, ରୁଷ-ୟୁକ୍ରେନ ଶାନ୍ତି ନେଇ ଶୀଘ୍ର ସମାଧାନର ହେବ। ଡିଲ୍ ନହେବା ପର୍ଯ୍ୟନ୍ତ, ଅର୍ଥାତ୍ ନିଷ୍କର୍ସ ନ ବାହାରିବା ପର୍ଯ୍ୟନ୍ତ କୌଣସି ଡିଲ୍ ହେବନି। ସେ ସିଧା ଜେଲେନସ୍କିଙ୍କ କୋର୍ଟକୁ ବଲ ଫିଙ୍ଗିଥିଲେ।
ପୁଟିନ କହିଛନ୍ତି, ଟ୍ରମ୍ପଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି। ୨୦୨୨ରେ ଟ୍ରମ୍ପ୍ ଯଦି ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥାଆନ୍ତେ, ତା’ହେଲେ ୟୁକ୍ରେନ୍ ସହ ବିବାଦ ଉପୁଜିନଥାନ୍ତା। ଟ୍ରମ୍ପଙ୍କ ସହ ଆଲୋଚନା ୟୁକ୍ରେନ୍ ବିବାଦ ଶେଷ କରିବା ଦିଗରେ ଏକ ଆରମ୍ଭ ବୋଲି କହିବା ସହ ୟୁକ୍ରେନ ଓ ୟୁରୋପ ଏହାକୁ ନଷ୍ଟ ନ କରନ୍ତୁ ବୋଲି ଅପିଲ୍ କରିଛନ୍ତି ପୁଟିନ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Putin_1755331378.jpg)