Advertisment

ଖସିଥିଲା ୭ ଯୁଦ୍ଧ ବିମାନ: ଭାରତ-ପାକ ଯୁଦ୍ଧ ବିରତି ଦାବି ଦୋହରାଇଲେ ଟ୍ରମ୍ପ

ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ-ପାକିସ୍ତାନ ଲଢ଼େଇ ବେଳେ ୭ କିମ୍ବା ସମ୍ଭବତଃ ତା’ଠାରୁ ଅଧିକ ଯୁଦ୍ଧ ବିମାନ ଖସିଥିଲା। କିନ୍ତୁ କେଉଁ ଦେଶର ବିମାନ ଖସି ଥିଲା, ସେକଥା ଟ୍ରମ୍ପ ସ୍ପଷ୍ଟ କରି ନାହାନ୍ତି।

author-image
Hemant Lenka
Donald Trump

Donald Trump

ଭାରତ ଉପରେ ଆଜି ଠାରୁ ବିଧିବଦ୍ଧ ଭାବେ ୫୦% ଟାରିଫ ନିୟମକୁ ଲାଗୁ କରିଛି ଆମେରିକା। ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ଜିନିଷ ଉପରେ ଏଣିକି ୫୦% ଶୁଳ୍କ ଲାଗୁ ହେବ। ଏହାକୁ ନେଇ ଭାରତୀୟ ବ୍ୟବସାୟୀ ଚିନ୍ତାରେ ଥିବା ବେଳେ ପୁରୁଣା କଥା ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ସାମରିକ ବିବାଦର ସମାଧାନ କରିଥିବା କଥାକୁ ପୁଣି ବିଶ୍ୱ ଆଗରେ ଉପସ୍ଥାପନ କରିଛନ୍ତି।

Advertisment

ଏଥିସହ ଟ୍ରମ୍ପ ଆହୁରି ଦାବି କରିଛନ୍ତି ଯେ ଭାରତ-ପାକିସ୍ତାନ ଲଢ଼େଇ ବେଳେ ୭ କିମ୍ବା ସମ୍ଭବତଃ ତା’ଠାରୁ ଅଧିକ ଯୁଦ୍ଧ ବିମାନ ଖସିଥିଲା। କିନ୍ତୁ କେଉଁ ଦେଶର ବିମାନ ଖସି ଥିଲା, ସେକଥା ଟ୍ରମ୍ପ ସ୍ପଷ୍ଟ କରି ନାହାନ୍ତି।

ସେ ସାମ୍ବାଦିକମାନଙ୍କୁ କହିଛନ୍ତି, “ଯଦି ମୁଁ ଅଟକାଇ ନଥାଆନ୍ତି, ତା’ହେଲେ ଭାରତ-ପାକିସ୍ତାନ ଆଣବିକ ଲଢ଼େଇକୁ ଗତି କରିଥାଆନ୍ତେ। ମୁଁ ସେମାନଙ୍କୁ ଲଢ଼େଇ କରିବାର ଦେଖିଥିଲି, ଏହାପରେ ୭ଟି ଯୁଦ୍ଧ ବିମାନ ଖସିଥିବା ମୁଁ ଦେଖିଲି। ମୁଁ କହିଥିଲି ଏହା ଭଲ ନୁହେଁ।”

Advertisment

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆହୁରି ଦାବି କରିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ସହ ଯୁଦ୍ଧ ବିରତି ଲାଗୁ କରାଇବାକୁ ରାଜି କରାଇଥିଲେ। ଏହି ସମୟରେ ସେ ଟାରିଫ ଧମକ ଦେଇଥିଲେ। ନିଜର କଥାବାର୍ତ୍ତାକୁ ମନେ ପକାଇ ଟ୍ରମ୍ପ କହିଛନ୍ତି, “ମୁଁ ଜଣେ ଚମତ୍କାର ମଣିଷ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲି। ମୁଁ କହିଥିଲି ଯେ ତୁମର ଓ ପାକିସ୍ତାନ ମଧ୍ୟରେ କ’ଣ ଚାଲିଛି।”

ଟ୍ରମ୍ପଙ୍କ କହିବା କଥା ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସତର୍କ କରାଇ କହିଥିଲେ ଯେ ଉତ୍ତେଜନା ବଢ଼ିଲେ ୱାଶିଂଟନ ବାଣିଜ୍ୟ ବୁଝାମଣାରୁ ଓହରି ଯିବ। ଟ୍ରମ୍ପ କହିଛନ୍ତି, “ମୁଁ ତାଙ୍କୁ କହିଥିଲି ଯେ ମୁଁ ତୁମ ସହ ବାଣିଜ୍ୟ ଡିଲ କରିବାକୁ ଚାହୁଁନାହିଁ । ତୁମେ ଦୁଇ ଜଣ ଆଣବିକ ଯୁଦ୍ଧ ଆଡ଼କୁ ଯାଉଛ। ମୋତେ କାଲି କଲ କରିପାର। କିନ୍ତୁ ଆମେ ତୁମମାନଙ୍କ ସହ କୌଣସି ଡିଲ କରିବୁ ନାହିଁ। ନଚେତ ଆମେ ତୁମ ମାନଙ୍କ ଉପରେ ଏତେ ପରିମାଣର ଟାରିଫ ଲାଗୁ କରିବୁ ଯେ ଯାହା ତୁମ ମୁଣ୍ଡକୁ ପୂରା ଘୂରାଇ ଦେବ।”

ଟ୍ରମ୍ପଙ୍କ ଏପରି ଚେତାବନୀର ୫ ଘଣ୍ଟା ମଧ୍ୟରେ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଇଥିଲା ଓ ପାକିସ୍ତାନ ସହ ଯୁଦ୍ଧ ବିରତି ଲାଗୁ ହୋଇଥିଲା ବୋଲି ସେ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି, “ଏବେ ଦୁଇ ଦେଶ ମଧ୍ୟରେ ବିବାଦ ପୁଣି ଆରମ୍ଭ ହୋଇପାରେ। ମୁଁ ସେକଥା ଜାଣିନି। ମୁଁ ସେମିତି କିଛି ଭାବୁନି। କିନ୍ତୁ ଆରମ୍ଭ ହେଲେ ମୁଁ ପୁଣି ଏହାକୁ ଅଟକାଇବି। ଆମେ ଏସବୁ ବିବାଦ ଘଟୁ ବୋଲି କେବେ ହେଲେ ଚାହୁଁନାହୁଁ।”

ପହଲଗାମ ନରସଂହାର ପରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଏହାର ବଦଲା ନେବାକୁ ପାକିସ୍ତାନ ଉଦ୍ୟମ କରିବାରୁ ୪ ଦିନ ଧରି ଦୁଇ ଦେଶ ମଧ୍ୟରେ ସାମରିକ ଲଢ଼େଇ ଦେଖିବାକୁ ମିଳିଥିଲା।

ତେବେ ମେ’ ୧୦ରେ ଟ୍ରମ୍ପ ସୋଶାଲ ମିଡିଆରେ ପ୍ରଥମେ ଦୁଇ ଦେଶ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିବା ଘୋଷଣା କରିଥିଲେ। ଏହାପରେ ସେ ବାରମ୍ବାର ଏକାକୀ ମଧ୍ୟସ୍ଥତା କରି ଭାରତ ଓ ପାକିସ୍ତାନ ବିବାଦର ସମାଧାନ କରିଥିବା ବାରମ୍ବାର ଦାବି କରି ଆସୁଛନ୍ତି।

PM Modi Donald Trump Operation Sindoor