ଡୋନାଲ୍ଡ ଟ୍ରମ୍ପ
ଭାରତ-ପାକିସ୍ତାନ ସାମରିକ ବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନବାଜୀ ଥମିବାର ନାଁ ଧରୁନି। ସବୁବେଳେ ଟ୍ରମ୍ପ ଏହି ବିବାଦକୁ ନେଇ ଚକିତ କରିବା ଭଳି ବୟାନ ଦେଇ ଚାଲିଛନ୍ତି। ଟ୍ରମ୍ପ କରୁଥିବା ଦାବିର କୌଣସି ସତ୍ୟାସତ ନଥିଲେ ହେଁ ସେ ନିଜର ମତ ବିଶ୍ୱ ଆଗରେ ଉପସ୍ଥାପନ କରି ଚାଲିଛନ୍ତି। ଏବେ ସେ ବିବାଦ ସମୟରେ ଖସିଥିବା ବିମାନ ସଂଖ୍ୟା ସମ୍ପର୍କରେ ନୂଆ ତଥ୍ୟ ଦେଇଛନ୍ତି। ଭାରତ-ପାକିସ୍ତାନ ବିବାଦରେ ସେ ଶାନ୍ତିଦୂତ ସାଜିଥିଲେ ବୋଲି ପୁଣି ଦୋହରାଇଛନ୍ତି।
ପୂର୍ବରୁ ଟ୍ରମ୍ପ ଭାରତ-ପାକିସ୍ତାନ ବିବାଦ ସମୟରେ ୫ଟି ବିମାନ ଖସି ଥିବା ଦାବି କରିଥିଲେ। ଏହାପରେ ଏହାକୁ ୭କୁ ବଢ଼ାଇଥିଲେ। ଏବେ ସେ ବିମାନ ଖସିବା ସଂଖ୍ୟାକୁ ୮ରେ ନେଇ ପହଞ୍ଚାଇ ଦେଇଛନ୍ତି। ଆମେରିକା ବ୍ୟବସାୟ ଫୋରମରେ ସେ ବାଣିଜ୍ୟ ଅପେକ୍ଷା ଭାରତ-ପାକିସ୍ତାନ ଯୁଦ୍ଧରେ କ’ଣ ସବୁ ଘଟିଥିଲା, ତା’ର ତଥ୍ୟ ଦେଇଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ସମୟରେ ୮ଟି ଯୁଦ୍ଧ ବିମାନ ଖସିଥିଲା।
ସେ କହିଛନ୍ତି, “ଆପଣ ଜାଣିଛନ୍ତି ଯେ ମୁଁ ଉଭୟ(ଭାରତ-ପାକିସ୍ତାନ)ଙ୍କ ମଝିରେ ବାଣିଜ୍ୟ ଡିଲ ଧରି ରହିଥିଲି। କିଛି ଖବର କାଗଜର ପ୍ରଥମ ପୃଷ୍ଠା ପଢ଼ିଥିଲି। ମୁଁ ଶୁଣିବାକୁ ପାଇଥିଲି ଯେ ସେମାନେ ଯୁଦ୍ଧକୁ ଯାଉଛନ୍ତି। ୭ଟି ଯୁଦ୍ଧ ବିମାନ ଖସିଥିଲା। ୮ମ ଯୁଦ୍ଧ ବିମାନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ୮ଟି ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିଲା।”
ଏହାପୂର୍ବରୁ ଟ୍ରମ୍ପ(Donald Trump) ଟୋକିଓରେ ଦାବି କରିଥିଲେ ଯେ “ଆପଣ ଯଦି ଭାରତ-ପାକିସ୍ତାନକୁ ଦେଖିବେ, ତା’ହେଲେ ସେମାନେ ଯୁଦ୍ଧ କରିବାକୁ ଆଗେଇ ଆସିଥିଲେ। ୭ଟି ନୂଆ ଓ ସୁନ୍ଦର ବିମାନ ଖସି ସାରିଥିଲା।”
ଏବେ ବ୍ୟବସାୟ ଫୋରମରେ ଟ୍ରମ୍ପ ପୁଣି ଭାରତ-ପାକିସ୍ତାନ ବିବାଦ କଥା ଉଠାଇଛନ୍ତି। ଏଥିସହ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ସମ୍ଭାବ୍ୟ ଆଣବିକ ଯୁଦ୍ଧକୁ ସେ ଅଟକାଇ ଦେଇଥିଲେ ବୋଲି ଦୋହରାଇଛନ୍ତି।
ଟ୍ରମ୍ପଙ୍କ ଯୁଦ୍ଧ ବନ୍ଦ ଦାବିକୁ ପାକିସ୍ତାନ(Pakistan) ସମର୍ଥନ କରିଥିଲେ ହେଁ ଭାରତ(India) ଏହାକୁ ଗ୍ରହଣ କରିନାହିଁ। ଦୁଇ ଦେଶ ସିଧାସଳଖ ପରସ୍ପର ସହ ଆଲୋଚନା କରି ଯୁଦ୍ଧ ବିରତି ପାଇଁ ରାଜି ହୋଇଥିଲେ ଓ ଏଥିରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରି ନଥିବା ନୂଆଦିଲ୍ଲୀ ବାରମ୍ବାର କହି ଆସିଛି। ତଥାପି ଟ୍ରମ୍ପ ନିଜର ଯୁଦ୍ଧ ବନ୍ଦ ଦାବି ଦୋହରାଇ ଚାଲିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/06/trunp-2025-11-06-13-50-02.jpg)