Advertisment

Donald Trump: ପୁଣି ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦର ଶ୍ରେୟ ନେବାକୁ ଅମାନିଆ ଟ୍ରମ୍ପଙ୍କ ଉଦ୍ୟମ

ଟ୍ରମ୍ପ ବାରମ୍ବାର ଏପରି ଦାବି କରି ଆସୁଥିଲେ ହେଁ ଭାରତ-ପାକିସ୍ତାନ ବିବାଦ ମଧ୍ୟରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରି ନଥିଲେ ବୋଲି ନୂଆଦିଲ୍ଲୀ ବାରମ୍ବାର କହି ଆସୁଛି।

author-image
Hemant Lenka
Trump1

ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ପୁଣିଥରେ ନିଜର ପୁରୁଣା ଦାବିକୁ ଦୋହରାଇଛନ୍ତି। ଗତବର୍ଷ ମେ’ ମାସରେ ଭାରତ-ପାକିସ୍ତାନ ସମ୍ଭାବ୍ୟ ଆଣବିକ ଯୁଦ୍ଧକୁ ସେ ବନ୍ଦ କରିଥିବା ବାହାସ୍ଫଟ ମାରିଛନ୍ତି। ନୂଆଦିଲ୍ଲୀ-ଇସଲାମାବାଦ ମଧ୍ୟରେ ଯୁଦ୍ଧ ବିରତି ଲାଗୁ କରିବା ୩୬୫ ଦିନର ଟ୍ରମ୍ପ ଶାସନର ସବୁଠାରୁ ବଡ଼ ଉପଲବ୍ଧି ବୋଲି ହ୍ୱାଇଟ ହାଉସ ପକ୍ଷରୁ ମଧ୍ୟ କୁହାଯାଇଛି।

Advertisment

ନିଜର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ଅବସରରେ ଟ୍ରମ୍ପ ହ୍ୱାଇଟ ହାଉସରୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ “ମୁଁ ୧୦ ମାସ ମଧ୍ୟରେ ୮ଟି ଅବିଶ୍ୱସନୀୟ ଯୁଦ୍ଧକୁ ଶେଷ କରିଛି। ପାକିସ୍ତାନ ଓ ଭାରତ ବି ଏହା ମଧ୍ୟରେ ରହିଛି। ସେମାନେ ଭୟଙ୍କର ଯୁଦ୍ଧ ଆଡ଼କୁ ଯାଉଥିଲେ। ୮ଟି ବିମାନ ଖସିଥିଲା। ମୋ ମତରେ ସେମାନେ ଆଣବିକ ମୁହାଁ ହୋଇଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଏଠାରେ(ୱାଶିଂଟନ) ଥିବା ବେଳେ କହିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ୧୦ ମିଲିୟନ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି।” 

ହ୍ୱାଇଟ ହାଉସର ଦାବି 

ଟ୍ରମ୍ପଙ୍କ ଏହି ବାହାସ୍ଫଟ ପରେ ହ୍ୱାଇଟ ହାଉସ ପକ୍ଷରୁ ମଧ୍ୟ ଗୋଟିଏ ଗୋଟିଏ ବିବୃତି ଜାରି କରାଯାଇଛି। ଏହାର ଶୀର୍ଷକ ରହିଛି ‘365 Wins in 365 Days: President Trump's Return Marks New Era of Success, Prosperity’। ଏଥିରେ ହ୍ୱାଇଟ ହାଉସ କହିଛି ଯେ ରାଷ୍ଟ୍ରପତି ଅନେକ ସଂସ୍କାରମୂଳକ ରେଜଲ୍ଟ ଦେଇଛନ୍ତି। ଏହା ମଧ୍ୟରେ ସୀମା ସୁରକ୍ଷା, ଅପରାଧ ହ୍ରାସ, ଅର୍ଥନୀତିର ପୁନରୁଦ୍ଧାର, ଶକ୍ତି କ୍ଷେତ୍ରରେ ଦବଦବା ଓ ଅନ୍ତର୍ଜାତୀୟ କୂଟନୀତି ପ୍ରମୁଖ ରହିଛି।

Advertisment

ବିଦେଶୀ ନୀତି ସମ୍ପର୍କରେ ହ୍ୱାଇଟ ହାଉସ କହିଛି ଯେ ଟ୍ରମ୍ପ ପ୍ରଶାସନ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିଛି। ଏହାବାଦ ଆହୁରି ଅନେକ ସ୍ଥାନରେ ମଧ୍ୟ ଟ୍ରମ୍ପ ପ୍ରଶାସନ ସକାରାତ୍ମକ କୂଟନୀତି ବଦଳରେ ବିବାଦର ସମାଧାନ କରିଥିବା ହ୍ୱାଇଟ ହାଉସ କହିଛି। 

ଟ୍ରମ୍ପ ବାରମ୍ବାର ଏପରି ଦାବି କରି ଆସୁଥିଲେ ହେଁ ଭାରତ-ପାକିସ୍ତାନ ବିବାଦ ମଧ୍ୟରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରି ନଥିଲେ ବୋଲି ନୂଆଦିଲ୍ଲୀ ବାରମ୍ବାର କହି ଆସୁଛି। ତଥାପି ଟ୍ରମ୍ପ ଓ ଆମେରିକେ ଅମାନିଆଙ୍କ ଭଳି ଯୁଦ୍ଧ ବିରତିର ଶ୍ରେୟ ନେବାକୁ ଉଦ୍ୟମ କରି ଚାଲିଛନ୍ତି। 

Donald Trump