/odisha-reporter/media/post_attachments/uploadimage/library/16_9/16_9_0/Trump_1752905156.jpg)
Trump
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତୀବ୍ର ବିବାଦକୁ ସମାଧାନ କରିଥିବା ନେଇ ପୁଣି ଥରେ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିସହ ଅପରେସନ ସିନ୍ଦୂରକୁ ନେଇ ନୂଆ ଦାବି ମଧ୍ୟ କରିଛନ୍ତି। ତାଙ୍କ କହିବା କଥା ଯେ ଦୁଇ ଆଣବିକ କ୍ଷମତା ସମ୍ପନ୍ନ ଦେଶ ପରସ୍ପର ଉପରେ ଘନଘନ ଆକ୍ରମଣ କରୁଥିଲେ। ୪ରୁ ୫ ଯୁଦ୍ଧ ବିମାନ ମଧ୍ୟ ଲଢ଼େଇ ବେଳେ ଖସିଥିଲା। ବାଣିଜ୍ୟ ଆଲୋଚନା ଦ୍ୱାରା ବିବାଦ ସମାଧାନ ହୋଇଥିଲା। କିନ୍ତୁ ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଭୟଙ୍କର ଲଢ଼େଇ ହୋଇଥିଲା ବୋଲି ଟ୍ରମ୍ପ କହିଛନ୍ତି।
ନିଜ ଦଳ ରିପବ୍ଲିକାନର ସାଂସଦମାନଙ୍କ ସହ ଟ୍ରମ୍ପ ଶୁକ୍ରବାର ଗୋଟିଏ ଘରୋଇ ଡିନର ପାର୍ଟିରେ ଯୋଗ ଦେଇଥିଲେ। ହ୍ୱାଇଟ ହାଉସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, “ଆମେ ଅନେକ ଯୁଦ୍ଧ ଅଟକାଇ ପାରିଛୁ। ସେଗୁଡ଼ିକ ବେଶ ସାଂଘାତିକ ଥିଲା। ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଲଢ଼େଇ କରୁଥିଲେ। ଉଭୟ ଆଣବିକ କ୍ଷମତା ସମ୍ପନ୍ନ ରାଷ୍ଟ୍ର। ସେମାନେ ପରସ୍ପରକୁ ଆଟାକ କରୁଥିଲେ। ଆପଣମାନେ ଜାଣିଛନ୍ତି ଗୋଟିଏ ନୂଆ ଧରଣର ଯୁଦ୍ଧ ଚାଲିଥିଲା। ଆକାଶ ପଥରେ ଯୁଦ୍ଧ ବିମାନକୁ ଟାର୍ଗେଟ କରାଯାଉଥିଲା। ୫, ୫, ୪ କିମ୍ବା ୫। କିନ୍ତୁ ମୁଁ ଭାବୁଛି ୫ଟି ଯୁଦ୍ଧ ବିମାନ ବାସ୍ତବରେ ଖସି ଥିଲା।”
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ତାଙ୍କ ପ୍ରଶାସନ କେମିତି ବାଣିଜ୍ୟକୁ ମୁଖ୍ୟ ଅସ୍ତ୍ର କରିଥିଲା, ସେକଥା ଟ୍ରମ୍ପ ଦୋହରାଇଛନ୍ତି। ସେ କହିଛନ୍ତି, “ଭାରତ ଓ ପାକିସ୍ତାନ ଯୁଦ୍ଧ ସ୍ଥିତିରେ ପହଞ୍ଚି ଯାଇଥିଲେ। ସେମାନେ ପଛକୁ ଫେରୁଥିଲେ ଓ ପୁଣି ଆକ୍ରମଣ କରୁଥିଲେ। ସମୟ ଗଢ଼ିବା ସହ ଏହି ବିବାଦ ତୀବ୍ର ହେବାରେ ଲାଗିଥିଲା। ଆମେ ଏହାକୁ ଟ୍ରେଡ ଆଲୋଚନା ଦ୍ୱାରା ସମାଧାନ କରିଥିଲୁ।
ଆମେ ଉଭୟଙ୍କୁ କହିଥିଲୁ ଯେ ତୁମେମାନେ ଗୋଟିଏ ଟ୍ରେଡ ଡିଲ୍ କର। ଯଦି ତୁମେମାନେ ପରସ୍ପର ଉପରେ ଆକ୍ରମଣ ଜାରି ରଖିବ, ତା’ହେଲେ ଆମେ ବାଣିଜ୍ୟ ଡିଲ କରିବୁ ନାହିଁ। ସମ୍ଭବତଃ ସେମାନେ ଆଣବିକ ଯୁଦ୍ଧାସ୍ତ୍ର ଦ୍ୱାରା ଆଟାକ କରିଥାଆନ୍ତେ। ଉଭୟ ବେଶ ଶକ୍ତିଶାଳୀ ଆଣବିକ ଯୁଦ୍ଧାସ୍ତ୍ର ରଖିଥିବା ଦେଶ। ଟ୍ରେଡ ଡିଲ୍ ଦ୍ୱାରା ମେ ବିବାଦର ସମାଧାନ କରିଥିଲୁ।”
ଟ୍ରମ୍ପ ଆହୁରି ଦାବି କରିଛନ୍ତି ଇରାନର ଆଣବିକ କାର୍ଯ୍ୟକ୍ରମକୁ ଆମେରିକା ସଂପୂର୍ଣ୍ଣ ରୂପେ ଧ୍ୱଂସ କରି ଦେଇଛି। ସେ କହିଛନ୍ତି, “ଆପଣମାନେ ନିକଟରେ ଦେଖିବେ, ଇରାନ ସହ ଆମେ କ’ଣ କରିଛୁ। ଇରାନର ଆଣବିକ କାର୍ଯ୍ୟକ୍ରମକୁ ଆମେ ଧ୍ୱଂସ କରି ଦେଇଛୁ। ଏହା ସଂପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଛି।”
ଭାରତ-ପାକିସ୍ତାନ ଯୁଦ୍ଧକୁ ଟ୍ରମ୍ପ ସମାଧାନ କରିଥିବା ବାରମ୍ବାର କହି ଆସୁଥିଲେ ହେଁ ଏହାକୁ ନୂଆଦିଲ୍ଲୀ ଖଣ୍ଡନ କରି ଆସିଛି। ଭାରତର ଆକ୍ରମଣରେ ଘାଇଲା ହେବା ପରେ ପାକିସ୍ତାନ ପ୍ରଥମେ ଯୁଦ୍ଧ ବିରତି ଲାଗୁ କରିବାକୁ ଅନୁରୋଧ କରିଥିଲେ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
