/odisha-reporter/media/post_attachments/uploadimage/library/16_9/16_9_0/Trump_1747302401.jpg)
Trump
ଦୀର୍ଘ ବର୍ଷ ଧରି ରହିଥିବା ଆମେରିକାର ନୀତିକୁ ବଦଳାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବାରୁ ସିରିୟାକୁ ଆମେରିକା ସବୁବେଳେ ଅଣଦେଖା କରି ଆସୁଥିଲା। ଆମେରିକାର ସବୁ ନୀତି ସିରିୟା ବିରୋଧରେ ରହୁଥିଲା। କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏହା ବଦଳି ଯାଇଛି। ଟ୍ରମ୍ପ ସବୁ ପରମ୍ପରା ଓ ନୀତିକୁ ଅଣଦେଖା କରି ସିରିୟାର ଅନ୍ତରୀଣ ରାଷ୍ଟ୍ରପତି ଅହମଦ ଅଲ ଶାରାଙ୍କୁ ଭେଟିଛନ୍ତି।
ଅହମଦ ହେଉଛନ୍ତି ବିଦ୍ରୋହୀ ସଂଗଠନ ହାୟତ ତାହରିର ଅଲ ଶାମ(ଏଚଟିଏସ)ର ପୂର୍ବତନ ଲିଡର। ଆମେରିକା ବିରୋଧରେ ସବୁବେଳେ ଷଡ଼ଯନ୍ତ୍ର କରି ଚାଲିଥିବା ଅଲକାଏଦାର ଏହା ଚ୍ଛାୟା ଆତଙ୍କବାଦୀ ସଂଗଠନ। ଆମେରିକା ପକ୍ଷରୁ ଏହାକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନ ମଧ୍ୟ ଘୋଷଣା କରାଯାଇଥିଲା। ହେଲେ ଅଲକାଏଦା ସହ ଲିଙ୍କ ରଖିଥିବା ଗୋଟିଏ ସଂଗଠନର ନେତାକୁ ଟ୍ରମ୍ପ ଭେଟିବା ସମସ୍ତଙ୍କୁ ଚକିତ କରିଛି।
ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ଅହମଦ ଏକଦା ଜଣେ ଆତଙ୍କବାଦୀ ଥିଲେ। ଆମେରିକା ବିରୋଧରେ ବି ସେ ଲଢ଼େଇ କରି ଅନେକ କ୍ଷତି କରିଥିଲେ। କିନ୍ତୁ ବନ୍ଧୁକ ମୁନରେ ତାଙ୍କ ସଂଗଠନ ସିରିୟାକୁ ଦଖଲ କରିବା ପରେ ସେ ଅନ୍ତରୀଣ ରାଷ୍ଟ୍ରପତି ହୋଇଛନ୍ତି। ଆତଙ୍କବାଦୀରୁ ରାଷ୍ଟ୍ରପତି ହୋଇଥିବା ଅହମଦଙ୍କୁ ଟ୍ରମ୍ପ ସାଉଦି ଆରବର ରିୟାଦରେ ଭେଟିଛନ୍ତି। ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଅନୁରୋଧକ୍ରମେ ଟ୍ରମ୍ପ ଓ ଅହମଦଙ୍କ ମଧ୍ୟରେ ଭେଟଘାଟ ହୋଇଛି। ଏହି ଭେଟଘାଟ ପୂର୍ବରୁ ୧୯୭୯ରୁ ସିରିୟା ଉପରେ ଆମେରିକା ଲଗାଇଥିବା କଟକଣାକୁ ଟ୍ରମ୍ପ ହଟାଇ ଦେଇଥିଲେ।
ବୈଠକ ପରେ ଟ୍ରମ୍ପ କହିଛନ୍ତି ଯେ ଅହମଦ ଅଲ ଶାରା ନିଶ୍ଚିତ ଭାବେ ଯୁଦ୍ଧ କ୍ଷତିଗ୍ରସ୍ତ ସିରିୟାରେ ଭଲ କାମ କରୁଛନ୍ତି। ସେ ପୂର୍ବତନ ଆତଙ୍କବାଦୀ ଅହମଦଙ୍କୁ ଜଣେ ଆକର୍ଷଣୀୟ ଯୁବକ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି।
ଏୟାର ଫୋର୍ସ ୱାନକୁ ଟ୍ରମ୍ପ କହିଛନ୍ତି, “ଅଲ ଶାରା ଜଣେ ଯୁବକ, ଆକର୍ଷଣୀୟ ପିଲା। ଚମତ୍କାର ବ୍ୟକ୍ତି। ତାଙ୍କ ଅତୀତ ବେଶ ମଜୁବତ। ସେ ଜଣେ ଯୋଦ୍ଧା। ଏସବୁକୁ ଏକାଠି ରଖିବାର କଳା ତାଙ୍କୁ ବେଶ ଭଲ ଭାବେ ଜଣା।”
ସିରିୟାର କୌଣସି ନେତାଙ୍କୁ ଭେଟିବାରେ ଟ୍ରମ୍ପ ହେଉଛନ୍ତି ଆମେରିକାର ପ୍ରଥମ ରାଷ୍ଟ୍ରପତି। ଭେଟଘାଟ ସମୟରେ ଏକଦା ଆତଙ୍କବାଦୀ ମାନ୍ୟତା ପାଇଥିବା ଅହମଦଙ୍କୁ ଟ୍ରମ୍ପ ଇସ୍ରାଏଲ ସହ ସମ୍ପର୍କକୁ ସ୍ୱଭାବିକ କରିବାକୁ ପରାମର୍ଶ ଦେଇଛନ୍ତି। ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବାରୁ ଆମେରିକା ୧୯୭୯ରେ ସିରିୟାକୁ କଳାତାଲିକା ଭୁକ୍ତ କରିଥିଲା। କିନ୍ତୁ ଭେଟଘାଟ ପରେ ମଧ୍ୟ ଏହି ତାଲିକାରୁ ସିରିୟାକୁ ହଟାଇବା ପାଇଁ ଟ୍ରମ୍ପ କୌଣସି ସଙ୍କେତ ଦେଇ ନାହାନ୍ତି। କିନ୍ତୁ ବଶର ଅଲ ଅସାଦଙ୍କ ଶାସନ ସମୟରେ ସିରିୟା ଉପରେ ଆମେରିକା ଲଗାଇଥିବା ଏକାଧିକ ଅନ୍ୟ କଟକଣାକୁ ଟ୍ରମ୍ପ ହଟାଇଛନ୍ତି। ଗତବର୍ଷ ଡିସେମ୍ବରେ ଅସାଦଙ୍କୁ ହଟାଇ ଅହମଦ ସିରିୟାର ଅନ୍ତରୀଣ ରାଷ୍ଟ୍ରପତି ହୋଇଥିଲେ।
ଅହମଦଙ୍କ ସହ ଭେଟଘାଟ କାହିଁକି ଚିନ୍ତାର ବିଷୟ?
ଟ୍ରମ୍ପ ଓ ଅହମଦଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ପୂରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏହାର କାରଣ ହେଉଛି ଅହମଦଙ୍କ ଭୟଙ୍କର ଅତୀତ। ରାଷ୍ଟ୍ରପତି ହେବା ପୂର୍ବରୁ ଅହମଦ ଜଣେ ଆତଙ୍କବାଦୀ ଥିଲେ। ସେ ଅବୁ ମହମ୍ମଦ ଅଲ ଜୁଲାନି ନାଁରେ କାମ କରୁଥିଲେ। ଅଲକାଏଦା ପାଇଁ କାମ କରିବା ବେଳେ ଅଲ ଶାରା ଇରାକରେ ଆମେରିକା ସେନା ବିରୋଧରେ ଲଢ଼େଇ କରୁଥିଲେ।
ଆମେରିକା ହେପାଜତରେ ମଧ୍ୟ ତାଙ୍କୁ ବେଶ କିଛି ବର୍ଷ କଟାଇବାକୁ ପଡ଼ିଥିଲା। ଏକଦା ଅଲ ଶାରାଙ୍କୁ ଧରିବା ପାଇଁ ଆମେରିକା ସରକାର ୧୦ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଥିଲା। ଆମେରିକାର ମୋଷ୍ଟ ୱାଣ୍ଟେଡ ଥିଲେ ଅଲ ଶାରା। କିନ୍ତୁ ସମୟକ୍ରମେ ଜୁଲାନି ନିଜର ପରିଚୟ ବଦଳାଇ ଦେଇଥିଲେ। ୨୦୨୪ ଡିସେମ୍ବର ୮ରୁ ଅସାଦ ଗାଦିଚ୍ୟୁତ ହେବା ପରେ ଅଲ ଶାରା ନିଜ ଦାଢ଼ିକୁ ଟ୍ରମିଂ କରି ଦେଇଥିଲେ। ପାରମ୍ପରିକ କୁର୍ତ୍ତା ପାଇଜାମା ଛାଡ଼ି ଏବେ ସେ ଶୁଟବୁଟ ପିନ୍ଧି ବିଶ୍ୱର ବିଭିନ୍ନ ନେତାଙ୍କୁ ଭେଟିବାରେ ଲାଗିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
