Advertisment

ଟ୍ରମ୍ପଙ୍କ ପୁଷ୍ପା ଷ୍ଟାଇଲ: କତର ସହ ଡବଲ୍‌ ଗେମ୍‌ ଓ ୪୦୦ ମିଲିୟନ ଡଲାରର ଧୋକା

ଟ୍ରମ୍ପଙ୍କ ଭୂମିକା କତର ମନରେ ସନ୍ଦେହର ମଞ୍ଜି ବୁଣି ଦେଇଛି। ଇସ୍ରାଏଲ ହମଲା ନୋବେଲ ଶାନ୍ତି ପୁରସ୍କାରର ଦିୱାନା ଟ୍ରମ୍ପଙ୍କ ସବୁ ମୁଖା ଖୋଲି ଦେଇଛି।

author-image
Hemant Lenka
Trump

Trump

ସୁପରହିଟ୍‌ ଫିଲ୍ମ ପୁଷ୍ପା: ଦ ରାଇଜରେ ଥିବା ଗୋଟିଏ ସିନ ପ୍ରାୟ ସମସ୍ତଙ୍କର ମନେଥିବ। ପୁଷ୍ପା ଚରିତ୍ରରେ ଥିବା ଅଲ୍ଲୁ ଅର୍ଜୁନ ଜଣେ କୁଖ୍ୟାତ ଚାଲାଣକାରୀର ଶାଳକଙ୍କୁ ମାରି ଦେଉଛନ୍ତି। ଲାଇଭ କଲରେ କୁଖ୍ୟାତ୍ ଚାଲାଣକାରୀ ଜଣଙ୍କ ନିଜ ଶାଳକଙ୍କ ଜୀବନ ଭିକ୍ଷା କରୁଥିବା ବେଳେ ପୁଷ୍ପା ତାଙ୍କୁ ମାରି ଦେଇଥିଲେ। ମାରିବା ସମୟରେ ସେ କୁଖ୍ୟାତ୍ ଚାଲାଣକାରୀ ଜଣଙ୍କୁ କହିଥିଲେ ଯେ “୫ ମିନିଟ ଆଗରୁ କଲ କରିବାର ଥିଲା, ଲେଟ କରିଦେଲ।” ଏକଥା କହିବା ବେଳେ କୁଖ୍ୟାତ୍ ଚାଲାଣକାରୀଙ୍କର ଶାଳକଙ୍କୁ ପୁଷ୍ପା ଗୁଳି କରିଥିଲେ।

Advertisment

ମଙ୍ଗଳବାର ଏଭଳି କିଛି ଘଟିଛି। ହମାସ ନେତାଙ୍କୁ ଟାର୍ଗେଟ କରି ଇସ୍ରାଏଲ ପକ୍ଷରୁ କତରରେ ବୋମା ମାଡ଼ କରାଯାଇଥିଲା। ଏହି ହମଲା ପଛରେ ଆମେରିକା ରାଷ୍ଟ୍ରପତିଙ୍କ ସମର୍ଥନ ରହିଥିଲା ବୋଲି ପ୍ରଥମେ ତେଲ ଅଭିଭ କହିଥିଲା। ତଥାପି ଟ୍ରମ୍ପ ନିଜ ଦୋଷ ଛଡ଼ାଇବାକୁ ପୁଷ୍ପା ଷ୍ଟାଇଲରେ କହିଥିଲେ ଯେ “ଦୁର୍ଭାଗ୍ୟଜନକ ଭାବେ ଆକ୍ରମଣକୁ ରୋକିବାରେ ବିଳମ୍ବ ହୋଇଗଲା।” ଆକ୍ରମଣ ସମ୍ପର୍କରେ ସେ ଆଗରୁ ଜାଣି ମଧ୍ୟ ପୂରା ବିଶ୍ୱକ ଓ କତରକୁ ଏଭଳି କହିଥିଲେ।

ଟ୍ରମ୍ପଙ୍କ ଡବଲ ଗେମ୍‌

ଟାଇମ୍ସ ଅଫ ଇସ୍ରାଏଲକୁ ହ୍ୱାଇଟ ହାଉସର ଜଣେ ଅଧିକାରୀ କହିଥିଲେ ଯେ ଆମେରିକାକୁ ବହୁତ ଆଗରୁ ଆକ୍ରମଣ ସମ୍ପର୍କରେ ଅବଗତ କରାଯାଇଥିଲା। କିନ୍ତୁ କତରକୁ ଆମେରିକା ଜାଣିଶୁଣି ବିଳମ୍ବରେ ଏହାର ଖବର ଦେଇଥିଲା ବୋଲି ଜଣାପଡ଼ୁଛି। କତରର କହିବା କଥା ଯେ ଦୋହାରେ ଆକ୍ରମଣ ଆରମ୍ଭ ହେବାର ୧୦ ମିନିଟ ପରେ ଆମେରିକା ପକ୍ଷରୁ କଲ ଆସିଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଜିଦ ଅଲ ଅନସାରୀ ଏକ୍ସରେ କହିଥିଲେ ଯେ “ବିସ୍ଫୋରଣର ଶବ୍ଦ ମଧ୍ୟରେ ଜଣେ ଆମେରିକା ଅଧିକାରୀଙ୍କ କଲ ଆମ ପାଖକୁ ଆସିଥିଲା।”

Advertisment

ପ୍ରକୃତ କଥା ହେଲେ ହମଲା କତର ଉପରେ ହୋଇଛି। କତର ହେଉଛି ଆମେରିକାର ଗୋଟିଏ ଘନିଷ୍ଠ ସହଯୋଗୀ। କତର ଟ୍ରମ୍ପଙ୍କ ସହ ମିଶି କାମ କରୁଥିବା ବେଳେ ପ୍ରତିବଦଳରେ କେବଳ ଧୋକା ପାଇଛି। ଟ୍ରମ୍ପଙ୍କ ଭୂମିକା କତର ମନରେ ସନ୍ଦେହର ମଞ୍ଜି ବୁଣି ଦେଇଛି। ଇସ୍ରାଏଲ ହମଲା ନୋବେଲ ଶାନ୍ତି ପୁରସ୍କାରର ଦିୱାନା ଟ୍ରମ୍ପଙ୍କ ସବୁ ମୁଖା ଖୋଲି ଦେଇଛି। ଗାଜାରେ ଯୁଦ୍ଧ ବିରତି ଲାଗୁ ପାଇଁ ଆମେରିକା ଦେଇଥିବା ପ୍ରସ୍ତାବ ଓ ଟ୍ରମ୍ପଙ୍କ ଶେଷ ସତର୍କ ସୂଚନା ବୟାନ ଉପରେ ଆଲୋଚନା କରିବା ପାଇଁ ଦୋହାରେ ହମାସର ରାଜନୀତିକ ନେତୃବୃନ୍ଦ ଏକାଠି ହୋଇଥିଲେ। ଏତିକି ବେଳେ ହିଁ ଇସ୍ରାଏଲ ହମଲା କରିଛି।

ଶେଷ ୱାର୍ଣ୍ଣିଂ ଏତେ ଶୀଘ୍ର ଶେଷ ହୋଇଯିବ ବୋଲି କେବେ ହେଲେ କେହି ଆକଳନ କରି ନଥିଲେ। ହମାସ କହିଛି, “ଏହି ଅପରାଧ ପାଇଁ ଆମେ ଆମେରିକା ପ୍ରଶାସନକୁ ମଧ୍ୟ ଦାୟୀ କରୁଛୁ। ଆକ୍ରମଣ କେବଳ ଟ୍ରମ୍ପଙ୍କ ଅନ୍ତର୍ଜାତୀୟ ବିଶ୍ୱସନୀୟତାକୁ ଧ୍ୱଂସ କରି ନାହିଁ, ବରଂ ନିଜକୁ ବିଶ୍ୱସ୍ତରୀୟ ଶାନ୍ତି ବାହାକ କହୁଥିବା ତାଙ୍କର ସବୁ ଯୋଜନାରେ ପାଣି ପକାଇ ଦେଇଛି।”

ହମଲାକୁ କତାର ବେଶ ଗୁରୁତ୍ୱର ସହ ନେଇଛି। କତର ଏହାକୁ ଦାୟିତ୍ୱହୀନ ଓ କାପୁରୁଷର ପରିଚୟ ବୋଲି କହିଛି। କତର ବୈଦେଶିକ ମନ୍ତ୍ରୀ ଗୋଟିଏ ପାଦ ଆଗକୁ ଯାଇ ଇସ୍ରାଏଲ ଆକ୍ରମଣକୁ ଆତଙ୍କବାଦର ଆଖ୍ୟା ମଧ୍ୟ ଦେଇଛନ୍ତି। କତର କେବଳ ନିନ୍ଦା ଓ ବିବୃତି ବ୍ୟତୀତ ଏହାର ଜବାବ ଦେବାକୁ ସବୁ ପ୍ରକାରର ବିକଳ୍ପ ଆପଣାଇବ ବୋଲି ସେ କହିଛନ୍ତି।

କ’ଣ କତରକୁ ଧୋକା ଦେଇଛନ୍ତି ଟ୍ରମ୍ପ?

ଭାରତ ଭଳି କତର ମଧ୍ୟ ସହଯୋଗୀଙ୍କ ସହ ଟ୍ରମ୍ପ କରୁଥିବା ଧୋକାର ଶିକାର ହୋଇଛି। ୪ ମାସ ତଳେ ଟ୍ରମ୍ପ କତର ଯାଇଥିବା ବେଳେ ତାଙ୍କୁ ୪୦୦ ମିଲିୟନ ଡଲାରର ଗୋଟିଏ ବିଳାସପୂର୍ଣ୍ଣ ବୋଇଂ ୭୪୭-୮ ଜେଟ ଉପହାର ଆକାରରେ ମିଳିଥିଲା। ସେ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଗଲ୍ଫ ଦେଶକୁ ଯାଇଥିଲେ। କତର ସହ ୨୪୩.୫ ବିଲୟନ ଡଲାରର ଆର୍ଥିକ ଚୁକ୍ତି ବି କରିଥିଲେ। ସେଠାରେ ଆମେରିକାର ସବୁଠାରୁ ସାମରିକ ବେସ୍‌ ବି ରହିଛି।

ଆଫଗାନିସ୍ତାନରୁ ହଜାର ହଜାର ଆମେରିକୀୟଙ୍କୁ ଉଦ୍ଧାର କରିବାରେ କତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଟ୍ରମ୍ପଙ୍କ ପୁଅ ଏରିକ ମଧ୍ୟ ଗୋଟିଏ ଟ୍ରମ୍ପ ବ୍ରାଣ୍ଡେଣ୍ଡ ଗଲ୍ଫ କୋର୍ସ ଡିଲ କତରରେ ହାସଲ କରିଛନ୍ତି। ଏସବୁ ବ୍ୟତୀତ ମଧ୍ୟପ୍ରାଚ୍ୟରେ ଟ୍ରମ୍ପଙ୍କ କୂଟନୀତିକ ଉଦ୍ୟମର ପ୍ରମୁଖ ଖେଳାଳି ମଧ୍ୟ କତର ସାଜିଛି। ହମସା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ଆଲୋଚନା କତର ସହାୟତାରେ ହିଁ ସମ୍ଭବ ହୋଇପାରିଛି।

ଇରାନ ସହ କତରର ଭଲ ସମ୍ପର୍କ ରହିଥିବାରୁ ଏହା ମାଧ୍ୟମରେ ତେହରାନ ସହ ଆଲୋଚନା କରିବାରେ ଆମେରିକାକୁ ସହଜ ହେବ ବୋଲି ୱାଶିଂଟନ ଆଶା ରଖିଛି। ତଥାପି ଇସ୍ରାଏଲ ଆକ୍ରମଣ ବେଳେ ଏସବୁ କିଛି ବି ଆମେରିକା ପାଇଁ ଗୁରୁତ୍ୱବହନ କରିନାହିଁ। ହମଲା ସମ୍ପର୍କରେ ଆଗରୁ ଜାଣି ମଧ୍ୟ ଆମେରିକା କିଛି ବି କରି ନଥିଲା। କତର ଆଗରେ ଭଲେଇ ହେବା ପାଇଁ ଆକ୍ରମଣର ୧୦ ମିନିଟ ପରେ ଟ୍ରମ୍ପ ଏହି ଖବର ଦେଇଥିଲେ। 

କତର ଉପରେ ହମଲା କରିବା ପାଇଁ ଇସ୍ରାଏଲ ୧୫ଟି ଯୁଦ୍ଧ ବିମାନର ବ୍ୟବହାର କରିଥିଲା। ସବୁଠାରୁ କୌତୁହଳର ବିଷୟ ହେଲା, ଆମେରିକା ସମର୍ଥନରେ ହିଁ ଦୋହାରେ ହମାସ ତା’ର ରାଜନୀତିକ ଅଫିସ ଖୋଲିଛି। ୨୦୧୨ରୁ ଏହା କାର୍ଯ୍ୟ କରୁଛି। ଏହା ଜରିଆରେ ଆମେରିକା ପଛରେ ରହି ହମାସ ସହ ଯୋଗାଯୋଗ କରିଥାଏ।

ବେଞ୍ଜାମିନ ନେତାନ୍ୟାହୁ ବିପଦଜନକ ଜୁଆ କତରରେ ଖେଳିଥିଲେ ହେଁ ଏହା ଫ୍ଲପ ହୋଇଯାଇଛି। ହମାସ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ଷ୍ଟ୍ରାଇକରେ ସଂଗଠନର କୌଣସି ଟପ ନେତା ପ୍ରାଣ ହରାଇ ନାହାନ୍ତି। କେବଳ ୫ ଜଣ ସଦସ୍ୟ ଓ ଜଣେ କତର ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି।

ଆମେରିକାର ତାଳି ପକା ଉଦ୍ୟମ

ଆକ୍ରମଣ ପରେ ଆମେରିକା ନିଜ ଦୋଷ ଛଡ଼ାଇବାକୁ ପୂରା ଚେଷ୍ଟା କରିଛି। ଟ୍ରମ୍ପ ଓ ଆମେରିକା ପ୍ରଶାସନ ପୂରା ଆକ୍ରମଣରେ ତାଳି ପକାଇଛନ୍ତି। ହ୍ୱାଇଟ ହାଉସ ପ୍ରେସ ସଚିବ କାରୋଲିନେ ଲେଭିଟ୍ଟ କହିଛନ୍ତି ଯେ ଟ୍ରମ୍ପ ଖବର ପାଇବା ମାତ୍ରେ ସ୍ୱତନ୍ତ୍ର ରାଷ୍ଟ୍ରଦୂତକୁ ତୁରନ୍ତ କତରକୁ ଖବର ଦେବାକୁ କହିଥିଲେ। ଘଟଣାକୁ ସେ ଦୁର୍ଭାଗ୍ୟଜନକ କହିଛନ୍ତି।

ଟ୍ରମ୍ପ ମଧ୍ୟ ତରବରିଆ ଭାବେ ଆକ୍ରମଣ ସମ୍ପର୍କରେ ଖବର ମିଳିବା ମାତ୍ରେ ଇସ୍ରାଏଲକୁ ଜଣାଇଥିଲେ ବୋଲି କହିଛନ୍ତି। ଏଥିସହ ସେ ଆକ୍ରମଣକୁ ମଧ୍ୟ ନିନ୍ଦା କରିଛନ୍ତି। ସୋଶାଲ ମିଡିଆରେ ମଧ୍ୟ ଏହା ମୋ ଦ୍ୱାରା ହୋଇ ନାହିଁ ବୋଲି ବି ସେ ସଫେଇ ଦେଇଛନ୍ତି।

ଖାଲି ସେତିକି ନୁହେଁ, ଟ୍ରମ୍ପ ଲୋକ ଦେଖାଣିଆ ଭାବେ ନେତାନ୍ୟାହୁଙ୍କୁ ମଧ୍ୟ ଗାଳି ଦେଇଛନ୍ତି। ସେ କହିଛନ୍ତି. “ଏକତରଫା ଭାବେ କତରରେ ବୋମା ମାଡ଼ କରିବା ଠିକ ନୁହେଁ। କତର ହେଉଛି ଆମେରିକାର ସହଯୋଗୀ, ଯିଏ ଆମ ସହ ମିଶି ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ କଠିନ ପରିଶ୍ରମ କରୁଛି। ଏପରି ଆକ୍ରମଣକୁ ଆମେରିକା ନାପସନ୍ଦ କରୁଛି।” ଏହାବାଦ ଆଗକୁ ମଧ୍ୟ ଆଉ ଏପରି ଘଟଣା ଘଟିବ ନାହିଁ ବୋଲି ଟ୍ରମ୍ପ କତରକୁ ପ୍ରତିଶ୍ରୁତି ଦେଇଛନ୍ତି।

ଟ୍ରମ୍ପଙ୍କ ଲୋକ ଦେଖାଣିଆ ଗାଳି ପରେ ଇସ୍ରାଏଲ ମଧ୍ୟ ନିଜ ପୂର୍ବ କଥାରୁ ଓହରି ଯାଇଛି। ପ୍ରଥମେ ତେଲ ଅଭିଭ କହିଥିଲା ଯେ ଆକ୍ରମଣରେ ଆମେରିକାର ସମର୍ଥନ ରହିଛି। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଇସ୍ରାଏଲ ଏକାକୀ ଏହି ଆକ୍ରମଣ ନିଜ ଇଚ୍ଛାରେ କରିଥିବା ନେତାନ୍ୟାହୁ ସଫେଇ ଦେଇଛନ୍ତି।

Donald Trump Qatar