/odisha-reporter/media/post_attachments/uploadimage/library/16_9/16_9_0/Trump_1751952428.jpg)
Trump
ବିଶ୍ୱର ୧୪ଟି ଦେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଚିଠି। ତାଲିକାରେ ଥିବା ୧୪ ଦେଶ ଉପରେ ଟ୍ରମ୍ପ ନୂଆ ଟାରିଫ ଲାଗୁ କରିବାକୁ ଯାଉଥିବା ଚିଠି ଲେଖି ଜଣାଇ ଦେଇଛନ୍ତି। ଅର୍ଥାତ ଏହି ଦେଶଗୁଡ଼ିକ ଆମେରିକାକୁ ରପ୍ତାନୀ କରୁଥିବା ଜିନିଷ ଉପରେ ଅଧିକ ଶୁଳ୍କ ଦେବେ। ସୋମବାର ଏକାଧିକ ରାଷ୍ଟ୍ରକୁ ଟ୍ରମ୍ପ ଚିଠି ଲେଖିବା ସହ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ନୂଆ ବ୍ୟବସାୟିକ ବୁଝାମଣା ଅଗଷ୍ଟ ୧ ସୁଦ୍ଧା ଶେଷ ହେବ ନାହିଁ, ତା’ହେଲେ ବର୍ଦ୍ଧିତ ଆମଦାନୀ ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ ଚେତାଇ ଦେଇଛନ୍ତି।
ପ୍ରଥମ ଦଫାରେ ଆମେରିକା ପକ୍ଷରୁ ଜାପାନ ଓ ଦକ୍ଷିଣ କୋରିଆକୁ ଚିଠି କରାଯାଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, କାମ୍ବୋଡିଆ, ମାଲେସିୟା, ବାଂଲାଦେଶ, ଲାଓସ, ମିଆଁମାର, ବୋସନିଆ, ସର୍ବିୟା, କାଜାଖସ୍ତାନ ଓ ଟୁନିସିଆ ଭଳି ଆଉ ୧୨ଟି ଦେଶକୁ ଚିଠି ଲେଖି ଟ୍ରମ୍ପ ନୂଆ ଟାରିଫ ନୀତି ସମ୍ପର୍କରେ ଅବଗତ କରାଇ ଦେଇଛନ୍ତି।
ଚିଠି ପଠାଇବା ପରେ ଟ୍ରମ୍ପ ହ୍ୱାଇଟ ହାଉସରୁ ଘୋଷଣା କରିଛନ୍ତି ଯେ ଅଧିକାଂଶ ଦେଶ ଉପରେ ଶୁଳ୍କ ଲାଗୁ କରିବା ପାଇଁ ସେ ପ୍ରସ୍ତୁତ ରହିଛନ୍ତି। ତଥାପି କିଛି ଦେଶ ସହ ଏବେ ବି ବୁଝାମଣା ପାଇଁ ରାସ୍ତା ଖୋଲା ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ଟ୍ରମ୍ପ କହିଛନ୍ତି ଯେ ବ୍ରିଟେନ, ଚାଇନା ଓ ଭିଏତନାମା ଭଳି ଦେଶଗୁଡ଼ିକ ସହ ନୂଆ ଟ୍ରେଡ ଡିଲ୍ ସମ୍ପର୍କରେ ବୁଝାମଣା ହୋଇସାରିଛି। ଭାରତ ସହ ମଧ୍ୟ କଥାବାର୍ତ୍ତା ସକାରାତ୍ମକ ଦିଗରେ ଆଗକୁ ବଢ଼ିଛି। ଆଉ କିଛି ଦେଶ ବୁଝାମଣା ପାଇଁ ଆଗ୍ରହ ଦେଖାଇଛନ୍ତି। ତେଣୁ ଟାରିଫ ଚିଠିକୁ ବିନା କୌଣସି ଆଲୋଚନାରେ ପଠାଇଯାଇଛି ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ ବୁଝାମଣାର ଆଲୋଚନା କେଉଁ ଦିଗରେ ଗତି କରୁଛି, ସେହି ଅନୁସାରେ ସବୁ କିଛି ସ୍ଥିର ହେବ। ଅଗଷ୍ଟ ୧ ତାରିଖ ସମୟସୀମା ସଂପୂର୍ଣ୍ଣ ଭାବେ ଧାର୍ଯ୍ୟ ହୋଇନାହିଁ। ଟ୍ରମ୍ପ ସୋମବାର ଗୋଟିଏ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଉପରେ ଦସ୍ତଖତ କରିଛନ୍ତି। ଏଥିରେ ନୂଆ ଟାରିଫ ନୀତି ପରବର୍ତ୍ତୀ ତାରିଖ ଯାଏ ସ୍ଥଗିତ ରହିଛି। ଏହାର ଅର୍ଥ ସେ ବିଭିନ୍ନ ଦେଶକୁ ଆମେରିକା ସହ ବୁଝାମଣା କରିବାକୁ ଆଉ କିଛି ଅତିରିକ୍ତ ସପ୍ତାହ ଦେଇଛନ୍ତି।
କେଉଁ ଦେଶ ଉପରେ କେତେ ଟାରିଫ?
ମାଲେସିୟା, କାଜାଖସ୍ତାନ ଓ ଟୁନିସିଆ ଭଳି ଦେଶଗୁଡ଼ିକ ଦ୍ରବ୍ୟ ଉପରେ ଟ୍ରମ୍ପ ୨୫% ଲେଖାଏ ଟାରିଫ ଲଗାଇବାକୁ ଚାହୁଁଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକା ଉପରେ ୩୦%, ଲାଓସ ଓ ମିଆଁମାର ଉପରେ ୪୦% ଟାରିଫ ଲାଗିବ ବୋଲି ଟ୍ରମ୍ପ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାବାଦ ଇଣ୍ଡୋନେସିଆ ରପ୍ତାନୀ କରୁଥିବା ଜିନିଷ ଉପୀ ୩୨%, ବାଂଲାଦେଶ ଉପରେ ୩୫%, ଥାଇଲ୍ୟାଣ୍ଡ ଓ କମ୍ବୋଡିଆ ଉପରେ ୩୬%, ବୋସନିଆ ଓ ହେରଜେଗୋଭିନିଆ ୩୦% ଲେଖାଏ ଓ ସର୍ବିୟା ଉପରେ ୩୫% ଟାରିଫ ଲାଗୁ ହେବ। ଜାପାନ ଓ ଦକ୍ଷିଣ କୋରିଆ ଉପରେ ଟ୍ରମ୍ପ ୨୫% ଲେଖାଏ ଟାରିଫ ଧାର୍ଯ୍ୟ କରିଛନ୍ତି।
ଟ୍ରମ୍ପଙ୍କ ଚେତାବନୀ ଦେଇ କହିଛନ୍ତି ଯେ ଟାରିଫ ଚିଠିର ଜବାବରେ ଦେଶଗୁଡ଼ିକ ଆଦୌ ଆମେରିକା ଦ୍ରବ୍ୟ ଉପରେ ଶୁଳ୍କ ବୃଦ୍ଧି କରିବା ବିଷୟରେ ଚିନ୍ତା କରନ୍ତୁ ନାହିଁ। ଯଦି କୌଣସି ଦେଶ ଆମେରିକା ଦ୍ରବ୍ୟ ଗୁଡ଼ିକ ଉପରେ ଟାରିଫ ବୃଦ୍ଧି କରିବାକୁ ଚେଷ୍ଟା କରିବ, ତା’ହେଲେ ୱାଶିଂଟନ ଦୁଇ ଗୁଣା ଜୋରରେ ଏହାର ଜବାବ ଦେବ।
କେଉଁ ସବୁ ଜିନିଷ ରପ୍ତାନୀ କରନ୍ତି?
ଜାପାନ ପକ୍ଷରୁ ଆମେରିକାକୁ କାର, ଇଲେକଟ୍ରୋନିକ୍ସ ଓ ମେଡିକାଲ ସରଞ୍ଜାମ ରପ୍ତାନୀ କରିଥାଏ। ବର୍ଦ୍ଧିତ ଟାରିଫର ଅର୍ଥ ଆମେରିକା ମାର୍କେଟରେ ଗାଡ଼ି, ଟିଭି ଓ ବିଭିନ୍ନ ଔଷଧ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ।
ଦକ୍ଷିଣ କୋରିଆ ପକ୍ଷରୁ ସେମି କଣ୍ଡକ୍ଟର, ଅଟୋ ପାର୍ଟସ ଓ ଶିପ ରପ୍ତାନୀ କରିଥାଏ। ଟାରିଫ ବୃଦ୍ଧି ଦ୍ୱାରା ଟେକ ଓ ଉତ୍ପାଦନ କ୍ଷେତ୍ର ପ୍ରଭାବିତ ହେବ। ମାଲେସିୟା ମଧ୍ୟ ଆମେରିକାକୁ ସେମିକଣ୍ଡକ୍ଟର, ରବର ଓ ପ୍ଲାଷ୍ଟିକ ପଠାଇଥାଏ। ଏହି ଦ୍ରବ୍ୟ ଗୁଡ଼ିକ ସାଧାରଣତଃ କମ୍ପ୍ୟୁଟର ଓ ମେଡିକାଲ ସପ୍ଲାଏରେ ବ୍ୟବହୃତ ହୋଇଥାଏ।
ଥାଇଲ୍ୟାଣ୍ଡ ବୈଦ୍ୟୁତିକ, ସାମୁଦ୍ରିକ ଖାଦ୍ୟ ଓ ବିଭିନ୍ନ ଯନ୍ତ୍ରପାତି ପଠାଉଥିବା ବେଳେ ବାଂଲାଦେଶ ଓ କମ୍ବୋଡିଆ କପଡ଼ା, ଚମଡ଼ା ଜାତୀୟ ଦ୍ରବ୍ୟ ଓ ଫର୍ଣ୍ଣିଚର ରପ୍ତାନୀ କରନ୍ତି। ଇଣ୍ଡୋନେସିଆ ଜୋତା, ପାମ ତୈଲ ଓ ଲଲେକ୍ଟ୍ରୋନିକ୍ସ ଜିତିଷ ପଠାଏ। ଦକ୍ଷିଣ ଆଫ୍ରିକା ମେଟାଲ, ଫଳ, ଗାଡ଼ି ରପ୍ତାନୀ କରେ। ସର୍ବିୟା କୃଷି ଜାତୀୟ ସାମଗ୍ରୀ ଓ ଫର୍ଣ୍ଣିଚର ଆମେରିକାକୁ ଦିଏ।
କମ ଦାମର ଚପଲ ଓ କାଠରେ ତିଆରି ଜିନିଷ ଆମେରିକାକୁ ଲାଓସ ଓ ମିଆଁମାରରୁ ମିଳିଥାଏ। ବୋସନିଆ ଓ ହେରଜେଗୋଭିନା ସାଧାରଣତଃ କାଠ, ମେଠାଲ ଓ ଜୋତା ପଠାଇ ଥାଆନ୍ତି। କାଜାଖସ୍ତାନ ତୈଳ, ମେଟାଲ ଓ କେମିକାଲ ପଠାଏ। ଟୁନିସିଆ ପକ୍ଷରୁ ଆମେରିକାକୁ ଅଲିଭ ତେଲ, ବୁଣା ଜିନିଷ ଓ କିଛି ଯନ୍ତ୍ରପାତି ରପ୍ତାନୀ କରାଯାଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
