/odisha-reporter/media/media_files/2026/01/20/trump-2026-01-20-13-39-44.jpg)
ମାକ୍ରନ ଓ ଟ୍ରମ୍ପ
ନୋବେଲ ଶାନ୍ତି ପୁରସ୍କାର ପାଇଁ ବିକଳ ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ଏବେ ଫ୍ରାନ୍ସକୁ ଟାରିଫ ଧମକ ଦେଇଛନ୍ତି। ଫ୍ରାନ୍ସର ୱାଇନ ଓ ସାମ୍ପେନ ଉପରେ ସେ ୨୦୦% ଟାରିଫ ଲଗାଇବେ ବୋଲି ସେ କହିଛନ୍ତି।
ଟ୍ରମ୍ପଙ୍କ ତଥାକଥିତ ‘ବୋର୍ଡ ଅଫ ପିସ ବା ଶାନ୍ତି ବୋର୍ଡ’ରେ ଯୋଗ ଦେବାକୁ ଫ୍ରାନ୍ସ ରାଜି ନଥିବା ସଙ୍କେତ ଦେବାରୁ ସେ ଏପରି ଚେତାବାନୀ ଦେଇଛନ୍ତି। ସେହିପରି ଗ୍ରୀନଲାଣ୍ଡ ପ୍ରସଙ୍ଗରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ ତାଙ୍କୁ ପଠାଇଥିବା ଗୋଟିଏ ବ୍ୟକ୍ତିଗତ ମେସେଜକୁ ମଧ୍ୟ ଟ୍ରମ୍ପ ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
କ’ଣ କହିଛନ୍ତି ଟ୍ରମ୍ପ?
ମୁଁ ସେମାନଙ୍କର(ଫ୍ରାନ୍ସ) ମଦ ଓ ସାମ୍ପେନ ଉପରେ ୨୦୦% ଟାରିଫ ଲଗାଇବି। ସେ ବୋର୍ଡ ଅଫ ପିସରେ ସାମିଲ ହେବାର ଥିଲା। କିନ୍ତୁ ସେ ସାମିଲ ହେବାକୁ ଚାହୁଁ ନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଆମେରିକାର ତଥାକଥିତ ବୋର୍ଡ ଅଫ ପିସ ପ୍ରଥମରୁ ଯୁଦ୍ଧ କ୍ଷତିଗ୍ରସ୍ତ ଗାଜା ଉପରେ କେନ୍ଦ୍ରୀତ ରହିଥିଲା। ହେଲେ ଏଥିରେ ଥିବା ଚାର୍ଟର କେବଳ ଗାଜାରେ ସୀମିତ ନଥିବାରୁ ଏଥିରେ ଫ୍ରାନ୍ସ ଭଳି ଦେଶ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।
ଟ୍ରମ୍ପ ୨୦୦% ଟାରିଫର ଧମକ ଦେବାର କିଛି ସମୟ ପରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ପଠାଇଥିବା ଗୋଟିଏ ପ୍ରାଇଭେଟ ମେସେଜକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଟ୍ରମ୍ପଙ୍କୁ କହିଛନ୍ତି ସେମାନେ ଦୁଇ ଜଣ ଇରାନ ଓ ସିରିୟା ପ୍ରସଙ୍ଗରେ ଏକମତ ରହିଛନ୍ତି। କିନ୍ତୁ ଗ୍ରୀନଲାଣ୍ଡରେ ଟ୍ରମ୍ପ କ’ଣ କରୁଛନ୍ତି, ସେକଥା ସେ ବୁଝି ପାରୁ ନଥିବା ମେସେଜରେ କହିଛନ୍ତି।
ଡାଭୋସରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ସମୟରେ ଟ୍ରମ୍ପ ଓ ଜି୭ର ନେତାମାନଙ୍କୁ ମାକ୍ରନ ଭେଟିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିସହ ସେ ୟୁକ୍ରେନ, ଡେନମାର୍କ, ସିରିୟା ଓ ରୁଷକୁ ମଧ୍ୟ ସେଠାକୁ ନିମନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଗୁରୁବାର ଦିନ ସେ ଟ୍ରମ୍ପଙ୍କ ସହ ଡିନର କରିବାକୁ ଚାହୁଁଥିବା ମେସେଜରେ ଉଲ୍ଲେଖ କରିଛନ୍ତି।
ଫ୍ରାନ୍ସର କଟାକ୍ଷ
ଟ୍ରମ୍ପଙ୍କ ବୋର୍ଡ ଅଫ ପିସ ନିମନ୍ତ୍ରଣ ପ୍ରସଙ୍ଗରେ ଫ୍ରାନ୍ସ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ସପକ୍ଷରେ ନଥିବା ଜଣାପଡ଼ିବା ପରେ ଏତେ ସବୁ ଘଟଣା ଘଟିଛି। ବୋର୍ଡର ଚାର୍ଟର କେବଳ ଗାଜାରେ ସୀମିତ ନଥିବା ଫ୍ରାନ୍ସ ପକ୍ଷରୁ ମତ ରଖାଯାଇଛି। ଫ୍ରାନ୍ସ ପକ୍ଷରୁ ଟ୍ରମ୍ପଙ୍କ ଗ୍ରୀନଲାଣ୍ଡ ଦଖଲ ଆଭିମୁଖ୍ୟକୁ ନେଇ ଆମେରିକାକୁ କଟାକ୍ଷ ମଧ୍ୟ କରାଯାଇଥିଲା।
ଫ୍ରାନ୍ସର ୟୁରୋପ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ୍ସରେ ଗୋଟିଏ ପୋଷ୍ଟ କରିଛି। ଆମେରିକାର ଅର୍ଥ ସଚିବ ସ୍କଟ ବେସେଣ୍ଟ ଖୋଲାଖୋଲି ଭାବେ ଟ୍ରମ୍ପଙ୍କ ଗ୍ରୀନଲାଣ୍ଡ ଆଭିମୁଖ୍ୟକୁ ଯୁକ୍ତି ସଙ୍ଗତ ବୋଲି କହିଥିବାରୁ ଏହି ପୋଷ୍ଟ ଜରିଆରେ ମନ୍ତ୍ରଣାଳୟ ତାଙ୍କୁ କଟାକ୍ଷ କରାଯାଇଥିଲା।
ଏଥିରେ କୁହାଯାଇଥିଲା ଯେ “ଯଦି କୌଣସି ଦିନ ନିଆଁ ଲାଗିବ, ତା’ହେଲେ ଅଗ୍ନିଶମ ବାହିନୀ ଏଥିରେ ହସ୍ତକ୍ଷେପ କରିବେ। ତେଣୁ ସବୁଠାରୁ ଭଲ ହେବ ଘରେ ଏବେ ନିଆଁ ଲଗାଇ ଦିଆଯାଉ। ଯଦି କୌଣସି ଦିନ ଶାର୍କ ଆକ୍ରମଣ କରିବ, ତା’ହେଲେ ଏଥିରେ ହସ୍ତକ୍ଷେପ କରାଯିବ। ତେଣୁ ଏବେ ହିଁ ଲାଇଫଗାର୍ଡକୁ ଖାଇଦେବା ଭଲ। ଯଦି କୌଣସି ଦିନ କ୍ରାଶ ହେବ, ତା’ହେଲେ କ୍ଷୟକ୍ଷତି ହେବ। ତେଣୁ ଏବେ ହିଁ କାରକୁ ଦୁର୍ଘଟଣା ଗ୍ରସ୍ତ କରାଯାଉ।”
ଭବିଷ୍ୟତରେ ଆର୍କଟିକ ରିଜନ ପ୍ରତି ରୁଷ ଠାରୁ ବିପଦ ଥିବାରୁ ୭୯ ବର୍ଷୀୟ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଗ୍ରହଣ କରିଥିବା ଆଭିମୁଖ୍ୟ ଯୁକ୍ତିସଙ୍ଗତ ବୋଲି ବେସେଣ୍ଟ କହିଥିଲେ।
ସେ କହିଥିଲେ ଯେ “ଆଗକୁ ଆର୍କଟିକ ପାଇଁ ଏହି ଲଢ଼େଇ ସଂପୂର୍ଣ୍ଣ ବାସ୍ତବିକ। ଆମେ ନାଟୋର ଗ୍ୟାରେଣ୍ଟୀକୁ ପାଳନ କରିବୁ। ଗ୍ରୀନଲାଣ୍ତ ଉପରେ ରୁଷ କିମ୍ବା ଅନ୍ୟ କୌଣସି କ୍ଷେତ୍ରରୁ ଆକ୍ରମଣ ହେବ, ତା’ହେଲେ ଆମେ ନିଶ୍ଚିତ ଭାବେ ସେଥିରେ ଟଣା ହେବୁ।” ତାଙ୍କର ଏପରି ବୟାନ ପରେ ଫ୍ରାନ୍ସ ଏହାକୁ କଟାକ୍ଷ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
