Advertisment

କ’ଣ ତୁମେ ମସ୍କୋକୁ ହିଟ କରିପାରିବ? ପୁଟିନଙ୍କ ବିରୋଧରେ ଟ୍ରମ୍ପଙ୍କ ସାଂଘାତିକ ରଣନୀତି

ଜୁଲାଇ ୪ରେ ଟ୍ରମ୍ପ ଓ ଜେଲେନସ୍କି କଥା ହୋଇଥିଲେ। ଏହି ସମୟରେ ଟ୍ରମ୍ପ ତାଙ୍କୁ ରୁଷ ଉପରେ ବଡ଼ ଆକ୍ରମଣ କରିବାକୁ କହିଛନ୍ତି।

author-image
Hemant Lenka
Putin

Putin

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ଜରିଆରେ ରୁଷର ବିରାଟ କ୍ଷତି କରିବାକୁ ଚାହୁଁଛନ୍ତି। ରୁଷ ଓ ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରି ବିଫଳ ହେବା ପରେ ଏବେ ଟ୍ରମ୍ପ ନିଜର ରାଗ ସୁଝାଇବା ମୁଡରେ ରହିଛନ୍ତି। ଏଥିପାଇଁ ସେ ଅତ୍ୟନ୍ତ ଗୋପନ ଭାବେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିରି ଜେଲେନସ୍କିଙ୍କୁ ରୁଷର ରାଜଧାନୀ ମସ୍କୋ ଉପରେ କିଭ ଆକ୍ରମଣ କରିପାରିବ କି ନାହିଁ ପଚାରିଛନ୍ତି। ଏଥିସହ ଦୂରଗାମୀ ଲକ୍ଷ୍ୟ ଭେଦ କ୍ଷମତା ଥିବା ଅସ୍ତ୍ର ଆମେରିକା ଯୋଗାଇ ଦେବ ବୋଲି ମଧ୍ୟ ଟ୍ରମ୍ପ ତାଙ୍କ ୟୁକ୍ରେନ ପ୍ରତିପକ୍ଷଙ୍କୁ ପରୋକ୍ଷରେ ଇଙ୍ଗିତ କରିଛନ୍ତି। 

Advertisment

ଜୁଲାଇ ୪ରେ ଟ୍ରମ୍ପ ଓ ଜେଲେନସ୍କି କଥା ହୋଇଥିଲେ। ଏହି ସମୟରେ ଟ୍ରମ୍ପ ତାଙ୍କୁ ରୁଷ ଉପରେ ବଡ଼ ଆକ୍ରମଣ କରିବାକୁ କହିଛନ୍ତି। ଏହାର ଦିନକ ପୂର୍ବରୁ ସେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଥିଲେ। ଟ୍ରମ୍ପ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ହେଁ ପୁଟିନ ଏହାକୁ ଗ୍ରହଣ କରି ନଥିଲେ। ଖାସ ଏହି କାରଣ ପାଇଁ ଟ୍ରମ୍ପ ୟୁକ୍ରେନ ଜରିଆରେ ପୁଟିନଙ୍କୁ କଷ୍ଟ ଦେବାକୁ ଚାହୁଁଛନ୍ତି।

ଟ୍ରମ୍ପ ଫୋନରେ ପୁଟିନଙ୍କ ସହ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ କଥା ହୋଇଥିଲେ। କିନ୍ତୁ ପୁଟିନ ଯୁଦ୍ଧ ବନ୍ଦ କରିବା ସପକ୍ଷରେ ନଥିବାରୁ ଟ୍ରମ୍ପ କ୍ଷୁବ୍ଧ ହୋଇଥିଲେ। ଏଥିପାଇଁ ସେ ରୁଷକୁ ୧୦୦% ଟାରିଫ ଧମକ ମଧ୍ୟ ଦେଇଛନ୍ତି। ଏକଥା ସେ ଗଣମାଧ୍ୟମ ଆଗରେ ମଧ୍ୟ କହିଛନ୍ତି। ହେଲେ ୟୁକ୍ରେନକୁ ଟ୍ରମ୍ପ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ଆକ୍ରମଣ କରିବାକୁ ପରାମର୍ଶ ଦେଇଥିବା କଥା ଅତ୍ୟନ୍ତ ଗୋପନ ରଖିଥିଲେ। ଏବେ ବିଶେଷ ସୂତ୍ରରୁ ଏପରି ଖବର ସାମ୍ନାକୁ ଆସିଛି।

Advertisment

ପୁଟିନଙ୍କ ସହ କଥା ହେବା ପରେ ଟ୍ରମ୍ପ ଏତେ ମାତ୍ରାରେ ରାଗି ଯାଇଥିଲେ ଯେ ସେ ସିଧା ମସ୍କୋ କିମ୍ବା ସେଣ୍ଟ ପିଟର୍ସବର୍ଗ ଭଳି ସହର ଉପରେ ୟୁକ୍ରେନ ଆକ୍ରମଣ କରିପାରିବ କି ନାହିଁ, ସେକଥା ଜେଲେନସ୍କିଙ୍କୁ ପଚାରିଥିଲେ। ସେହପରି ୟୁକ୍ରେନକୁ ନାଟୋ ଦେଶଗୁଡ଼ିକ ମଧ୍ୟ ସାମରିକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଟ୍ରମ୍ପ ମତ ରଖିଛନ୍ତି।

ଜୁଲାଇ ୪ରେ ଟ୍ରମ୍ପ ଫୋନ ଯୋଗେ କହିଛନ୍ତି ଯେ “ଭ୍ଲୋଡମିରି କ’ଣ ତୁମେ ମସ୍କୋକୁ ହିଟ କରିପାରିବ? କ’ଣ ତୁମେ ସେଣ୍ଟ ପିଟର୍ସବର୍ଗରେ ଆକ୍ରମଣ କରିପାରିବ କି?” ଏହାର ଜବାବରେ ଜେଲେନସ୍କି କହିଛନ୍ତି, “ନିଶ୍ଚିତ ଭାବେ। ଆପଣ ଯଦି ଆମକୁ ଅସ୍ତ୍ର ଯୋଗାଇ ଦେବେ, ତା’ହେଲେ ଆମେ ନିଶ୍ଚିତ ଭାବେ ହିଟ କରିବୁ।”

ତେବେ ଆକ୍ରମଣ ପାଇଁ ସେଭଳି ଦୂରଗାମୀ ଲକ୍ଷ୍ୟ ଭେଦ କ୍ଷମତାର ଅସ୍ତ୍ର ଆମେରିକା ପକ୍ଷରୁ ୟୁକ୍ରେନକୁ ଦିଆଯିବ କି ନାହିଁ, ସେକଥା ସ୍ପଷ୍ଟ ହୋଇନି। ହେଲେ ଟ୍ରମ୍ପ ଏବେ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ଆକ୍ରମଣ କରି ପୁଟିନ ଉପରେ ନିଜର ରାଗ ସୁଝାଇବାକୁ ଚାହୁଁଛନ୍ତି।

ଏହାପୂର୍ବରୁ ରବିବାର ଟ୍ରମ୍ପ ଘୋଷଣା କରିଥିଲେ ଯେ ଆମେରିକା ପକ୍ଷରୁ ୟୁକ୍ରେନକୁ ଅତ୍ୟାଧୁନିକ ପାଟ୍ରିଅଟ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଯୋଗାଇ ଦିଆଯିବ। ୟୁକ୍ରେନ ନିଜର ସୁରକ୍ଷା ପାଇଁ ହକଦାର। କାରଣ ପୁଟିନ ଦିନରେ ବେଶ ଭଲ କଥା କହୁନ୍ତି, କିନ୍ତୁ ସନ୍ଧ୍ୟାରେ ସେ ସମସ୍ତଙ୍କ ଉପରେ ବୋମା ମାଡ଼ କରନ୍ତି ବୋଲି ଟ୍ରମ୍ପ କହିଥିଲେ।

Russia-Ukraine War Donald Trump Volodymyr Zelenskyy