Advertisment

ଭାରତ ଭଲ ବାଣିଜ୍ୟ ସହଯୋଗୀ ନୁହେଁ, ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧିର ଧମକ ଦେଲେ ଟ୍ରମ୍ପ

ରୁଷ ଠାରୁ ଭାରତ ଶସ୍ତାରେ ତେଲ କିଣି ନିଜର ଆବଶ୍ୟକତା ପୂରଣ କରୁଥିବାରୁ ଏହାକୁ ସହି ପାରୁ ନାହାନ୍ତି ଟ୍ରମ୍ପ।

author-image
Hemant Lenka
Modi

Modi

ଭାରତକୁ ପୁଣିଥରେ ନାଲି ଆଖି ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ ଠାରୁ ଭାରତ ଶସ୍ତାରେ ତେଲ କିଣି ନିଜର ଆବଶ୍ୟକତା ପୂରଣ କରୁଥିବାରୁ ଏହାକୁ ସହି ପାରୁ ନାହାନ୍ତି ଟ୍ରମ୍ପ। ଏଥିପାଇଁ ପୁଣିଥରେ ଭାରତକୁ ଅତିରିକ୍ତ ଟାରିଫ ବୃଦ୍ଧିର ଧମକ ଦେଇଛନ୍ତି। ଭାରତ ଭଲ ବାଣିଜ୍ୟ ବା ବ୍ୟବସାୟିକ ସହଯୋଗୀ ନୁହେଁ ବୋଲି ଟ୍ରମ୍ପ ମତ ରଖିବା ସହ ୨୪ ଘଣ୍ଟା ମଧ୍ୟରେ ଶୁଳ୍କ ବୃଦ୍ଧି କରିବାର ଧମକ ଦେଇଛନ୍ତି।

Advertisment

ସିଏନବିସିକୁ ସାକ୍ଷାକାର ଦେଇ ଟ୍ରମ୍ପ କହିଛନ୍ତି, “ଭାରତ ଗୋଟିଏ ଭଲ ବାଣିଜ୍ୟ ସହଯୋଗୀ ନୁହେଁ। କାରଣ ସେମାନେ ଆମ ସହ ଅନେକ ବ୍ୟବସାୟ କରୁଛନ୍ତି। କିନ୍ତୁ ଆମେ ସେମାନଙ୍କ ସହ ବ୍ୟବସାୟ କରୁ ନାହୁଁ। ତେଣୁ ଆମେ ଭାରତ ଉପରେ ୨୫% ଟାରିଫ ଲାଗୁ କରିଥିଲୁ। କିନ୍ତୁ ମୁଁ ଭାବୁଛି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାକୁ ବୃଦ୍ଧି କରାଯିବ। କାରଣ ସେମାନେ ରୁଷ ଠାରୁ ତେଲ କିଣିବା ଜାରି ରଖିଛନ୍ତି। ସେମାନେ ଯୁଦ୍ଧ ମେସିନରେ ତେଲ ଭର୍ତ୍ତି କରୁଛନ୍ତି।”

ସୋମବାର ରାତିରେ ମଧ୍ୟ ଟ୍ରମ୍ପ ଭାରତକୁ ଟାରିଫ ଧମକ ଦେଇଥିଲେ। ଭାରତ ଉପରେ ୨୫% ଟାରିଫ ଲାଗୁ କରିଥିବା ଟ୍ରମ୍ପ ରୁଷ ସହ ବ୍ୟବସାୟ କଲେ ଆଗକୁ ଏହା ବୃଦ୍ଧି ପାଇବ ବୋଲି କହିଥିଲେ। ସେ କହିଥିଲେ, “ଭାରତ କେବଳ ରୁଷ ଠାରୁ ବିପୁଳ ପରିମାଣର ତେଲ କିଣୁ ନାହିଁ, ବରଂ ଏହାକୁ ଖୋଲା ବଜାରରେ ବିକ୍ରି ଲାଭ ପାଉଛନ୍ତି। ରୁଷର ଯୁଦ୍ଧାସ୍ତ୍ରରେ ୟୁକ୍ରେନରେ କେତେ ଲୋକ ମରୁଛନ୍ତି, ସେଥିପ୍ରତି ଭାରତର ନିଘା ନାହିଁ। ଏହି କାରଣ ପାଇଁ ଆମେରିକାକୁ ଭାରତ ଦେଉଥିବା ଟାରିଫକୁ ମୁଁ ବୃଦ୍ଧି କରିବି।”

Advertisment

ତେବେ ଟ୍ରମ୍ପଙ୍କ ଏପରି ଧମକର ଜବାବ ଭାରତ ପକ୍ଷରୁ ଦିଆଯାଇଛି। ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ପରେ ଆମେରିକା କେମିତି ରୁଷ ଠାରୁ ତୈଳ ଆମଦାନୀ ଆରମ୍ଭ କରିବାକୁ ଚେଷ୍ଟା କରିଥିଲା, ସେକଥା ଭାରତ ସରକାର ମନେ ପକାଇ ଦେଇଛନ୍ତି। ଆମେରିକା ଓ ୟୁରୋପୀୟ ସଂଘ ରୁଷ୍ ସହ ଜାରି ରଖିଥିବା ବାଣିଜ୍ୟିକ ସମ୍ପର୍କ କଥା ଭାରତ ପକ୍ଷରୁ ସମସ୍ତଙ୍କୁ ଅବଗତ କରାଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୟୁରୋପ-ରୁଷିଆ ବାଣିଜ୍ୟ ସମ୍ପର୍କ କେବଳ ତୈଳ ଭଳି ଶକ୍ତିରେ ସୀମିତ ନୁହେଁ। ବରଂ ସାର, ଖଣି ଉତ୍ପାଦ, ରାସାୟନିକ ପଦାର୍ଥ, ଲୁହା, ଇସ୍ପାତ, ଯନ୍ତ୍ରପାତି ଓ ପରିବହନ ଉପକରଣ ମଧ୍ୟ ଅନ୍ତର୍ଭୁକ୍ତ। ଏପରି କି ପରମାଣୁ ଶିଳ୍ପ ପାଇଁ ୟୁରାନିୟମ ହେକ୍ସାଫ୍ଲୋରାଇଡ, EV ଶିଳ୍ପ ପାଇଁ ପାଲାଡିୟମ, ସାର ଓ ରାସାୟନିକ ପଦାର୍ଥ ମଧ୍ୟ ରୁଷରୁ ଆମଦାନୀ କରାଯାଉଛି।

PM Modi Donald Trump Tariff Rules