Advertisment

ବ୍ରିକ୍ସ ଦେଶ ଓ ଟ୍ରମ୍ପଙ୍କ ୧୦% ଅତିରିକ୍ତ ଟାରିଫ ଧମକ

ବ୍ରାଜିଲ, ରୁଷ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠନ ହୋଇଥିବା ବ୍ରିକ୍ସ ବ୍ଲକ ବିରୋଧରେ ସେ ବିଷ ଓକାରିଛନ୍ତି।

author-image
Hemant Lenka
Trump

Trump

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଶୁଳ୍କର ଧମକ ଦେଇଛନ୍ତି। ବ୍ରାଜିଲ, ରୁଷ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠନ ହୋଇଥିବା ବ୍ରିକ୍ସ ବ୍ଲକ ବିରୋଧରେ ସେ ବିଷ ଓକାରିଛନ୍ତି। ବ୍ରିକ୍ସ ଦେଶ ଗୁଡ଼ିକ ଆମେରିକା ବିରୋଧୀ ନୀତି ଗ୍ରହଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ବିଶ୍ୱର କୌଣସି ରାଷ୍ଟ୍ର ଯଦି ବ୍ରିକ୍ସର ‘ଆମେରିକା ବିରୋଧୀ ନୀତି’କୁ ସମର୍ଥନ କରିବ, ତା’ହେଲେ ତା’ ଉପରେ ଅତିରିକ୍ତ ୧୦% ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ ଖୋଲାଖୋଲି ଭାବେ ଧମକ ଦେଇଛନ୍ତି।

Advertisment

ଟ୍ରୁଥ ସୋଶଲରେ ଟ୍ରମ୍ପ ଉଲ୍ଲେଖ କରିଛନ୍ତି, “ବ୍ରିକ୍ସର ଆମେରିକା ବିରୋଧୀ ନୀତି ସହ ଯଦି କୌଣସି ରାଷ୍ଟ୍ର ଏକମତ ହୁଅନ୍ତି କିମ୍ବା ବ୍ରିକ୍ସ ସହ ମେଣ୍ଟ କରନ୍ତି, ତା’ହେଲେ ସେମାନଙ୍କ ଉପରେ ୧୦% ଅତିରିକ୍ତ ଶୁଳ୍କ ଲାଗିବ। ଏହି ନୀତିରେ କୌଣସି ବ୍ୟତିକ୍ରମ ରହିବନି। ଏହି ପ୍ରସଙ୍ଗରେ ଧ୍ୟାନ ଦେଇଥିବାରୁ ଧନ୍ୟବାଦ।”

ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକ ବିରୋଧରେ ଆମେରିକା ବିରୋଧୀ ନୀତିର ଅଭିଯୋଗ ଆଣିଛନ୍ତି। କିନ୍ତୁ ସେ ବ୍ରିକ୍ସ ଦେଶର କେଉଁ ନୀତିକୁ ଆମେରିକା ବିରୋଧୀ ବୋଲି କହୁଛନ୍ତି, ସେବିଷୟରେ କିଛି ବି କହି ନାହାନ୍ତି। ଆଉ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ଆଜି ରାତିରୁ ଆମେରିକା ପ୍ରଶାସନ ନୂଆ ଟାରିଫ ନିୟମ ଓ ବିଭିନ୍ନ ଦେଶ ସହ ହୋଇଥିବା ସଂଶୋଧିତ ବାଣିଜ୍ୟ ଡିଲ୍‌ ସମ୍ପର୍କରେ ବିଧିବଦ୍ଧ ଭାବେ ଚିଠି ପଠାଇବା ଆରମ୍ଭ କରିବ। ଭାରତୀୟ ସମୟ ରାତି ୯.୩୦ରୁ ବିଭିନ୍ନ ଦେଶକୁ ଚିଠି ଯିବା ଆରମ୍ଭ ହେବ।

Advertisment

୨୦୦୯ରେ ବ୍ରିକ୍ସ ଗଠନ ହୋଇଥିଲା। ପ୍ରଥମେ ଏଥିରେ ବ୍ରାଜିଲ, ରୁଷ, ଭାରତ ଓ ଚାଇନା ରହିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ଏଥିରେ ସାମିଲ ହୋଇଥିଲା। ଗତବର୍ଷ ଏହି ସଂଗଠନକୁ ସଂପ୍ରସାରିତ କରାଯାଇଛି। ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଓ ୟୁଏଇ ଏଥିରେ ସାମିଲ ହୋଇଛନ୍ତି।

ବ୍ରିକ୍ସ ନେତାମାନେ ରିଓ ଡେ ଜାନେଇରୋ ଘୋଷଣାପତ୍ରରେ ୱାଶିଂଟନର ପାଲଟା ଶୁଳ୍କ ନୀତିକୁ ବିରୋଧ କରିଥିଲେ। ଶୁଳ୍କ ବୃଦ୍ଧି ଦ୍ୱାରା ବିଶ୍ୱ ବାଣିଜ୍ୟ ବିପଦରେ ପଡ଼ିବ ବୋଲି ସେମାନେ ଧମକ ଦେଇଥିଲେ। କିନ୍ତୁ ବ୍ରିକ୍ସ ନେତାମାନେ ଟ୍ରମ୍ପ କିମ୍ବା ଆମେରିକାର ନାଁ ନେଇଥିଲେ। ତଥାପି ଏପରି ଘୋଷଣାପତ୍ର ପରେ ହିଁ ବ୍ରିକ୍ସକୁ ଟ୍ରମ୍ପ ସମାଲୋଚନା କରିବା ସହ ୧୦% ଅତିରିକ୍ତ ଶୁଳ୍କର ଧମକ ଦେଇଛନ୍ତି।

Donald Trump BRICS