ଡୋନାଲ୍ଡ ଟ୍ରମ୍ପ
ଇରାନ ଉପରେ ଆମେରିକା(US) ସେନା ଆକ୍ରମଣ କରିଥିବା କଥାକୁ ନିଶ୍ଚିତ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇସ୍ରାଏଲ ସହ ମିଶି ଆମେରିକା ଆଜି ଇରାନ(Iran)ର ୩୦ଟି ସ୍ଥାନରେ ଘନଘନ ମିସାଇଲ ମାଡ଼ କରିଛି। ଏହାକୁ ତୀବ୍ର ଉତ୍ତେଜନା ଦେଖାଯାଇଥିବା ବେଳେ ଟିଭିରେ ବାହାରି ପୂରା ବିଶ୍ୱକୁ ଟ୍ରମ୍ପ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି।
ଟେଲିଭିଜନ ବାର୍ତ୍ତାରେ ଟ୍ରମ୍ପ କହିଛନ୍ତି ଯେ “ଇରାନୀୟ ଶାସନ ପକ୍ଷରୁ ଆମେରିକା ପ୍ରତି ବିପଦ ରହିଛି। ଏହି ବିପଦକୁ ଅଗ୍ରାହ୍ୟ କରାଯାରିବ ନାହିଁ। ବିପଦ ଦୃଷ୍ଟିରୁ ଏପରି ଅପରେସନ କରାଯାଇଛି। କିଛି କ୍ଷଣ ପୂର୍ବରୁ ଆମେରିକା ସେନା ଗୋଟିଏ ବଡ଼ ସୈନ୍ୟ ଅପରେସନ ଇରାନରେ ଆରମ୍ଭ କରିଛନ୍ତି। ଇରାନୀୟ ଶାସନଠାରୁ ସୃଷ୍ଟି ହେଉଥିବା ବିପଦକୁ ସମାପ୍ତ କରି ଆମେରିକା ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ହେଉଛି ଆମର ଉଦ୍ଦେଶ୍ୟ। ଇରାନୀୟ ଶାସନ ଅତ୍ୟନ୍ତ କ୍ରୁର ଓ ଅତ୍ୟନ୍ତ ନିର୍ଦ୍ଦୟ।”
ଆମେରିକା ବିରୋଧରେ ଇରାନ ଦଶନ୍ଧି ଦଶନ୍ଧି ଧରି ଷଡ଼ଯନ୍ତ୍ର କରୁଛି। ଏବେ ଆଉ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଇରାନୀୟ ସୁରକ୍ଷା ବଳକୁ ସିଧାସଳଖ ଧମକ ଦେଇ ଟ୍ରମ୍ପ ନିଜର ଟିଭି ବାର୍ତ୍ତାରେ କହିଛନ୍ତି ଯେ “ଇସଲାମିକ ରେଭ୍ୟୁଲୁସେନାରୀ ଗାର୍ଡ, ସଶସ୍ତ୍ର ବଳ ଓ ସମସ୍ତ ପୁଲିସ୍ ସଦସ୍ୟମାନଙ୍କୁ ମୁଁ ଆଜି ରାତିରେ ହିଁ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରିବାକୁ ପରାମର୍ଶ ଦେଉଛି।
ସେମାନଙ୍କୁ ଆମେ ସୁରକ୍ଷା ଦେବୁ। ନଚେତ ଆପଣମାନଙ୍କୁ ନିଶ୍ଚିତ ସାମ୍ନା କରିବାକୁ ପଡ଼ିବ। ନିଜର ଅସ୍ତ୍ରଶସ୍ତ୍ର ଚାଡ଼ି ଦିଅନ୍ତୁ। ଆପଣମାନଙ୍କ ସହ ନିରପେକ୍ଷ ବ୍ୟବହାର କରାଯିବ। ଆପଣମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦିଆଯିବ। ନଚେତ ଆପଣମାନେ ମୃତ୍ୟୁକୁ ସାମ୍ନା କରନ୍ତୁ।”
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆହୁରି କହିଛନ୍ତି ଯେ “ଆମେ ସେମାନଙ୍କ ମିସାଇଲକୁ ଧ୍ୱଂସ କରିବୁ ଓ ସେମାନଙ୍କ ମିସାଇଲ ଇଣ୍ଡଷ୍ଟ୍ରୀକୁ ମାଟିରେ ମିଶାଇ ଦେବୁ। ସେଗୁଡ଼ିକୁ ପୂରା ନଷ୍ଟ କରାଯିବ। ଆମେ ସେମାନଙ୍କ ନୌସେନାକୁ ମଧ୍ୟ ଧ୍ୱଂ କରିଦେବୁ।”
ଟ୍ରମ୍ପ ଏହି ଲଢ଼େଇରେ ଆମେରିକୀୟ ମଧ୍ୟ ମୃତାହତ ହୋଇପାରନ୍ତି ବୋଲି ଆଶଙ୍କା କରିଛନ୍ତି। ସେ କହିଛନ୍ତି, “ଆମେ ବୀର ଆମେରିକୀୟ ହିରୋଙ୍କ ଜୀବନ ହରାଇ ପାରୁ। ଆମର ବି ମୃତାହତ ହୋଇପାରନ୍ତି। ଯୁଦ୍ଧରେ ସାଧାଣତଃ ଏମିତି ହୋଇଥାଏ। କିନ୍ତୁ ଆମେ ବର୍ତ୍ତମାନ ସମୟ ପାଇଁ କିଛି କରୁନାହୁଁ। ଆମେ ଭବିଷ୍ୟତ ପାଇଁ ସବୁ କିଛି କରୁଛୁ।
ଏହା ଏକ ମହାନ ମିଶନ। ଇରାନ କେବେ ବି ପରମାଣୁ ଅସ୍ତ୍ରଶସ୍ତ୍ର ହାସଲ କରିପାରିବ ନାହିଁ। ଆମେରିକା ବିଶେଷ କରି ମୋ ପ୍ରଶାସନର ନୀତି ହେଲା କୌଣସି ଆତଙ୍କବାଦୀ ଶାସନ କେବେ ବି ପରମାଣୁ ଅସ୍ତ୍ର ହାସଲ କରିପାରିବ ନାହିଁ। ମୁଁ ଏହାକୁ ପୁଣିଥରେ ଦୋହରାଉଛି। ସେମାନେ କେବେ ବି ପରମାଣୁ ଅସ୍ତ୍ର ହାସଲ କରିପାରିବେ ନାହିଁ।”
ଇରାନୀ ଲୋକଙ୍କୁ ମଧ୍ୟ ବଡ଼ କଥା କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, “ଆପଣଙ୍କ ସ୍ୱାଧୀନତାର ସମୟ ଆପଣଙ୍କ ହାତରେ ରହିଛି। ଆଶ୍ରୟ ସ୍ଥଳରେ ରୁହନ୍ତୁ। ନିଜର ଘର ଛାଡ଼ନ୍ତୁ ନାହିଁ। ବାହାରେ ଗୋଟିଏ ବଡ଼ ବିପଦଜନକ ସ୍ଥିତି ସୃଷ୍ଟି ହୋଇଛି। ବୋମା ସବୁ ଆଡ଼େ ପଡ଼ିବାରେ ଲାଗିଛି। ଆମେ ଯେତେବେଳେ କାମ ଶେଷ କରିବୁ, ଆପଣମାନଙ୍କ ସରକାରକୁ ଦଖଲକୁ ନେବୁ ସେତେବେଳେ ଆପଣମାନେ ପରବର୍ତ୍ତୀ ନିଷ୍ପତ୍ତି ନେବେ।”
ନିଜ ଟିଭି ବାର୍ତ୍ତାର ଶେଷ ଭାଗରେ ଟ୍ରମ୍ପ କହିଛନ୍ତି ଯେ ପୂର୍ବରୁ ଆମେରିକା କୌଣସି ରାଷ୍ଟ୍ରପତି ଯାହା କରି ନଥିଲେ ଆଜି ରାତିରେ ସେସବୁ ସେ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/28/trump-2026-02-28-14-30-41.jpg)