ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଇରାନରେ ଚାଲିଥିବା ବିଶାଳ ବିକ୍ଷୋଭ ଧୀରେଧୀରେ ହିଂସାତ୍ମକ ରୂପ ନେବାରେ ଲାଗିଛି। ଦେଶର ଆର୍ଥିକ ସ୍ଥିତି ଓ ଡଲାର ତୁଳାନାରେ ରିଆଲର(ଇରାନ ମୁଦ୍ରା) ହ୍ରାସ ଯୋଗୁ ଲକ୍ଷଲକ୍ଷ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେହରାଜନ ଠାରୁ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ବଢ଼ୁଥିବାରୁ ସେମାନଙ୍କୁ ଦମନ କରିବାକୁ ଗୁରୁବାର ଠାରୁ ଉଦ୍ୟମ ଆରମ୍ଭ କରିଛନ୍ତି ଇରାନ ସରକାର।
କିଛି ସ୍ଥାନରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ଼ କରାଯାଇଛି। ଏଥିରେ ୭ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗୁଳିମାଡ଼ ଓ ପୁଲିସର ଦମନଲୀଳା ସତ୍ତ୍ୱେ ଇରାନରେ ବିକ୍ଷୋଭ ବଢ଼ିବାରେ ଲାଗିଛି। ବିକ୍ଷୋଭକୁ ନିୟନ୍ତ୍ରଣ କରିବା ପାଇଁ ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନେଇ ଉଦ୍ୟମ କରୁଛନ୍ତି। ହେଲେ ଏପରି ସ୍ଥିତିରେ ଇରାନକୁ ଖୋଲା ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ( Donald Trump)।
ଯଦି ଇରାନ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଉପରେ କୌଣସି ପ୍ରକାରର ବଳ ପ୍ରୟୋଗ କରିବାକୁ ଚେଷ୍ଟା କରେ, ତା’ହେଲେ ଆମେରିକା ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଗୋଟିଏ ସୋଶାଲ ମିଡିଆ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ଯେ “ଯଦି ଇରାନ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କୁ ଗୁଳି କରିବ ଓ ସେମାନଙ୍କୁ ନିର୍ମମ ଭାବେ ମାରିବ, ତା’ହେଲେ ଆମେରିକା ନିଶ୍ଚିତ ଭାବେ ସେମାନଙ୍କୁ ଉଦ୍ଧାର କରିବାକୁ ଆସିବ। ଆମେ ବର୍ତ୍ତମାନ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛୁ।”
ତେବେ ଟ୍ରମ୍ପଙ୍କ ଏପରି ଚେତାବନୀର ଜବାବ ଇରାନ ପକ୍ଷରୁ ଦିଆଯାଇଛି। ସୁପ୍ରିମ ଲିଡର ଖାମେନେଇଙ୍କ ବରିଷ୍ଠ ପରାମର୍ଶଦାତା ଅଲୀ ଲାରିଜାନି ଶୁକ୍ରବାର କହିଛନ୍ତି ଯେ ଇରାନୀୟ ବିକ୍ଷୋଭରେ ଆମେରିକାର ହସ୍ତକ୍ଷେପ ପୂରା ଅଞ୍ଚଳରେ ଅରାଜକତା ସୃଷ୍ଟି କରିବ। ତେଣୁ ଇରାନର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଆମେରିକା ହସ୍ତକ୍ଷେପ ନ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି।
୩ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଇରାନ(Iran)ର ଆର୍ଥିକ ଦୁର୍ବଳ ସ୍ଥିତିକୁ ନେଇ ଦେଶରେ ଏତେ ବଡ଼ ବିକ୍ଷୋଭ ଦେଖିବାକୁ ମିଳିଛି। ଶହଶହ ଲୋକ ରାଜରାସ୍ତାକୁ ଓହ୍ଲାଇ ଖାମେନେଇ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। କିଛି ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜାର ଖବର ମଧ୍ୟ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/02/trump-2026-01-02-16-30-29.jpg)