/odisha-reporter/media/post_attachments/uploadimage/library/16_9/16_9_0/Putin_1756291826.jpg)
Putin
ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଐତିହାସିକ ବୈଠକ ହୋଇଥିଲା। ଏହାପରେ ସାଢ଼େ ୩ ବର୍ଷ ହେଲା ଚାଲିଥିବା ରୁଷ ଓ ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ବୈଠକ ପୂର୍ବରୁ ଟ୍ରମ୍ପ ଣହୁଙ୍କାର ଦେଇଥିଲେ। ଆଲୋଚନା ଖରାପ ଦିଗକୁ ଗଲେ ସେ ଚାଲି ଆସିବେ ବୋଲି କହିଥିଲେ।
ହେଲେ ପୁଟିନଙ୍କୁ ଦେଖି ଟ୍ରମ୍ପଙ୍କ ସବୁ ଦମ୍ଭ ଯେମିତି ସତେ ଯେମିତି ଭାଙ୍ଗି ଯାଇଥିଲା। ସେ ତାଙ୍କୁ ବେଶ ନମ୍ର ଭାବେ ସ୍ୱାଗତ କରିଥିଲେ। ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ପୁଟିନ ଯଦି ବୁଝାମଣା କରିବେ ନାହିଁ, ତା’ହେଲେ ଏହାର ପରିଣାମ ବେଶ ଭୟଙ୍କର ହେବ। ସେ ଅନେକ କଟକଣା ଲଗାଇବେ ବୋଲି ଟ୍ରମ୍ପ କହୁଥିଲେ। କିନ୍ତୁ ଯେତେବେଳେ ଦୁଇ ନେତା ପରସ୍ପରକୁ ଆଲାସ୍କାରେ ଭେଟିଥିଲେ ସେତେବେଳେ ଟ୍ରମ୍ପଙ୍କ ସବୁ ଦମ୍ଭୋକ୍ତି ଫୁସକି ଯାଇଥିଲା।
ହେଲେ ଏବେ ପୁଣି ରୁଷ ଓ ପୁଟିନଙ୍କୁ ଖୋଲା ଧମକ ଦେଇଛନ୍ତି ଟ୍ରମ୍ପ। ଯଦି ରୁଷ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିବାରେ ବିଫଳ ହେବେ, ତା’ହେଲେ ଅର୍ଥନୀତି ଯୁଦ୍ଧ ଆରମ୍ଭ ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।
ବୁଲମବର୍ଗ ରିପୋର୍ଟ ଅନୁସାରେ, ଟ୍ରମ୍ପ କହିଛନ୍ତି ଯେ “ଅର୍ଥନୀତିକ ଯୁଦ୍ଧ ରୁଷ ପାଇଁ ଅତ୍ୟନ୍ତ ଖରାପ ହେବ। ଏହା ଗୋଟିଏ ବିଶ୍ୱ ଯୁଦ୍ଧ ହୋଇ ନପାରେ। କିନ୍ତୁ ଏହା ଅର୍ଥନୀତିକ ଯୁଦ୍ଧର ରୂପ ନେବ ଓ ଏହି ଅର୍ଥନୀତିକ ଯୁଦ୍ଧ ବେଶ ଖରାପ ହେବ। ବିଶେଷ କରି ରୁଷ ପାଇଁ ଅର୍ଥନୀତିକ ଯୁଦ୍ଧ ଭୟଙ୍କର ହେବ। ମୁଁ ଏହା ଚାହୁଁ ନାହିଁ।” ହ୍ୱାଇଟ ହାଉସ କ୍ୟାବିନେଟ ମିଟିଂ ବେଳେ ଟ୍ରମ୍ପ ରୁଷକୁ ଏପରି ଚେତାବନୀ ଦେଇଥିବା ବୁଲମବର୍ଗରେ ରିପୋର୍ଟ ପ୍ରକାଶ ପାଇଛି।
ରାଷ୍ଟ୍ରପତି ହେବାର ୨୪ ଘଣ୍ଟା ମଧ୍ୟରେ ରୁଷ ଓ ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଟ୍ରମ୍ପ ଦମ୍ଭୋକ୍ତି କରୁଥିଲେ ହେଁ ଏଯାଏ ଏଥିରେ ସଫଳତା ହାସଲ କରିନାହାନ୍ତି। ଅଗଷ୍ଟ ୧୫ ବୈଠକ ପରେ ଯୁଦ୍ଧ ସମାପ୍ତିର ଆଶା ସୃଷ୍ଟି ହୋଇଥିଲା। କିନ୍ତୁ ଏଥିରେ କୌଣସି ସୁଧାର ଦେଖିବାକୁ ମିଳୁନାହିଁ। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ଜାରି ରଖିଛନ୍ତି।
ସେହିପରି ଅଗଷ୍ଟ ୧୫ ବୈଠକରେ ପରେ ଟ୍ରମ୍ପ ରୁଷ-ୟୁକ୍ରେନ ଓ ଆମେରିକର ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେବ ବୋଲି କହିଥିଲେ। ହେଲେ ସେଦିଗରେ କୌଣସି ପଦକ୍ଷେପ ଏଯାଏ ଗ୍ରହଣ କରାଯାଇ ନାହିଁ। ଏବେ ଟ୍ରମ୍ପ ରୁଷକୁ ଅର୍ଥନୀତିକ ଯୁଦ୍ଧର ଧମକ ଦେବା ସ୍ଥିତିକୁ ଆହୁରି ଜଟିଳ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
