ମୋଦି-ଟ୍ରମ୍ପ-ଶରିଫ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ବୁଧବାର ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ନେଇ ନୂଆ ଦାବି କରିଛନ୍ତି। ପୂର୍ବଭଳି ସେ ତାଙ୍କ ୧୦ ମାସର ଶାସନ ମଧ୍ୟରେ ବିଶ୍ୱର ୮ଟି ଯୁଦ୍ଧକୁ ବନ୍ଦ କରିଥିବା କଥା ମଧ୍ୟ ଦୋହରାଇଛନ୍ତି। ପୂର୍ବରୁ ସେ ବାରମ୍ବାର ଭାରତ-ପାକିସ୍ତାନ ଆଣବିକ ଯୁଦ୍ଧ ଆଡ଼କୁ ଯାଉଥିବା ବେଳେ ଏହାକୁ ଅଟକାଇଥିଲେ ବୋଲି କହିଥିଲେ।
ଏବେ ସେ ପ୍ରଥମଥର ଆଉ ଗୋଟିଏ ବଡ଼ ଦାବି କରିଛନ୍ତି। ଭାରତ ସହ ସାମରିକ ବିବାଦ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କୁଆଡ଼େ ଟ୍ରମ୍ପଙ୍କୁ କହିଥିଲେ ଯେ ଅପରେସନ ସିନ୍ଦୂରରେ ଯଦି ସେ ହସ୍ତକ୍ଷେପ ନ କରିବେ, ତା’ହେଲେ ୩୫ ମିଲିୟନ ବା ୩୫ ନିୟୁତ ଲୋକ ପ୍ରାଣ ହରାଇବେ। ଏକଥା ଶୁଣିବା ପରେ ଟ୍ରମ୍ପ ବିବାଦରେ ହସ୍ତକ୍ଷେପ କରି ଏହାକୁ ବନ୍ଦ କରିଥିଲେ ବୋଲି ଦାବି କରିଛନ୍ତି।
ୱାଶିଂଟନ ଡିସିର କ୍ୟାପିଟୋଲ ହଲରେ ସେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ “ମୋର ପ୍ରଥମ ୧୦ ମାସରେ ମୁଁ ୮ଟି ଯୁଦ୍ଧ ବନ୍ଦ କରିଛି। ପାକିସ୍ତାନ ଓ ଭାରତ ଆଣବିକ ଯୁଦ୍ଧ ଆଡ଼କୁ ଯାଉଥିଲେ। ଯଦି ମୁଁ ହସ୍ତକ୍ଷେପ ନ କରିବି, ତା’ହେଲେ ୩୫ ମିଲିୟନ ଲୋକ ପ୍ରାଣ ହରାଇବାର ଆଶଙ୍କା ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଥିଲେ।”
ଟ୍ରମ୍ପ ଦାବି କରିଛନ୍ତି ଯେ ସେ ଇସ୍ରାଏଲ-ହମାସ, ଇସ୍ରାଏଲ-ଇରାନ, ଇଜିପ୍ଟ-ଇଥୋପିଆ, ଭାରତ-ପାକିସ୍ତାନ, ସର୍ବିୟା-କୋସୋଭଥ, ରାୱଣ୍ଡା-କଙ୍ଗୋ, ଆର୍ମେନିଆ-ଅଜରବୈଜାନ ଓ କାମ୍ବୋଡିଆ-ଥାଇଲ୍ୟାଣ୍ଡ ଯୁଦ୍ଧକୁ ବନ୍ଦ କରିଛନ୍ତି।
ଟ୍ରମ୍ପ କହିଛନ୍ତି ଯେ “ଆମେ ବେଶ ଗର୍ବର ନିଜ ଘରେ ଓ ବିଦେଶରେ ଆମେରିକୀୟ ସୁରକ୍ଷାକୁ ନିଶ୍ଚିତ କରିପାରିଛୁ। ୮ଟି ଯୁଦ୍ଧକୁ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରିପାରିଛୁ। ରୁଷ ଓ ୟୁକ୍ରେନରେ ହତ୍ୟା ଓ ନରସଂହାର ଚାଲିଛି। ଯଦି ମୁଁ ସେତେବେଳେ ରାଷ୍ଟ୍ରପତି ରହିଥାଆନ୍ତି, ତା’ହେଲେ ଏହି ଯୁଦ୍ଧ କେବେ ବି ହୋଇ ନଥାଆନ୍ତା।”
ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ଦ୍ୱିତୀୟ ବିଶ୍ୱଯୁଦ୍ଧର ଜଣେ ଭେଟରାନଙ୍କୁ ସମ୍ମାନୀତ କରିଛନ୍ତି। ଏହାପରେ ସେ କହିଛନ୍ତି, “ମୁଁ ସବୁବେଳେ କଂଗ୍ରେସିଆଲ ମେଡାଲ ଅଫ ଅନରା ଚାହୁଁଥିଲି। କିନ୍ତୁ ମୋତେ କୁହାଯାଇଥିଲା ଯେ ମୁଁ ନିଜେକୁ ନିଜେ ଏହା ଦେଇ ପାରିବି ନାହିଁ।”
ଟ୍ରମ୍ପ ବାରମ୍ବାର ଭାରତ-ପାକିସ୍ତାନ ଯୁଦ୍ଧକୁ ବନ୍ଦ କରିଥିବା ଦାବି କରୁଥିଲେ ହେଁ ନୂଆଦିଲ୍ଲୀ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ତଥାପି ଟ୍ରମ୍ପ ନିଜ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/25/trump-2026-02-25-11-40-01.jpg)