Russia
ରୁଷ ଉପକୂଳରେ ଭୟଙ୍କର ଭୂକମ୍ପ ପରେ ଏବେ ସୁନାମୀ ତାଣ୍ଡବ ରଚିବା ଆରମ୍ଭ କରିଛି। ଆଜି ସକାଳୁ ସକାଳୁ ରୁଷର ପୂର୍ବ ପ୍ରାନ୍ତରେ ଥିବା କାମଚଟକାରେ ୮.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଭୂକମ୍ପ ଯୋଗୁ ଏବେ ରୁଷ ସମେତ ଆମେରିକା ଓ ଜାପାନରେ ବଡ଼ଧରଣର ସୁନାମୀ ଦେଖିବାକୁ ମିଳିଛି।
ଉପକୂଳରେ ଥିବା ଶହଶହ ବଡ଼ ବଡ଼ ବିଲଡିଂ ସୁମଦ୍ର ଗର୍ଭରେ ଲୀନ ହୋଇଛି। ଉପକୂଳରେ ଥିବା ଲକ୍ଷାଧିକ ଲୋକ ଜୀବନ ବିକଳରେ ଉଚ୍ଚ ସ୍ଥାନକୁ ଯବାକୁ ଲାଗିଛନ୍ତି। ଏବେ ଛୋଟ ଧରଣର ସମୁଦ୍ର ଢେଉ କୂଳ ଲଙ୍ଘିଥିବା ବେଳେ ଆଗକୁ ୧୦ ଫୁଟ ଉଚ୍ଚର ଜୁଆର ଆମେରିକାର ହାୱାଇ ଦ୍ୱୀପରେ ଭୟଙ୍କର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି।
ସମୁଦ୍ର ଗର୍ଭରେ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଥିବାରୁ ସ୍ଥିତି ଭୟଙ୍କର ହେବାର ଯଥେଷ୍ଟ ଆଶଙ୍କା ଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି। ସମୁଦ୍ର ଜୁଆର ଘୁଘୁ ଗର୍ଜନ କରି ସ୍ଥଳ ଭାଗକୁ ମାଡ଼ି ଆସିଥିବାର ଛାତିଥରା ଫଟୋ ଓ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ବର୍ତ୍ତମାନ ଉତ୍ତର ଆଲାସ୍କାରେ ସୁନାମୀର ପ୍ରଥମ ଜୁଆର ପ୍ରବେଶ କରିଛି। ହାୱାଇରେ ମଧ୍ୟ ୪ ଫୁଟ ବା ୧.୨ ମିଟର ଉଚ୍ଚର ଜୁଆର ସ୍ଥଳ ଭାଗରେ ପ୍ରବେଶ କରିଥିବା ପ୍ୟାସିଫିକ ସୁନାମୀ ୱାର୍ଣ୍ଣିଂ ସେଣ୍ଟର(ପିଟିଡବ୍ଲ୍ୟୁସି) ପକ୍ଷରୁ କୁହାଯାଇଛି। ପିଟିଡବ୍ଲ୍ୟୁସି କହିଛି ଯେ ସୁନାମୀ ଜୁଆର ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବର୍ତ୍ତମାନ ସବୁଠାରୁ ବଡ଼ ଜୁଆର ହାୱାଇରେ ରେକର୍ଡ କରାଯାଇଛି। ଉତ୍ତର ଉପକୂଳ ଓହାହୁର ହାଲେଇୱାରେ ୪ ଫୁଟ ଉଚ୍ଚର ଜୁଆର ସ୍ଥଳ ଭାଗରେ ତାଣ୍ଡବ ରଚିଛି। ପ୍ରାୟ ୧୨ ମିନିଟର ବ୍ୟବଧାନରେ ଉଚ୍ଚ ଜୁଆର ସ୍ଥଳ ଭାଗକୁ ଆସୁଛି।
ଜାପାନ ମେଟ୍ରୋଲୋଜିକାଲ ଏଜେନ୍ସି କହିଛି ଯେ ୪୦ ସେଣ୍ଟିମିଟର ବା ୧.୩ ଫୁଟର ସୁନାମୀ ହୋକ୍କାଇଡୋର ଟୋକାଚିରେ ଚିହ୍ନଟ ହୋଇଛି। ଏହି ସ୍ଥାନଟି ଜାପାନର ଉତ୍ତରପୂର୍ବର ପ୍ରାନ୍ତର ଗୋଟିଏ ପ୍ରମୁଖ ସ୍ଥାନ। ଭୂକମ୍ପର କେନ୍ଦ୍ରସ୍ଥଳ କାମଚଟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କିନ୍ତୁ କେହି ବି ଗୁରୁତର ଭାବେ ଆହତ ହୋଇ ନାହାନ୍ତି।
ରୁଷର କୁରିଲ ଦ୍ୱୀପପୁଞ୍ଜର ସେଭେରୋ-କୁରିଲସ୍କରେ ସୁନାମୀ ଜୁଆର ପ୍ରବେଶ କରିଥିବା ସ୍ଥାନୀୟ ଗଭର୍ଣ୍ଣର ଭାଲେରୟ ଲିମାରେନକୋ କହିଛନ୍ତି। ତାଙ୍କ କହିବା କଥା ଯେ ଭୂକମ୍ପ ପରେ ସୁନାମୀ ଆସିଥିବା ବେଳେ ସ୍ଥାନୀୟ ଲୋକ ସୁରକ୍ଷିତ ରହିଛନ୍ତି। ସେମାନଙ୍କୁ ବିପଦ ଟଳିବା ଯାଏ ସେମାନଙ୍କୁ ଉଚ୍ଚ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।
ଜାପାନର ଇୱାଟେ ସ୍ଥିତ କୁଜି ପୋର୍ଟରେ ୧.୩ ମିଟର ବା ୪.୩ ଫୁଟ ଉଚ୍ଚର ଜୁଆର ପ୍ରବେଶ କରିଛି। କ୍ରମାଗତ ଭାବେ ବଡ଼ ବଡ଼ ଜୁଆର କୂଳ ଲଙ୍ଘିବାରେ ଲାଗିଛି।
ଜାପାନ ଓ ଆମେରିକାରେ ସୁନାମୀର ସତର୍କ ସାଇରନ ବାଜୁଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସେମାନେ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ବ୍ୟାପକ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ହାୱାଇରେ ସୁନାମୀ ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିଥିବା ବେଳେ ଏକାଧିକ ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Russia_1753861867.jpg)