ଏଟିଏମ, ବାବର ଓ ପିଣ୍ଟୋ
ବାଂଲାଦେଶ ସାଧାରଣ ନିର୍ବାଚନ(Bangladesh Election)ରେ ବିଏନପି ଦମଦାର ପ୍ରଦର୍ଶନ କରିଥିବା ବେଳେ ଜମାତ-ଇ-ଇସଲାମୀ ମାଟି କାମୁଡ଼ିଛି। ବିଏନପି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବାକୁ ଯାଉଛି। ତେବେ ବାଂଲାଦେଶ ସାଧାରଣ ନିର୍ବାଚନରେ ଏମିତି ୩ ଜଣ ବ୍ୟକ୍ତି ରହିଛନ୍ତି ଯେଉଁମାନଙ୍କୁ ଏକଦା ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେମାନେ ଫାଶୀ ଖୁଣ୍ଟରେ ଝୁଲିବାର ଥିଲା।
କିନ୍ତୁ ଏବେ ସେମାନେ ଫାଶୀରୁ ମୁକୁଳି ବାଂଲାଦେଶ ସଂସଦରେ ପ୍ରବେଶ କରିବାକୁ ଯାଉଛନ୍ତି। ଶେଖ ହସିନାଙ୍କ ପରେ ବାଂଲାଦେଶର ଶାସନ ଭାର ସମ୍ଭାଳିଥିବା ମହମ୍ମଦ ୟୁନୁସଙ୍କ ଶାସନ ସମୟରେ ଏହି ୩ ଜଣ ମୁକ୍ତ ହୋଇଥିଲେ। ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ମାମଲାରେ ମଧ୍ୟ ଜଡ଼ିତ।
ବିଜୟୀ ହୋଇଥିବା ଲୁଟଫୋଜାମାନ ବାବର ଓ ଅବଦୁସ ସଲାମ ପିଣ୍ଟୁ ହେଉଛନ୍ତି ବିଏନପିର ସଦସ୍ୟ। ସେହିପରି ଏଟିଏମ ଆଝାରୁଲ ଇସଲାମ ଜମାତ ଟିକେଟରୁ ବିଜୟୀ ହୋଇଛନ୍ତି। ୨୦୨୪ ଜୁଲାଇ ପୂର୍ବରୁ ଅର୍ଥାତ ଶେଖ ହସିନା ଓ ଆବାମୀ ଲିଗ ସରକାର ସମୟରେ ଏହି ୩ ଜଣ ଫାଶୀ ଦଣ୍ଡ ପାଇଥିଲେ।
ଖାଲେଦା ଜିଆଙ୍କ ସରକାର ସମୟରେ ବାବର ୨୦୦୧ରୁ ୨୦୦୬ ଯାଏ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ବିଏନପି ଓ ଜମାତ ମେଣ୍ଟ କ୍ଷମତାରେ ରହିଥିଲା। ଫେବୃଆରୀ ୧୨ ତାରିଖ ନିର୍ବାଚନରେ ନେଟ୍ରୋକୋନା-୪ ସିଟରୁ ବାବର ବିଜୟୀ ହୋଇଛନ୍ତି। ତାଙ୍କୁ ୧ ଲକ୍ଷ ୬୦ ହଜାରରୁ ଅଧିକ ଭୋଟ ମିଳିଛି।
୨୦୧୪ରେ ବାବରଙ୍କୁ ୨୦୦୪ ମସିହା ଢାକା ଗ୍ରେନେଡ ଆକ୍ରମଣ ମାମଲାରେ ମୃତ୍ୟୁ ଦଣ୍ଡ ମିଳିଥିଲା। ଗ୍ରେନେଡ ଆକ୍ରମଣରେ ୨୩ ଜଣ ପ୍ରାଣ ହରାଇଥିଲେ ଓ ୫୦୦ରୁ ଅଧିକ ଆହତ ହୋଇଥିଲେ। ପ୍ରଧାନମନ୍ତ୍ରୀ ହସିନାଙ୍କୁ ଟାର୍ଗେଟ କରି ଆକ୍ରମଣ ହୋଇଥିଲା। ୨୦୦୪ ଚିଟାଗୋଙ୍ଗ ଅସ୍ତ୍ର ଚୋରାଚାଣ ମାମଲାରେ ବି ବାବର ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ୨୦୧୮ରେ ଦ୍ୱିତୀୟ ଥର ମୃତ୍ୟୁଦଣ୍ଡ ମିଳିଥିଲା। ଭାରତର ଉତ୍ତର ପୂର୍ବ ରାଜ୍ୟକୁ ବାବର ୧୦ଟି ଟ୍ରକରେ ଅସ୍ତ୍ରଶସ୍ତ୍ର ପଠାଉଥିବା ବେଳେ ବାଂଲାଦେଶ ପୁଲିସ୍ ଓ ତଟରକ୍ଷୀ ବାହିନୀ ଏହାକୁ ଧରିଥିଲା।
ହସିନା ବିକ୍ଷୋଭ ଯୋଗୁ ଦେଶ ଛାଡ଼ିବା ପରେ ବାଂଲାଦେଶ ହାଇକୋର୍ଟ ବାବରଙ୍କୁ ୨୦୨୫ ଜାନୁଆରୀ ୧୪ରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମାମଲାରେ ଦୋଷ ମୁକ୍ତ କରିଥିଲେ। ଏହାର ଦୁଇ ଦିନ ପରେ କେରାନିଗଞ୍ଜ କେନ୍ଦ୍ରୀୟ ଜେଲରୁ ସେ ବାହାରିଥିଲେ।
ବାବରଙ୍କ ବିଏନପି ସହଯୋଗୀ ଅବଦୁସ ସଲାମ ପିଣ୍ଟୋ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ୨୦୦୧ରୁ ୨୦୦୬ ଯାଏ ଖାଲେଦା ଜିଆ ସରକାରରେ ପିଣ୍ଟୋ କ୍ୟାବିନେଟ ମନ୍ତ୍ରୀ ଥିଲେ। ଗୁରୁବାର ବାଂଲାଦେଶ ଜାତୀୟ ନିର୍ବାଚନରେ ପିଣ୍ଟୁ ଟାଙ୍ଗାଇଲ-୨ରୁ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ବାବରଙ୍କ ଭଳି ୨୦୦୪ ଗ୍ରେନେଡ ଆକ୍ରମଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ୨୦୧୬ରେ ମୃତ୍ୟୁଦଣ୍ଡ ମିଳିଥିଲା।
ଏହାବାଦ ପିଣ୍ଟୋ ଭାରତରେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ହରକତ ଉଲ ଜିହାଦ ଅଲ ଇସଲାମୀ କରିଥିବା ଏକାଧିକ ଆକ୍ରମଣରେ ସହାୟତା କରିଥିଲେ। ୨୦୦୬ ବାରାଣସୀ କୋର୍ଟ କମ୍ପ୍ଲେକ୍ସ ବିସ୍ଫୋରଣ, ୨୦୦୭ରେ ଆଜମେର ଶରିଫ ଦର୍ଘା ଓ ୨୦୧୧ ଦିଲ୍ଲୀ ବୋମା ବିସ୍ଫୋରଣରେ ପିଣ୍ଟୋଙ୍କ ହାତ ରହିଛି। ହସିନା ଯିବା ପରେ ବାବରଙ୍କ ଭଳି ବାଂଲାଦେଶ କୋର୍ଟ ତାଙ୍କୁ ମଧ୍ୟ ୨୦୨୫ ଡିସେମ୍ବର ୨୪ରେ ସମସ୍ତ ଅପରାଧରୁ ଦୋଷମୁକ୍ତ କରିଛନ୍ତି।
ଫାଶୀ ଖୁଣ୍ଟରୁ ସଂସଦକୁ ଯାଇଥିବା ତୃତୀୟ ବ୍ୟକ୍ତି ହେଲେ ବାଂଲାଦେଶ ଜମାତ ଇ ଇସଲାମୀର ଏଟିଏମ ଅଝରୁଲ ଇସଲାମ। ବାଂଲାଦେଶ ସାଧାରଣ ନିର୍ବାଚନରେ ଏଟିଏମ ରଙ୍ଗପୁର-୨ ଆସନରୁ ବିଜୟୀ ହୋଇଛନ୍ତି। ୧୯୯୮, ୨୦୦୧ ଓ ୨୦୦୬ରେ ମଧ୍ୟ ସେ ସମାନ ଆସନରୁ ନିର୍ବାଚନ ଲଢ଼ିଥିଲେ। ୨୦୧୨ ଯାଏ ସେ ଜମାତର ମହାସଚିବ ରହିଥିଲେ।
କିନ୍ତୁ ୨୦୧୨ରେ ଏଟିଏମ ଗିରଫ ହୋଇଥିଲେ ଓ ଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ତାଙ୍କୁ ଯୁଦ୍ଧ ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ। ୧୯୭୧ ମସିହା ମୁକ୍ତି ଯୁଦ୍ଧ ସମୟରେ ସେ ୧୨୫୬ ଜଣଙ୍କୁ ହତ୍ୟା କରିଥିବା ବେଳେ ୧୩ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା କୋର୍ଟ କହିଥିଲେ। ୨୦୧୪ରେ ଏଥିପାଇଁ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।
ବିଏନପି ବାବର ଓ ପିଣ୍ଟୋଙ୍କ ଭଳି ବାଂଲାଦେଶର ସୁପ୍ରିମକୋର୍ଟ ୨୦୨୫ ମେ’ ୨୭ରେ ଏଟିଏମଙ୍କୁ ସମସ୍ତ ଚାର୍ଜରୁ ମୁକ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/14/babar-2026-02-14-12-06-01.jpg)