Advertisment

ୟୁକ୍ରେନର ବଡ଼ ଧରଣର ଡ୍ରୋନ୍ ଆକ୍ରମଣ, ରୁଷର ୪୦ ଯୁଦ୍ଧ ବିମାନ ଧ୍ୱଂସ

ଗତ ମେ’ ୨୪ ତାରିଖ ରାତିରେ ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା ରୁଷ। ରୁଷ ସେନା ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରି ୩୬୭ଟି ଡ୍ରୋନ୍ ଓ ମିସାଇଲ ନିକ୍ଷେପ କରିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Drone Attack

Drone Attack

ରୁଷ ଉପରେ ରବିବାର ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ। ରୁଷର ଏକାଧିକ ଏୟାରବେସ୍ ଉପରେ ହୋଇଛି ଡ୍ରୋନ୍ ମାଡ଼। ଏଥିରେ ରୁଷର ୪୦ରୁ ଅଧିକ ଯୁଦ୍ଧ ବିମାନ ଧ୍ୱଂସ ହୋଇଥିବା ଜଣାପଡ଼ିଛି। ରୁଷ ସହିତ ଯୁଦ୍ଧ ଲାଗିବା ଦିନଠାରୁ ଏହା ୟୁକ୍ରେନର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଉଛି।

Advertisment

ୟୁକ୍ରେନ ତା’ ସୀମା ଠାରୁ ୪ ହଜାର କିଲୋମିଟରରୁ ଅଧିକ ଦୂରତାରେ ଥିବା ପୂର୍ବ ସାଇବେରିଆରେ ଏକ ଏୟାର ବେସ୍ ଉପରେ ଆକ୍ରମଣ କରିଛି। ରୁଷର ଇରକୁଟସ୍କ ଅଞ୍ଚଳର ଗଭର୍ଣ୍ଣର ଏହି ଆକ୍ରମଣ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନର ରିମୋଟ୍ ପାଇଲଟେଡ୍‌ ଏୟାରକ୍ରାଫ୍ଟ ସାଇବେରିଆର ଶ୍ରୀଡନୀ ଗ୍ରାମ ସ୍ଥିତ ସେନାର ଏକ ୟୁନିଟ୍ ଉପରେ ଆକ୍ରମଣ କରିଛି। ଏହା ସାଇବେରିଆରେ ୟୁକ୍ରେନର ପ୍ରଥମ ଆକ୍ରମଣ।

ୟୁକ୍ରେନର ଗଣମାଧ୍ୟମ ଦାବି କରିଛି ଯେ ୟୁକ୍ରେନ୍‌ ସିକ୍ୟୁରିଟୀ ସର୍ଭିସ (ଏସ୍‌ବିୟୁ) ପକ୍ଷରୁ ଏକ ବଡ଼ ଧରଣର ସ୍ୱତନ୍ତ୍ର ଅପରେସନ କରାଯାଇଛି, ଯେଉଁଥିରେ ରୁଷର ୪୦ରୁ ଅଧିକ ଯୁଦ୍ଧ ବିମାନ ନଷ୍ଟ ହୋଇଛି।

Advertisment

ଅଧିକାରୀମାନଙ୍କ ମନ୍ତବ୍ୟକୁ ଉଦ୍ଧାର କରି ନ୍ୟୁଜ ଏଜେନ୍ସୀ ଏଏଫପି ରିପୋର୍ଟ କରିଛି ଯେ ପୂର୍ବ ସାଇବେରିଆର ବେଲାୟା, ମସ୍କୋର ପୂର୍ବରେ ଥିବା ଇଭାନୋଭୋ ଓ ଡାଇଜିଲିଆଇଭୋ ଏୟାରବେସ୍ ଉପରେ ମଧ୍ୟ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ।

ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ରୁଷର Tu-95 ଓ Tu-22M3 ଭଳି ବୋମାମାଡ଼ କରୁଥିବା ଯୁଦ୍ଧବିମାନ ନଷ୍ଟ ହୋଇଛି। ଗୋଟିଏ A-50 ଯୁଦ୍ଧ ବିମାନ ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି। ଡ୍ରୋନ୍ ଆକ୍ରମଣ ପରେ ବେଲାୟା ଏୟାର ବେସ୍‌ରେ ନିଆଁ ଲାଗିଯାଇଥିଲା। ଯଦି ଏସବୁ ରିପୋର୍ଟ ସତ ହୁଏ, ତା’ହେଲେ ଏହି ଯୁଦ୍ଧରେ ରୁଷର ପ୍ରଭୁତ କ୍ଷତି ଘଟାଇବାରେ ଏହା ହେଉଛି ୟୁକ୍ରେନର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ। ଇରକୁଟସ୍କରେ ୟୁକ୍ରେନର ଡ୍ରୋନ ଆକ୍ରମଣର ଭିଡିଓ ସାମ୍ନାକୁ ଆସିଛି। ୟୁକ୍ରେନ ‘ୱେବ୍‌’ ନାମରେ ଏକ ସ୍ପେଶାଲ ଅପରେସନ କୋଡ୍‌ ରଖି ଏହି ଆକ୍ରମଣ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ମେ’ ୨୪ ତାରିଖ ରାତିରେ ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା ରୁଷ। ରୁଷ ସେନା ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରି ୩୬୭ଟି ଡ୍ରୋନ୍ ଓ ମିସାଇଲ ନିକ୍ଷେପ କରିଥିଲା। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ଆକାଶ ମାର୍ଗରେ ଏହା ରୁଷର ସବୁଠୁ ବଡ଼ ଆକ୍ରମଣ ଥିଲା ବୋଲି କୁହାଯାଉଛି।ରୁଷର ଡ୍ରୋନ୍ ଓ ମିସାଇଲ ମାଡ଼ରେ ୟୁକ୍ରେନର ବିଭିନ୍ନ ସହରରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡଜନ ଡଜନ ଲୋକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିଲେ। ସେମାନେ ଜେତୋମେର ସହରର ବାସିନ୍ଦା ଥିଲେ। କିବ, ଖାରକିବ, ମିକୋଲାଇଭ, ତେର୍ନୋପିଲ ଓ ଖମେଲନିସ୍ତିକି ସହରରେ ମଧ୍ୟ ଡ୍ରୋନ୍ ଓ ମିସାଇଲ ପକାଇଥିଲା ରୁଷ। ରୁଷ ମୋଟ ୩୬୭ଟି ଡ୍ରୋନ୍ ଓ ମିସାଇଲ ଛାଡ଼ିଥିବା ବେଳେ ୟୁକ୍ରେନ ସେନା ସେଥି ମଧ୍ୟରୁ ୨୬୬ଟି ଡ୍ରୋନ୍ ଓ ୪୫ଟି ମିସାଇଲକୁ ଆକାଶ ମାର୍ଗରେ ହିଁ ନଷ୍ଟ କରିଦେବାରେ ସଫଳ ହୋଇଥିଲା। କିନ୍ତୁ ଆଉ ୫୬ଟି ଡ୍ରୋନ୍ ଓ ମିସାଇଲ ୟୁକ୍ରେନର ବିଭିନ୍ନ ସହରରେ ପଡ଼ିଥିଲା। ଫଳରେ ବ୍ୟାପକ କ୍ଷତି ହୋଇଥିଲା। ଅନେକ ଆପାର୍ଟମେଣ୍ଟ ଓ ଭିତ୍ତିଭୂମି ପ୍ରବଳ କ୍ଷତି ସହିଥିଲେ। ଅନ୍ୟପକ୍ଷରେ ରୁଷ ଦାବି କରିଥିଲା ଯେ ୟୁକ୍ରେନ ମଧ୍ୟ ତା’ ଉପରେ ଡ୍ରୋନ୍‌ରେ ଆକ୍ରମଣ କରିଥିଲା। ୟୁକ୍ରେନର ୯୫ଟି ଡ୍ରୋନ୍ ନଷ୍ଟ କରିଥିବା ନେଇ ଦାବି କରିଛି ରୁଷ। କେବଳ ମସ୍କୋ ଉପରେ ୧୨ଟି ଡ୍ରୋନ୍‌କୁ ନଷ୍ଟ କରାଯାଇଥିବା ରୁଷ କହିଛି।

Russia-Ukraine War