ହୁସେନ
ରୁଷ ସେନା ପାଇଁ ଯୁଦ୍ଧ କରୁଥିବା ଜଣେ ୨୨ ବର୍ଷୀୟ ଭାରତୀୟ ଯୁବକଙ୍କୁ ୟୁକ୍ରେନ ଗିରଫ କରିଥିବା ଦାବି କରିଛି। ତେବେ ଏନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ୟୁକ୍ରେନ ଗଣମାଧ୍ୟମରେ ପ୍ରକାଶିତ ଏହି ଦାବି ସତ ନା ମିଛ, ତାହା ଜାଣିବା ପାଇଁ ତଥ୍ୟ ଯୋଗାଡ଼ କରାଯାଉଛି ବୋଲି ଭାରତୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତା’ସହିତ ଏହି ଗିରଫ ନେଇ ୟୁକ୍ରେନ ପକ୍ଷରୁ ଆନୁଷ୍ଠାନିକ ଭାବେ ଭାରତ ସହିତ କୌଣସି ଯୋଗାଯୋଗ କରାଯାଇନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଥିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ୟୁକ୍ରେନର ‘ଦ କିଭ ଇଣ୍ଡେପିଣ୍ଡେଣ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗିରଫ ଯୁବକଙ୍କ ନାଁ ମଜୋତି ସାହିଲ ମହମ୍ମଦ ହୁସେନ। ତାଙ୍କ ଘର ଗୁଜରାଟର ମୋରବୀରେ। ହୁସେନ ରୁଷର ଏକ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଯାଇଥିଲେ। କିନ୍ତୁ ରୁଷ ସେନା ତାଙ୍କୁ ୟୁକ୍ରେନ ବିପକ୍ଷ ଯୁଦ୍ଧରେ ନିଯୁକ୍ତ କରିଥିଲେ।
ୟୁକ୍ରେନ ସେନା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ଭିଡିଓରେ ହୁସେନ କହିଛନ୍ତି ଯେ ନିଶା କାରବାର ମାମଲାରେ ରୁଷରେ ତାଙ୍କୁ ୭ ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା। ସେ ଜେଲରେ ଥିବା ବେଳେ ତାଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଜେଲଦଣ୍ଡାଦେଶରୁ ବର୍ତ୍ତିବା ପାଇଁ ତାଙ୍କୁ ରୁଷ ସେନା ପାଇଁ କାମ କରିବାକୁ ଚୁକ୍ତି କରିବାକୁ କୁହାଯାଇଥିଲା। ଏହି ପ୍ରସ୍ତାବକୁ ସେ ଗ୍ରହଣ କରିଥିଲେ।
ସେ ୟୁକ୍ରେନ ସେନାକୁ ଆହୁରି କହିଛନ୍ତି ଯେ ରୁଷ ସେନା ତାଙ୍କୁ ୧୬ ଦିନ ପ୍ରଶିକ୍ଷଣ ଦେଇଥିଲା। ଅକ୍ଟୋବର ୧ ତାରିଖରେ ସେ ପ୍ରଥମ ଥର ପାଇଁ ଯୁଦ୍ଧରେ ସାମିଲ ହୋଇଥିଲେ। ସେ ଯୁଦ୍ଧରେ ତିନି ଦିନ ବିତାଇଛନ୍ତି। ତେବେ ତାଙ୍କ କମାଣ୍ଡରଙ୍କ ସହିତ ଝଗଡ଼ା ପରେ ସେ ୟୁକ୍ରେନ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ।
ରୁଷ ସେନାରେ ସାମିଲ ହେଲେ ତାଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ତାଙ୍କୁ କିଛି ଆର୍ଥିକ ସହଯୋଗ ମିଳିନଥିଲା ବୋଲି କହିଛନ୍ତି ହୁସେନ।
ଏହି ଭିଡିଓରେ ସେ କହିଛନ୍ତି, ମୁଁ ରୁଷ ଫେରିବାକୁ ଚାହୁଁନାହିଁ। ସେଠାରେ ସବୁ ମିଛ। ତା’ବଦଳରେ ମୁଁ ଏଠାରେ (ୟୁକ୍ରେନରେ) ଜେଲରେ ରହିବାକୁ ପସନ୍ଦ କରିବି।
ଏହି ଖବର ପୂର୍ବରୁ ଅନେକ ଥର ରିପୋର୍ଟ ଆସିଛି ଯେ ରୁଷ ସେନା ତାଙ୍କ ଦେଶରେ ଥିବା ବିଦେଶୀ ବ୍ୟକ୍ତିମାନଙ୍କର ଏକ ତାଲିକା କରି ସେମାନଙ୍କୁ ଚାକିରି ଓ ଅନ୍ୟାନ୍ୟ ସୁଯୋଗର ଲୋଭ ଦେଖାଇ ଯୁଦ୍ଧରେ ସାମିଲ କରୁଛି। ଏହି ବିଦେଶୀ ନାଗରିକଙ୍କ ମଧ୍ୟରେ ଭାରତ ଓ ଉତ୍ତର କୋରିଆର ଲୋକ ମଧ୍ୟ ସାମିଲ ଅଛନ୍ତି।
ଗତ ଜାନୁଆରୀ ମାସରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଯେଉଁ ୧୨୬ ଜଣ ଭାରତୀୟଙ୍କୁ ରୁଷରେ ବସବାସ କରିବା ପାଇଁ ଲୋଭ ଦେଖାଇ ବିଭ୍ରାନ୍ତ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୧୨ ଜଣ ୟୁକ୍ରେନରେ ରୁଷ ପାଇଁ ଯୁଦ୍ଧ କରି ପ୍ରାଣ ହରାଇଥିଲେ। ସେହିଭଳି ୧୬ ଜଣ ନିଖୋଜ ଥିବା ମନ୍ତ୍ରଣାଳୟ କହିଥିଲା। ପରେ ଭାରତ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହିତ ନେଇଥିଲେ ଓ ରୁଷ ସରକାରଙ୍କ ସହିତ ଆଲୋଚନା କରିଥିଲେ। ରୁଷ ସେନାରେ ସାମିଲ ହୋଇଥିବା ଭାରତୀୟଙ୍କୁ ତୁରନ୍ତ ଛାଡ଼ିଦେବାକୁ ଅନୁରୋଧ କରିଥିଲେ ଭାରତ ସରକାର।
ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ନିରପେକ୍ଷ ରହିଛି। ଭାରତ ସରକାର କୌଣସି ଦେଶକୁ ସମର୍ଥନ କରୁ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/08/hussain-2025-10-08-11-35-07.jpg)