ପହଲଗାମ ନରସଂହାର ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକି ଲୋକହସା ହୋଇଛି ପାକିସ୍ତାନ। ପହଲଗାମ ଆତଙ୍କବାଦୀ ହମଲା ପରେ ପାକିସ୍ତାନକୁ ଭାରତର ଆକ୍ରମଣ ଭୟ ଘାରିଛି। ଏଥିରୁ ବର୍ତ୍ତିବା ପାଇଁ ଓ ଭାରତକୁ ବଦନାମ କରିବା ପାଇଁ ଇସଲାମାବାଦ ସୁରକ୍ଷା ପରିଷଦର ରୁଦ୍ଧଦ୍ୱାର ବୈଠକ ପାଇଁ କହିଥିଲା। ଭାରତ ବିରୋଧରେ ପ୍ରସ୍ତାବ ଆଗତ କରିବାକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନ ନିଜେ ବୈଠକରେ ଅପଦସ୍ତ ହୋଇଛି। ସୁରକ୍ଷା ପରିଷଦ ପକ୍ଷରୁ ପହଲଗାମ ନରସଂହାର ଓ ଭାରତ ସହ ସୃଷ୍ଟି ହୋଇଥିବା ପ୍ରସଙ୍ଗରେ ପାକିସ୍ତାନକୁ ସମାଲୋଚନା କରାଯାଇଥିବା ଏନଆଇଏ ରିପୋର୍ଟ ପ୍ରକାଶ କରିଛି।
ରୁଦ୍ଧଦ୍ୱାର ବୈଠକ ସମୟରେ ସୁରକ୍ଷା ପରିଷଦରେ ଥିବା ରାଷ୍ଟ୍ରଗୁଡ଼ିକ ଇସଲାମାବାଦକୁ ପହଲଗାମ ନରସଂହାରରେ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବା ସଂପୃକ୍ତି ସମ୍ପର୍କରେ ଘନଘନ ପ୍ରଶ୍ନ କରିଥିଲେ। ପହଲଗାମ ନରସଂହାରରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ କଶ୍ମିରୀ ଘୋଡ଼ା ବାଲାଙ୍କ ମୃତ୍ୟୁ ହୋଇଥିଲା।
ଭାରତ ସହ ତିକ୍ତତାକୁ ପାକିସ୍ତାନ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚଷ୍ଟା କରି ବିଫଳ ହୋଇଛି। ସୁରକ୍ଷା ପରିଷଦରେ ଥିବା ରାଷ୍ଟ୍ରଗୁଡ଼ିକ ପାକିସ୍ତାନ ବିବାଦ ମଧ୍ୟରେ ପରମାଣୁ ବୋମାର ଧମକ ଦେଇ ସ୍ଥିତିକୁ ଆହୁରି ବିବାଦୀୟ କରୁଥିବା ମତ ରଖିଛନ୍ତି। ସେମାନେ ପାକିସ୍ତାନ ନିକଟରେ କରିଥିବା ମିସାଲଇ ଟେଷ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପହଲଗାମ ନରସଂହାର ଘଟଣାକୁ ସମସ୍ତେ ନିନ୍ଦା କରିବା ସହ ପାକିସ୍ତାନକୁ ଉସକାଇବା ଭଳି ବୟାନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି।
ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଥିବା ୧୦ ଜଣ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ମଧ୍ୟରେ ପାକିସ୍ତାନ ରହଛି। ଭାରତ ସହ ତିକ୍ତତା ବଢ଼ୁଥିବାରୁ ପାକିସ୍ତାନ ପକ୍ଷରୁ ୟୁଏନଏସ୍ସିର ଅଧ୍ୟକ୍ଷ ରହିଥିବା ଗ୍ରୀସକୁ ରୁଦ୍ଧ ଦ୍ୱାର ବୈଠକ ପାଇଁ ଅନୁରୋଧ କରାଯାଇଥିଲା। ପାକିସ୍ତାନ ନିଜେ ବୈଠକ ପାଇଁ ଅନୁରୋଧ କରିଥିଲେ ହେଁ ଅପଦସ୍ତ ହୋଇଛି।
ଜାତିସଂଘ ସୁରକ୍ଷା ପରିଷଦରେ ଚାଇନା, ଫ୍ରାନ୍ସ, ରୁଷ, ୟୁକେ ଓ ଆମେରିକା ହେଉଛନ୍ତି ସ୍ଥାୟୀ ସଦସ୍ୟ। ଏମାନଙ୍କ ପାଖରେ ଭିଟୋ କ୍ଷମତା ରହିଛି। ଏମାନଙ୍କ ବ୍ୟତୀତ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ଆଲଜେରିଆ, ଡେନମାର୍କ, ଗ୍ରୀସ, ଗୁଏନା, ପାନାମା, ଦକ୍ଷିଣ କୋରିଆ, ସିଏରା ଲେଓନ, ସ୍ଲୋଭେନିଆ ଓ ସୋମାଲିଆ ପ୍ରମୁଖ ରହିଛନ୍ତି।
ରୁଦ୍ଧଦ୍ୱାର ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା। ୟୁଏନଏସସି ସଦସ୍ୟମାନେ ପହଲଗାମ ଟେରର ଆକ୍ରମଣକୁ ନିନ୍ଦା କରିଥିଲେ ଓ ଏହାର ଉତ୍ତରଦାୟିତ୍ୱ ସମ୍ପର୍କରେ ମତ ରଖିଥିଲେ। ପହଲଗାମରେ ପର୍ଯ୍ୟଟକମାନଙ୍କୁ କେମିତି ଧର୍ମ ପଚାରି ଗୁଳି କରାଯାଇଥିଲା, ସେ ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିଥିଲା। ପହଲଗାମ ନରସଂହାରକୁ ନେଇ ପାକିସ୍ତାନ ଚଳାଇଥିବା ମିଛର ପ୍ରଚାରକୁ ୟୁଏନଏସସି ଗ୍ରହଣ କରିନାହିଁ। ଏଥିସହ ଭାରତ ସହ ଥିବା ଥିବା ବିବାଦକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନ କରିବାକୁ ପାକିସ୍ତାନକୁ ବୈଠକରେ ପରାମର୍ଶ ଦିଆଯାଇଛି।
ୟୁଏନଏସ୍ସି ବୈଠକ ପରେ ପାକିସ୍ତାନ ରାଷ୍ଟ୍ରଦୂତ ଆସିମ ଇଫତକାର କହିଛନ୍ତି ଯେ ତାଙ୍କ ଦେଶ ପହଲଗାମ ହମଲାରେ ସାମିଲ ଥିବା ନେଇ କରାଯାଉଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଭାରତ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଥିବାରୁ ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ବୋଲି ସେ କହିଛନ୍ତି।
ବୈଠକ ସମ୍ପର୍କରେ ସୁରକ୍ଷା ପରିଷଦ କିମ୍ବା ଭାରତ ପକ୍ଷରୁ କୌଣସି ବିଧିବଦ୍ଧ ବିବୃତି ଜାରି କରାଯାଇ ନାହିଁ। ବୈଠକ ପରେ ତୁନିସିଆ କୂଟନୀତିଜ୍ଞ ଖାଲେଦ ମହମ୍ମଦ ଖିଆରି କହିଛନ୍ତି ଯେ ସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା। ବୈଠକରେ ବିବାଦକୁ ଦୃଷ୍ଟିରେ ରଖି ଆଲୋଚନା ଓ ଶାନ୍ତିପୂର୍ଣ୍ଣ ସଂକଳ୍ପ ପାଇଁ ପରାମର୍ଶ ଦିଆଯାଇଛି। ଗ୍ରୀକ ରାଷ୍ଟ୍ରଦୂତ କହିଛନ୍ତି ଯେ ବୈଠକ ସକାରାତ୍ମକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଛି। ରୁଷ ଆଶା କରିଛି ଯେ ଉତ୍ତେଜନା ହ୍ରାସ ପାଇବ।
ବୈଠକ ପୂର୍ବରୁ ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ କହିଥିଲେ ଯେ ଗୋଟିଏ ସାମରିକ ସମାଧାନ ଆଦୌ ସମାଧାନର ରାସ୍ତା ନୁହେଁ। ଉଭୟ ଦେଶ ସର୍ବାଧିକ ସଂଯମତା ଅବଲମ୍ବନ କରନ୍ତୁ ଓ ସେମାନେ ପଛକୁ ହଟନ୍ତୁ। ସମ୍ପର୍କ ଅତ୍ୟନ୍ତ ସାଂଘାତିକ ସ୍ଥିତିରେ ପହଞ୍ଚିଥିବାରୁ କଷ୍ଟ ହେଉଛି ବୋଲି ସେ କହିଥିଲେ। ଗୁଟେରସ ଆତଙ୍କବାଦୀ ହମଲାକୁ ନିନ୍ଦା କରିବା ସହ ଏଥିରେ ସାମିଲ ଥିବା ଲୋକଙ୍କୁ ମୂଳପୋଛ କରିବାକୁ ମଧ୍ୟ ମତ ରଖିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।